ଶପଥ ନେଲେ ଜଷ୍ଟିସ୍ ଧନଞ୍ଜୟ ଚନ୍ଦ୍ରଚୂଡ଼
ନୂଆଦିଲ୍ଲୀ, ୦୯/୧୧/୨୦୨୨- ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଧନଞ୍ଜୟ ଓ୍ବାଇ.ଚନ୍ଦ୍ରଚୂଡ଼ । ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ ରାଷ୍ଟ୍ରପତି ଭବନରେ ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ଜଷ୍ଟିସ୍ ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟର ୫୦ ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଅକ୍ଟୋବର ୧୭ ରେ ତାଙ୍କୁ ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ କରିଥିଲେ। ସେ ବିଚାରପତି ଉଦୟ ଉମେଶ ଲଳିତଙ୍କ ସ୍ଥାନ ନେଇଛନ୍ତି । ବିଚାରପତି ଚନ୍ଦ୍ରଚୂଡ଼ ୧୧ ନଭେମ୍ବର ୧୯୫୯ ରେ ଜନ୍ମ ହୋଇଥିଲେ ଏବଂ ୧୩ ମେ ୨୦୧୬ ରେ ସୁପ୍ରିମକୋର୍ଟର ବିଚାରପତି ଭାବରେ ପଦୋନ୍ନତି ହୋଇଥିଲେ । ସେ ଅନେକ ଐତିହାସିକ ରାୟ ଶୁଣାଇଛନ୍ତି ।
ଏଥିରେ ଗୁରୁତ୍ବପୂର୍ଣ୍ଣ ଅଯୋଧ୍ୟା ଭୂମି ବିବାଦ, ଆଇପିସି ଧାରା ୩୭୭ ଅନୁଯାୟୀ ସମଲିଙ୍ଗୀ ସମ୍ବନ୍ଧକୁ ଅପରାଧ ଶ୍ରେଣୀରୁ ବାହାର କରିବା, ସାବରିମାଳା ମନ୍ଦିର ପ୍ରସଙ୍ଗ, ସେନାର ମହିଳା ଅଧିକାରୀଙ୍କ ସ୍ଥାୟୀ କମିଶନ ଦେବା, ଆଧାର ଯୋଜନାର ବୈଧତା ସହ ଜଡ଼ିତ ମାମଲା, ଭାରତୀୟ ନୌସେନାରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଭଳି ନିଷ୍ପତ୍ତି ସାମିଲ୍ ରହିଛି । ସେ ୨୯ ମାର୍ଚ୍ଚ ୨୦୦୦ ରୁ ୩୧ ଅକ୍ଟୋବର ୨୦୧୩ ପର୍ଯ୍ୟନ୍ତ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ । ଦିଲ୍ଲୀ ସେଣ୍ଟ ଷ୍ଟିଫେନ୍ସ କଲେଜ୍ରୁ ଅର୍ଥନୀତିରେ ବିଏ ଅନର୍ସ କରିବା ପରେ ସେ କ୍ୟାମ୍ପସ ଲ ସେଣ୍ଟର ଦିଲ୍ଳୀ ବିଶ୍ବବିଦ୍ୟାଳୟରୁ ଏଲଏଲବି କରିଥିଲେ ଏବଂ ପରେ ଆମେରିକାର ହାଭାର୍ଡ ଲ ସ୍କୁଲ୍ରୁ ଏଲଏଲଏମ ଏବଂ ନ୍ୟାୟିକ ବିଜ୍ଞାନରେ ଡକ୍ଟରେଟ୍ ଉପାଧି ପ୍ରାପ୍ତ କରିଥିଲେ । ବିଚାରପତି ଚନ୍ଦ୍ରଚୂଡ଼ ୧୦ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ଏହି ପଦରେ ରହିବେ । ସୁପ୍ରିମକୋର୍ଟ ବିଚାରପତି ୬୫ ବର୍ଷରେ ଅବସର ଗ୍ରହଣ କରିଥାନ୍ତି ।