
ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈୟମାସିକ ଜୁଲାଇ-ସେପ୍ଟମ୍ବରରେ ଭାରତର ଅର୍ଥନୀତି ୬.୩ ହାରରେ ଅଭିବୃଦ୍ଧି କରିଛି । ଯାହା ଗତ ବର୍ଷ ସମାନ ସମୟରେ ୮.୪ ପ୍ରତିଶତ ଥିଲା। ଏନେଇ ସରକାର ବୁଧବାର ସୂଚନା ଦେଇଛନ୍ତି। ତେବେ ବର୍ଷର ପ୍ରଥମ ତ୍ରୈୟମାସିକରେ ବିକାସ ହାର ୧୩.୫ ପ୍ରତିଶତ ଥିଲା। ପୂର୍ବରୁ ଅନେକ ଅର୍ଥନୀତିଜ୍ଞମାନେ ଚଳିତ ବର୍ଷର ଦ୍ୱିତୀୟ ତ୍ରୈୟମାସିକରେ ଜିଡିପି ଦର ୬.୨ ପ୍ରତିଶତ ରହିବ ବୋଲି ପୂର୍ବାନୁମାନ କରିଥିଲେ। ଜିଡିପି ଅଭିବୃଦ୍ଧି ହାର ପ୍ରାୟ ସମାନ ବୋଲି ଆରବିଆଇ ମଧ୍ୟ ଆକଳନ କରିଥିଲା। ଜିଡିପି ଆକଳନ ପ୍ରକାଶ କରି ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ୨୦୨୨-୨୩ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରିୟମାସିକରେ ଜିଡିପି ୩୮.୧୭ ଲକ୍ଷ କୋଟିରେ ପହଞ୍ଚିଛି ଯାହା ପୂର୍ବ ଆର୍ଥିକ ବର୍ଷର ସମାନ ତ୍ରିୟମାସିକରେ ୩୫.୭୩ ଲକ୍ଷ କୋଟି ଥିଲା। ଦେଶର ଆଠଟି ପ୍ରମୁଖ ମୂଳ ଶିଳ୍ପର ଅଭିବୃଦ୍ଧି ହାର ଅକ୍ଟୋବର ମାସରେ ହ୍ରାସ ପାଇଛି। ଯେଉଁ କାରଣରୁ ଆବିବୃଦ୍ଧିରେ ହ୍ରାସ ଘଟିଛି। ଆଠଟି ମୂଳ ଶିଳ୍ପ – କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ୍, ବିଶୋଧନାଗାର ଉତ୍ପାଦ, ସାର, ଇସ୍ପାତ, ସିମେଣ୍ଟ ଏବଂ ବିଦ୍ୟୁତ୍ – ଚଳିତ ଆର୍ଥିକ ବର୍ଷରେ ଏପ୍ରିଲ୍-ଅକ୍ଟୋବର ମଧ୍ୟରେ ୮.୨ ପ୍ରତିଶତ ଅଭିବୃଦ୍ଧି ପଞ୍ଜିକୃତ ହୋଇଛି ଯାହା ସମାନ ଅବଧିରେ ବର୍ଷ ପୂର୍ବେ ୧୫.୬ ପ୍ରତିଶତ ଥିଲା।