Breaking NewsFeaturedରାଜନୀତି

ଓଡ଼ିଶାରୁ ଲଢ଼ିବେନି ଅଶ୍ୱିନୀ ବୈଷ୍ଣବ!

ପାଖେଇ ଆସୁଛି ନିର୍ବାଚନ । ସରଗରମ ରାଜନୀତି । ସବୁ ଦଳ ସେମାନଙ୍କ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । କିଏ କେଉଁ ଆସନରୁ ଲଢ଼ିବ ସେନେଇ ମଧ୍ୟ ଚାଲିଛି କଳ୍ପନାଜଳ୍ପନା । ବିଶେଷକରି ହେଭିୱେଟ୍ ବା ଜାତୀୟସ୍ତରର ନେତାଙ୍କ ନାମକୁ ନେଇ ଖୁବ୍ ଚର୍ଚ୍ଚା । ତେବେ ଦୀର୍ଘଦିନ ଧରି ଓଡ଼ିଶା ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ପ୍ରାୟତଃ ସେହି ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । କୁହାଯାଉଛି ଯେ ବିଜେପିର ଏହି ନାମକରା ଲିଡର୍ ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ଓଡ଼ିଶାରୁ ଲଢ଼ିବେନି । ତେବେ କାହିଁକି ବଦଳିଗଲା ପ୍ଲାନ୍‌? ଓଡ଼ିଶାର କେଉଁ ଆସନ ମଧ୍ୟ ସୁହାଇଲାନି? ଏଭଳି ଆଲୋଚନା ଏବେ ଜୋର ଧରିଛି ।

ରିପୋର୍ଟ ଅନୁସାରେ ଅଶ୍ୱିନୀ ବୈଷ୍ଣବ ପ୍ରଥମେ କଟକକୁ କରିଥିଲେ ଫୋକସ୍ । ଆଶା କରାଯାଉଥିଲା ଆସନ୍ତା ନିର୍ବାଚନରେ ଐତିହାସିକ କଟକ ମାଟିରୁ ଲୋକସଭା ପାଇଁ ଲଢ଼ିବେ । ଚାଲିଲା ତନାଘନା ଓ କରାଗଲା ଗ୍ରାଉଣ୍ଡ ସର୍ଭେ । କିନ୍ତୁ ଫଳାଫଳ ରହିଲାନି ଅନୁକୂଳ । ଫଳରେ କଟକକୁ ବାଦ୍ ଦେଇ ମନ୍ତ୍ରୀଙ୍କ ନଜର ପଡ଼ିଲା ପୁରୀ ଉପରେ । ପୁରୀ ହିଁ ହେବ ଉପଯୁକ୍ତ ଆସନ ବୋଲି ଆଲୋଚନା ହେଲା । କିନ୍ତୁ ସର୍ଭେ ଟିମର ଆକଳନରେ ବୋଧେ ଅଶ୍ୱିନୀ ବୈଷ୍ଣବ ସନ୍ତୁଷ୍ଟ ହେଲେନି । ତେଣୁ କଟକ ପରେ ପରେ ପୁରୀକୁ ମଧ୍ୟ ବାଦ୍ ଦିଆଗଲା । ଏହାପରେ ମନ୍ତ୍ରୀଙ୍କ ଟାର୍ଗେଟ୍‌କୁ ଆସିଲା ବାଲେଶ୍ୱର । ବାଲେଶ୍ୱର ଆସନରୁ ଲୋକସଭା ଲଢ଼ିବା ଉପଯୁକ୍ତ ହେବ ବୋଲି ଫୋକସ କରାଗଲା ।

ଆରମ୍ଭ ହେଲା ଅନୁଧ୍ୟାନ । ତେବେ ସମୟର ସନ୍ଧିରେ ପରିସ୍ଥିତି ଦୋହଲାଇ ଦେଲା ବାଲେଶ୍ୱରର ବାହାନଗା ଟ୍ରେନ୍ ଟ୍ରାଜେଡି । ସବୁ ଅଙ୍କ ବିଗାଡ଼ି ଦେଲା । ତେବେ ପଛକୁ ହଟିନଥିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦିନରାତି ନିଜେ ଦୁର୍ଘଟଣାସ୍ଥଳରେ ରହି ସ୍ଥିତି ସୁଧାର ଆସିବା ପର୍ଯ୍ୟନ୍ତ ସଜାଗ ରହିଥିଲେ ଅଶ୍ୱିନୀ ବୈଷ୍ଣବ । ଫଳରେ ବିବାଦ ଭିତରେ ବି ତାଙ୍କର ଲୋକପ୍ରିୟତା ବଢ଼ିଥିଲା । କାରଣ ପୂର୍ବରୁ ଏଭଳି କୌଣସି ରେଳମନ୍ତ୍ରୀ ଦୁର୍ଘଟଣାସ୍ଥଳରେ କ୍ରମାଗତ ଉପସ୍ଥିତ ରହିବା ନଜିର ନାହିଁ ବୋଲି ମଧ୍ୟ କୁହାଗଲା । ଟ୍ରେନ୍ ଟ୍ରାଜେଡି ତ ଯାହା ଦୁଃଖ ଦେଲା, କିନ୍ତୁ ଅଶ୍ୱିନୀଙ୍କୁ ବୋଧହୁଏ ଆଉ ମନବୋଧ ହେଲାନି ବାଲେଶ୍ୱରରୁ ଲଢ଼ିବା । ଭରସା ପାଇଲାନି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଫଳରେ ସେ ନିର୍ଣ୍ଣୟ ନେଲେ ଆଉ ଓଡ଼ିଶାରୁ ଲଢ଼ିବେନି ଆଗାମୀ ୨୦୨୪ ନିର୍ବାଚନ । ଏଥିପାଇଁ ନିଜ ହୋମ୍ ଷ୍ଟେଟ୍ ରାଜସ୍ଥାନକୁ ହିଁ ଉପଯୁକ୍ତ ମନେକଲେ । ଖାସ୍ ସେଇଥିପାଇଁ ସେ ଅଧିକାଂଶ ସମୟ ଏବେ ରାଜସ୍ଥାନକୁ ଦେଉଛନ୍ତି । ସମୟ ବିତୁଛି ରାଜସ୍ଥାନରେ । ରାଜନୀତି ମହଲରେ ଏଭଳି ଆଲୋଚନା ଏବେ ଜୋର ଧରିଛି ।

ଆଲୋଚନାକୁ ଆହୁରି ଖୋରାକ ଯୋଗାଇଛି ଆଜି ଅର୍ଥାତ୍ ସେପ୍ଟେମ୍ବର ୭ରେ ବାଲେଶ୍ୱରରେ ହେଉଥିବା କାର୍ଯ୍ୟକ୍ରମ । କଥା ହେଲା ବାଲେଶ୍ୱରର ଅମର୍ଦ୍ଦା ବିମାନ ବନ୍ଦର ପାଇଁ କେନ୍ଦ୍ର ସରକାର ୪୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିପାଇଁ ବାଲେଶ୍ୱର ବାସୀ ବେଶ୍ ଖୁସି । ଏହି ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଓ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ କୃତଜ୍ଞତା ଜଣାଇଛି ବସ୍ତା ବିଜେପି ଯୁବମୋର୍ଚ୍ଚା । ଖାଲି ସେତିକି ନୁହେଁ, ସେପ୍ଟେମର ୭ ଗୁରୁବାର ବସ୍ତା ଗାନ୍ଧିଛକ ନିକଟରେ ଏକ ଧନ୍ୟବାଦ ସଭା କରାଯାଇଥିବାବେଳେ ସେହି ନିମନ୍ତ୍ରଣ ପତ୍ରରେ ନାହିଁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନାମ । ଯଦି ବାଲେଶ୍ୱରରୁ ଅଶ୍ୱିନୀ ୨୦୨୪ ଲଢ଼ିବାର ହୋଇଥାନ୍ତା, ତେବେ ତାଙ୍କର ନାମ ନିହାତି ସ୍ଥାନୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳନ୍ତା । ଏଥିରୁ ଯାହା ସଂକେତ ମିଳୁଛି ଅଶ୍ୱିନୀ ବାବୁ ବାଲେଶ୍ୱରକୁ ମଧ୍ୟ ନିଜ ଟାର୍ଗେଟରୁ ହଟାଇ ସାରିଛନ୍ତି । ରାଜନୀତି ମହଲରେ ଏଭଳି ଆଲୋଚନା ଚାଲିଛି ।
ତେବେ ଦେଖାଯାଉ, ଅଶ୍ୱିନୀ ଆଗାମୀ ନିର୍ବାଚନରେ କେଉଁ ରାଜ୍ୟରୁ କେଉଁ ଆସନରୁ ଲଢ଼ୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com