ଜାତୀୟରାଜନୀତି

ବିଜେପିରେ ସାମିଲ ହୋଇପାରନ୍ତି ଅଖିଳେଶଙ୍କ ଭାଇବୋହୂ

ଲକ୍ଷ୍ନୌ() ଉତ୍ତରପ୍ରଦେଶ ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି । ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରଠାରୁ ଉଷ୍ମ ହୋଇଛି ଉତ୍ତରପ୍ରଦେଶ ରାଜନୀତି । ଦଳବଦଳ ରାଜନୀତି ଏବେ ଉତ୍ତରପ୍ରଦେଶରେ ଅଧିକ ଚର୍ଚ୍ଚାରେ ରହିଛି । ଆଉ ଏହି ରେସରେ ଆଗରେ ରହିଛି ସମାଜବାଦୀ ପାର୍ଟି । ଉତ୍ତରପ୍ରଦେଶରେ ଏବେ ଦଳ ଛାଡୁଥିବା ଅଧିକାଂଶ ନେତା ସାଇକେଲରେ ଚଢିବାକୁ ମନ ବଳାଉଛନ୍ତି, ଯାହାକୁ ନେଇ ଅଖିଳେଶ ମଧ୍ୟ ବେଶ ଖୁସି । କିନ୍ତୁ ଏସବୁ ଭିତରେ ଅଖିଳେଶଙ୍କୁ ବଡ ଝଟକା ଦେବାକୁ ଯାଉଛନ୍ତି ତାଙ୍କର ଭାଇ ବୋହୂ ଅପର୍ଣ୍ଣା ଯାଦବ । ମୁଲାୟମ ସିଂଙ୍କ ସାନବୋହୂ ଅପର୍ଣ୍ଣା ଖୁବଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି, ଆଉ ଏଥିପାଇଁ କାଳେ କଥାବାର୍ତ୍ତା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଚର୍ଚ୍ଚା ଜୋର ଧରିଛି । ଏହା ଅଖିଳେଶଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । କାରଣ ଦଳରୁ କେହି ବାହାରି ଯାଇ ଅନ୍ୟ ଦଳରେ ମିଶିବା ଓ ପରିବାରରୁ କେହି ଛାଡି ଅନ୍ୟ ଦଳରେ ମିଶିବା ନିଶ୍ଚୟ ଅଖିଳେଶଙ୍କୁ ବ୍ୟାକଫୁଟକୁ ଠେଲିଦେବ ।

ଅପର୍ଣ୍ଣା ଯାଦବ ୨୦୧୭ରେ ସମାଜବାଦୀ ଟିକେଟରୁ ନିର୍ବାଚନ ଲଢି ପରାଜିତ ହୋଇଥିଲେ । ବିଜେପି ପ୍ରାର୍ଥୀଙ୍କ ଠାରୁ ଅପର୍ଣ୍ଣା ପରାଜିତ ହୋଇଥିଲେ ମଧ୍ୟ ପ୍ରାୟ ୬୩ ହଜାରରୁ ଅଧିକ ଭୋଟ ହାତେଇ ଥିଲେ । ତେଣୁ ଅପର୍ଣ୍ଣା ସେହି ଭୋଟବ୍ୟାଙ୍କ ବଳରେ ବିଜେପିରେ ସାମିଲ ହୋଇ ବିଜୟ ବାନା ଉଡାଇବାକୁ ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଛି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ରାଜ୍ୟ ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂଙ୍କ ଉପସ୍ଥି୍ତିରେ ଅପର୍ଣ୍ଣା ଆଜି ପଦ୍ମ ଧରିପାରନ୍ତି । ମୁଲାୟମଙ୍କ ଦ୍ୱିତୀୟ ପତ୍ନୀ ସାଧନା ଗୁପ୍ତାଙ୍କ ପୁଅ ପ୍ରତୀକ ଯାଦବଙ୍କ ପତ୍ନୀ ହେଉଛନ୍ତି ଅପର୍ଣ୍ଣା । ତେଣୁ ପରିବାରରୁ କେହି ପ୍ରତିଦ୍ୱନ୍ଦ୍ୱୀ ଦଳକୁ ଯିବା ସମାଜବାଦୀ ଦଳ ପାଇଁ ଅଡୁଆ ବଢାଇପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com