ରାଜନୀତି

ସାମୂହିକ ନେତୃତ୍ୱ ଉପରେ ବିଶ୍ୱାସ କରେ ଦଳ: ସଚିନ ପାଇଲଟ

ବିଧାନସଭା ଭୋଟକୁ ନେଇ ଉଠୁଛି ପଡୁଛି ରାଜସ୍ଥାନ । ନଭେମ୍ବର ୨୫ରେ ଭୋଟ ପଡିବାକୁ ଥିବା ବେଳେ ଜୋରସୋରରେ ଚାଲିଛି ପ୍ରଚାର । ଗଡ ହାତେଇବା ପାଇଁ କଂଗ୍ରେସ ଏବଂ ବିଜେପିର ବହୁ ହେଭି ୱେଟ ପ୍ରଚାର ଉବଦାନକୁ ଓହ୍ଲାଇଛନ୍ତି । ସେପଟେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ମଧ୍ୟରେ ଥିବା ବିବାଦ ଓ ଦଳୀୟ ଆଭ୍ୟନ୍ତରିଣ ମତଭେଦର କଳ୍ପନା ଜଳ୍ପନାର ଅନ୍ତ ଘଟିଛି ।

ରାଜସ୍ଥାନ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଚର୍ଚ୍ଚିତ ଯୁବନେତା ସଚିନ ପାଇଲଟ ଏ ସବୁ କଳ୍ପନା ଜଜଳ୍ପନାର ଅନ୍ତ ଘଟାଇଛନ୍ତି । ଆଉ କହିଛନ୍ତି ଆମ ଦଳ ସାମୂହିକ ନେତୃତ୍ୱ ଉପରେ ବିଶ୍ୱାସ କରେ । ରାଜସ୍ଥାନରେ ବ୍ୟକ୍ତିଗତ ଭାବେ କିଏ କେଉଁ ଦାୟିତ୍ୱ ପାଇବ, ସେ ସମ୍ପର୍କିତ ନିଷ୍ପତ୍ତି ଦଳ କ୍ଷମତାକୁ ଫେରିବା ପରେ ହିଁ ଆବଣ୍ଟିତ ହେବ । ଏନେଇ ରବିବାର ସଚିନ ପାଇଲଟ କହିଛନ୍ତି, ଆମେ ଦଳ ମଧ୍ୟରେ ପରସ୍ପରକୁ ସମ୍ମାନ ଦେଉଛୁ ଓ ସାମୂହିକ ନେତୃତ୍ୱରେ ବିଶ୍ବାସ କରୁଛୁ । ଆମେ ନିର୍ବାଚନରେ ମିଳିତ ଭାବେ ଲଢିବାରେ ବିଶ୍ବାସ ରଖିଛୁ ।

ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଆମର ନିର୍ବାଚିତ ବିଧାୟକ ଓ ଦଳ ହିଁ ନିଷ୍ପତ୍ତି ନେବେ କିଏ ନେତୃତ୍ବ ଗ୍ରହଣ କରିବ । ଯଦି ଏହି ବ୍ୟବସ୍ଥାରେ କାହାର କିଛି ସମସ୍ୟା ଥାଏ, ତେବେ ସେମାନେ ଏହାକୁ ଦଳୀୟ ଫୋରମରେ ନେତୃମଣ୍ଡଳୀଙ୍କ ସହ ଆଲୋଚନା କରି ସମାଧାନ କରିବା ଉଚିତ । ଏପରି ବ୍ୟବସ୍ଥା ସର୍ବଦା ଆମ ଦଳର ପରମ୍ପରା, ନୀତି ଓ ଇତିହାସ ଭାବେ ରହିଆସିଛି । ପାଇଲଟ ଆହୁରି ମଧ୍ୟ କହିଛନ୍ତି, ‘‘ଏହା ଆମର ମାନସିକତା ରହିଆସିଛି ଯେ, ଆମେ ମିଳିତ ଭାବେ ନିର୍ବାଚନ ଲଢିବୁ ଓ ସଂଖ୍ୟା ବହୁମତ ହାସଲ କରିବୁ ।

ଆମେ କ୍ଷମତା ହାସଲ କରିସାରିବା ପରେ ଗୋଟିଏ ଟେବୁଲରେ ଏକାଠି ହେବୁ, ସେଠାରେ ହିଁ କାହାକୁ କେଉଁ ନେତୃତ୍ବ ମିଳିବ, ତାହା ସ୍ଥିର ହେବ । ଏହି ପନ୍ଥାରେ ଆମେ ସର୍ବଦା ନିର୍ବାଚନ ଲଢି ଆସିଛୁ । ଗତ ବିଧାନସଭା ନିର୍ବାଚନରେ ମଧ୍ୟ ଦଳ ଏହି ପନ୍ଥାକୁ ଅନୁସରଣ କରିଥିଲା । ଚଳିତ ଥର ମଧ୍ୟ ଦଳ ସମାନ ଫଣ୍ଡାରେ ନିର୍ବାଚନ ଲଢୁଛି । ଆମର ପ୍ରାଥମିକତା ନେତୃତ୍ବ ନୁହେଁ ବରଂ ବହୁମତ ହାସଲ କରିବା ।

() ତେବେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ସହ ଯୁବନେତା ସଚିନ ପାଇଲଟ ଓ ତାଙ୍କ ଗୋଷ୍ଠୀର ବିବାଦ କାହାକୁ ଅଛପା ନାହିଁ । ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଏହି କନ୍ଦଳ ଚରମ ସୀମାରେ ପହଞ୍ଚିଥିଲା । ତଥାପି ଏହି କନ୍ଦଳକୁ ରୋକିବାରେ ହାଇକମାଣ୍ଡ ଖଡଗେ ଓ ରାହୁଲ ଗାନ୍ଧୀ କିଛି ମାତ୍ରାରେ ସଫଳ ମଧ୍ୟ ହୋଇଥିଲେ ।

ସଚିନ ପାଇଲଟଙ୍କୁ ଟୋଙ୍କ ବିଧାନସଭା ଆସନରୁ ଦଳ ନିର୍ବାଚନ ମୈଦାନକୁ ଓହ୍ଲାଇଛି । କଂଗ୍ରେସର ସ୍ଥିତି ଭଲ ଥିବା ବେଳେ ଦଳ ପୁଣି ଥରେ କ୍ଷମତାକୁ ଫେରିବା ନେଇ ଆଶା ମଧ୍ୟ କରାଯାଉଛି । ତେଣୁ ଦଳ ଯଦି କ୍ଷମତାକୁ ଆସେ, ତେବେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ପାଇଲଟ ଓ ଗେହଲଟ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହେବାର ଯଥେଷ୍ଟ ଆଶଙ୍କା ମଧ୍ୟ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com