ଅନ୍ୟାନ୍ୟ

ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ବୈଷ୍ଣବ ଚରଣ ଜେନାଙ୍କ ପରଲୋକ

ଭୁବନେଶ୍ୱର, ୦୩/୧୨/୨୦୨୨-   ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ବୈଷ୍ଣବ ଚରଣ ଜେନାଙ୍କର ପରଲୋକ ହୋଇଯାଇଛି । ଶୁକ୍ରବାର ପାହାନ୍ତାରୁ ତାଙ୍କ ୩ ନମ୍ବର ସ୍ଥିତ ସରକାରୀ କ୍ୱାର୍ଟରରେ ଶୋଇଥିବା ବେଳେ ସେ ହୃଦଘାତର ଶିକାର ହୋଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ୬ ନମ୍ବର ଡାକ୍ତରଖାନାକୁ ନିଆ ଯାଇଥିଲେ ହେଁ ସେଠାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା । ତାଙ୍କ ବିୟୋଗ ଖବର ପାଇ ବହୁ ସାମ୍ବାଦିକ, ରାଜନେତା ପ୍ରମୁଖ ଶେଷ ଦର୍ଶନ ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

ପ୍ରାୟ ଦେଢ ମାସ ପୂର୍ବେ ସେ ଆଉ ଏକ ହୃଦଘାତର ଶିକାର ହୋଇଥିଲେ । ମାତ୍ର ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ସ୍ୱର୍ଗତଃ ଜେନା ତାଙ୍କ ପଛରେ ପତ୍ନୀ ବାସନ୍ତୀ ଦେବୀ ଏବଂ ଦୁଇ ପୁଅଙ୍କୁ ଛାଡି ଯାଇଛନ୍ତି । ଯାଜପୁର ଜିଲ୍ଲାର ମୂଳ ବାସିନ୍ଦା ବୈଷ୍ଣବ ଜେନା ୧୯୮୮ ମସିହାରେ କୋରାପୁଟରେ ଏକ ବ୍ୟାଙ୍କ ଚାକିରି ଛାଡି ଭୁବନେଶ୍ୱରରେ ସାମ୍ବାଦିକତାକୁ ଓହ୍ଲାଇଥିଲେ । ସାମ୍ବାଦିକତା ଆରମ୍ଭରେ ସେ ସମ୍ବାଦ ଖବର କାଗଜ ସହ ଜଡିତ ହୋଇ ବ୍ରହ୍ମପୁରରେ କାର୍ଯ୍ୟ କରୁଥିଲେ ।

ପରେ ଦୈନିକ ମାତୃଭାଷା, ନ୍ୟାୟବତୀ ଆଦିରେ ସମ୍ବାଦ ତାତା ଏବଂ ବାର୍ତ୍ତା ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ସେହିଭଳି ସେ ଆକାଶବାଣୀ ଓ ଦୂରଦର୍ଶନରେ ମଧ୍ୟ ସାମୟିକ ଭାବେ କାର୍ଯ୍ୟ କରିଥିଲେ । ଏକ ସମୟରେ ସେ ବିଧାନସଭାରେ ଲୋକ ସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ । ସେ ସଦାସର୍ବଦା ସାମ୍ବାଦିକତାର ସମ୍ମାନ ରକ୍ଷା କରି ଆସୁଥିଲେ । ଉଭୟ ଓଡିଆ ଏବଂ ଇଂରାଜୀ ଭାଷାରେ ସେ ପାରଙ୍ଗମ ଥିଲେ । ଏକାଧିକ ବୈଦୁତିକ ଗଣମାଧ୍ୟମରେ ସେ ବିଶେଷଜ୍ଞ ଭାବେ ବିଭିନ୍ନ ବିଷୟ ଉପରେ ଆଲୋଚନାରେ ଭାଗ ନେଉଥିଲେ । ତାଙ୍କ ଦେହାନ୍ତରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି । ଶନିବାର ବରୀ ଡେରାବିଶ୍ ଗାଁରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com