ଅନ୍ୟାନ୍ୟ

ବନ ବିଭାଗ ପକ୍ଷରୁ ଆହତ ଅଜଗରକୁ ପଶୁ ଚିକିତ୍ସାଳୟ ପକ୍ଷରୁ ଅସ୍ତ୍ରୋପ୍ରଚାର

ବ୍ରହ୍ମପୁର, ୧୩ /୧୦/୨୦୨୨ –  ବ୍ରହ୍ମପୁର ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଥିବା ଏକ ଗୁରୁତର ଆହତ ଅଜଗରକୁ ପଶୁ ଚିକିତ୍ସାଳୟ ପରିସରରେ ଅସ୍ତ୍ରୋପ୍ରଚାର କରାଯାଇଛି । ଗତକାଲି ଏକ ଅଜଗର ସାପ ଗୁରୁତର ଆହତ ଅବସ୍ଥାରେ ଚିକିଟି ବ୍ଲକର ଆର.ସୁବାନୀ ବସଷ୍ଟାଣ୍ଡ ନିକଟରେ ପଡିଥିବା ଖବର ପାଇଥିଲା ବନ ବିଭାଗ । ଏହାପରେ ବନ ବିଭାଗ ଓ ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ମାନଙ୍କ ଦ୍ୱାରା ଉକ୍ତ ସାପଟିକୁ ଉଦ୍ଧାର କରାଯାଇ ବ୍ରହ୍ମପୁର ପଶୁ ଚିକିତ୍ସାଳୟକୁ ଅଣା ଯାଇଥିଲା ।

ଗୁରୁତର ଅଜଗର ସାପଟିର ପାଟିର ବାମ ମାଢିଟି ଖସି ଯାଇଥିବା ବେଳେ ତାହାର ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା । ସମୟ ବିଳମ୍ବ ନକରି ସାପଟିର ଅସ୍ତ୍ରୋପ୍ରଚାର ଆରମ୍ଭ କରିଥିଲେ ପଶୁ ଚିକିତ୍ସାଳୟ କର୍ମଚାରୀମାନେ । ବ୍ରହ୍ମପୁର ବନଖଣ୍ଡର ଅତିରିକ୍ତ ବନ ସଂରକ୍ଷକ ଡ. ରୁଦ୍ର ପ୍ରସାଦ ରଥଙ୍କ ନେତୃତ୍ୱରେ ଡାକ୍ତର କିରଣ କୁମାର ବିଷୋୟୀଙ୍କ ସମେତ ତାଙ୍କ ଟିମ ଅସ୍ତ୍ରୋପ୍ରଚାର କରିଥିବା ବେଳେ ବ୍ରହ୍ମପୁର ବନ ବିଭାଗ କର୍ମଚାରୀ ଏବଂ ସର୍ପ ଉଦ୍ଧାରକମାନେ ଏଥିରେ ସହଯୋଗ କରିଥିଲେ। ସାପଟିର ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ଦୁଇଟି ସ୍ଥାନକୁ ସିଲାଇ କରିବା ସହ ତାକୁ ବିଭିନ୍ନ ଔଷଧ ପ୍ରଦାନ କରାଯାଇଥିଲା ।

ବର୍ତ୍ତମାନ ଅଜଗର ସାପଟିର ଅବସ୍ଥା ସ୍ଥିର ରହିଥିବା ବେଳେ ତାହାର ଚିକିତ୍ସା ଜାରି ରହିଥିବା ପଶୁ ଚିକିତ୍ସକ କିରଣ କୁମାର ବିଷୋୟୀ କହିଛନ୍ତି। ଏହି ଅସ୍ତ୍ରୋପ୍ରଚାର ସମୟରେ ବ୍ରହ୍ମପୁର ବନପାଳ ବାବୁ ସେଠୀ, ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧିନ କୁମାର ସାହୁ, ଶ୍ରୀକାନ୍ତ ନାହାକ, ସନ୍ଦିପ ସେଠୀଙ୍କ ସମେତ ବନ କର୍ମଚାରୀ ଓ ପଶୁ ଚିକିତ୍ସାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com