ଅନ୍ୟାନ୍ୟ

କାଁ ଭାଁ ଉତ୍ତେଜନାକୁ ବାଦ୍ ଦେଲେ ପଦ୍ମପୁରରେ ମତଦାନ ପ୍ରକ୍ରିୟା ଜାରି

ଭୁବନେଶ୍ୱର, ୦୫/୧୨/୨୦୨୨-   ବହୁ ପ୍ରତୀକ୍ଷିତ ପଦ୍ମପୁର ଉପନିର୍ବାଚନରେ ଦିନ ୩ଟା ସୁଦ୍ଧା ୬୫.୨୮ ପ୍ରତିଶତ ମତଦାନ ହୋଇଛି । ସିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । କାଁ ଭାଁ ଉତ୍ତେଜନାକୁ ବାଦ ଦେଲେ ଏଠାରେ ଶାନ୍ତି ଶୃଙ୍ଖଳାରେ ମତଦାନ ଚାଲିଛି । ଏହି ଉପନିର୍ବାଚନରେ ଚଳିତ ଥର ଦିନ ୪ଟା ସୁଦ୍ଧା ମତଦାନ ସାରିବାକୁ ସମୟ ଧାର୍ଯ୍ୟ କରା ଯାଇଥିବାରୁ ଆଗୁଆ ଭୋଟ୍ ଦେବାକୁ ସାଧାରଣରେ ଉତ୍ସାହ ଦେଖିବାକୁ ମିଳିଛି । ସକାଳ ୭ଟାରେ ମତଦାନ କେନ୍ଦ୍ର ଖୋଲିବା ସହ ବହୁ ସ୍ଥାନରେ ଲୋକଙ୍କର ଲମ୍ବା ଲାଇନ ଦେଖିବାକୁ ମିଳିଥିଲା ।

ମୈଦାନରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ୧୦ ଜଣଙ୍କ ପାଇଁ ପଦ୍ମପୁର ବାସୀ ନିଜର ମତ ସାବ୍ୟସ୍ତ କରୁଛନ୍ତି । ଶୃଙ୍ଖଳିତ ମତଦାନ ପାଇଁ ମୋଟ୍ ୩୧୯ଟି ବୁଥର ବ୍ୟବସ୍ଥା ହୋଇଛି । ପଦ୍ମପୁର NAC ୨୦୯ ବୁଥରେ ୮ ଖଣ୍ଡ ଭୋଟ୍ ପଡ଼ିବା ପରେ EVM ଅଚଳ ହୋଇଥିଲା । ଖବର ପାଇଁ ପଦ୍ମପୁର ତହସିଲଦାର ୨୦୯ ନମ୍ବର ବୁଥରେ ପହଞ୍ଚିଥିଲେ । ତାଙ୍କ ଉପସ୍ଥିତିରେ EVMରେ ଥିବା ତ୍ରୁଟିକୁ ସଜାଡ଼ାଯିବା ପରେ ମତଦାନ ସ୍ୱାଭାବିକ ହୋଇଛି ।

ସେପଟେ ପାଇକମାଳର ୧୨୮ ନମ୍ବର ବୁଥରେ ମଧ୍ୟ ଇଭିଏମ୍ ଅଚଳ ହୋଇଥିବା ଜଣାପଡିଛି । ପ୍ରତି ବୁଥରେ ୪ ଜଣ ଅଧିକାରୀଙ୍କ ସହ ମୋଟ୍ ୧୨୮ ଜଣ ଅଧିକାରୀଙ୍କୁ ସଂରକ୍ଷିତ ରଖାଯାଇଛି । ୧୨୦ଟି ବୁଥରେ ୱେବକାଷ୍ଟିଂ, ୬୬ଟି ବୁଥରେ ସିସିଟିଭି ବ୍ୟବସ୍ଥା, ୧୫ଟି ମଡେଲ ବୁଥ ଏବଂ ୬ଟି ପିଙ୍କ୍ ବୁଥରେ ଭୋଟିଂ ବ୍ୟବସ୍ଥା କରାଯାଇଛି । ମୋଟ୍ ୧୨୭୬ ନିର୍ବାଚନ ଅଧିକାରୀ ନିଯୁକ୍ତ ରହିଛନ୍ତି । ପୁଲିଂ ବୁଥ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୁଲିସ ଫୋର୍ସ ସହ ୯ଟି CRPF କମ୍ପାନୀକୁ ନିଯୁକ୍ତ କରାଯାଇଛି । ଉତ୍ତେଜନାପୂର୍ଣ୍ଣ ଓ ସମ୍ବେଦନଶୀଳ ବୁଥ ଗୁଡ଼ିକ ଉପରେ ପୁଲିସ ଓ ପ୍ରଶାସନର ସ୍ୱତନ୍ତ୍ର ନଜର ରଖିଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com