ଅନ୍ୟାନ୍ୟ

ପଦ୍ମପୁରରେ ବିଜେଡ଼ିର ବାଜିମାତ୍

ପଦ୍ମପୁର, ୦୮/୧୨/୨୦୨୨ –   ପଦ୍ମପୁର ଉପନିର୍ବାଚନରେ ବିଜେଡି ବାଜିମାତ୍ କରିଛି । ଦଳର ପ୍ରାର୍ଥୀ ବର୍ଷା ସିଂ ବରିହା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ପ୍ରଦୀପ ପୁରୋହିତଙ୍କୁ ୪୧ ହଜାର ୬୭୩ ଭୋଟରେ ପରାସ୍ତ କରିଛନ୍ତି । ଏହି ଦୁଇ ଜଣଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହେବ ବୋଲି ଯେଉଁ ଆଶା କରା ଯାଉଥିଲା ତାହା ହୋଇନାହିଁ । ବରଂ ବର୍ଷା – ପ୍ରଦୀପଙ୍କୁ ଆଶା ଠାରୁ ବହୁ ଅଧିକ ଭୋଟରେ ମାତ୍ ଦେଇଛନ୍ତି । ଆଉ ଏଠାରେ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟ ଜନକ ରହିଛି । ଭୋଟ୍ ଗ୍ରହଣ ପ୍ରାରମ୍ଭରୁ ବର୍ଷା ଆଗୁଆ ଥିଲା ବେଳେ ପ୍ରତି ରାଉଣ୍ଡରେ ବ୍ୟବଧାନ ବଢି ବଢି ଚାଲିଥିଲା । ପ୍ରଥମ ରାଉଣ୍ଡ ଗଣତି ପରେ ବିଜେଡି ୫୫୦୧, ବିଜେପି ୩୭୮୯, କଂଗ୍ରେସକୁ ୨୦୬ ଖଣ୍ଡ ଭୋଟ୍ ହାତେଇଥିଲା।

ପ୍ରଥମ ରାଉଣ୍ଡ ସୁଦ୍ଧା ୧୭୧୨ ଖଣ୍ଡ ଭୋଟରେ ଆଗୁଆ ରହିଥିଲା ବିଜେଡି । ପ୍ରଥମ ୨ ରାଉଣ୍ଡରେ ଭୋଟ୍ ବ୍ୟବଧାନ ୩ ହଜାରରୁ ଅଧିକ ଥିବା ବେଳେ ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ୧୦ ହଜାର ଏବଂ ୧୨ ରାଉଣ୍ଡ ଶେଷ ସୁଦ୍ଧା ବର୍ଷା ୨୧ ହଜାର ଭୋଟରେ ଆଗୁଆ ଥିଲେ । ୨୦ ରାଉଣ୍ଡ ସୁଦ୍ଧା ବିଜେଡି ୧୦୩୮୪୯ ଭୋଟ୍ ହାତେଇଥିବା ବେଳେ ବିଜେପି ୬୮୬୮୨, କଂଗ୍ରେସ ୩୧୯୮ ଭୋଟ୍ ହାତେଇଛନ୍ତି । ଭୋଟ୍ ଗଣତି ଶେଷ ସୁଦ୍ଧା ବିଜେଡି ୧ ଲକ୍ଷ ୧୮ ହଜାର ୮୫୮ ଖଣ୍ଡ ଭୋଟ୍ , ବିଜେପି ୭୭ ହଜାର ୧୮୫ ଖଣ୍ଡ, ଏବଂ କଂଗ୍ରେସ ୩ ହଜାର ୫୩୧ ଖଣ୍ଡ ଭୋଟ୍ ପାଇଛି ।

ନିର୍ବାଚନ ମଣ୍ଡଳୀର ସମୁଦାୟ ୨ଲକ୍ଷ ୫୭ହଜାର ୪୭୪ ଭୋଟରଙ୍କ ମଧ୍ୟରୁ ୨ଲକ୍ଷ ୯ହଜାର ୩୦୯ ଭୋଟର ୩୧୯ ବୁଥରେ ମତଦାନ କରିଥିଲେ। ବର୍ଷାଙ୍କ ବିଜୟ ପରେ ପଦ୍ମପୁର ସମେତ ବିଜେଡିର ଦଳୀୟ କାର୍ଯ୍ୟାଳୟରେ ବାଣ ଏବଂ ମିଠା ବଣ୍ଟା ଯାଇ ବିଜୟ ଉତ୍ସବ ପାଳନ କରାଯାଇଛି । ବିଜୟ ପରେ ବର୍ଷା ନିଜ ଅଞ୍ଚଳର ଅଧିବାସୀ ଏବଂ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେପଟେ ବିଜେପି ପରାଜୟକୁ ସ୍ୱୀକାର କରିବା ସହ ଏହା ପଛର କାରଣ ଖୋଜିବା ଆରମ୍ଭ କରିଛି ।

ମାତ୍ର ମାସକ ପୂର୍ବେ ଧାମନଗରରେ ପରାଜୟ ପରେ ପଦ୍ମପୁରରେ ବିପୁଳ ବିଜୟ ବିଜେଡି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ପୁଣି ପ୍ରମାଣିତ କରିଛି । ଷ୍ଟ୍ରଙ୍ଗ ରୁମ ଖୋଲିବା ପରେ ପ୍ରଥମେ ପୋଷ୍ଟାଲ ବାଲଟ ଏବଂ ପରେ ଇଭିଏମ ଗଣତି ହୋଇଥିଲା। ୧୪ଟି ଟେବୁଲରେ ୩୧୯ଟି ବୁଥର ଗଣତି ବ୍ୟବସ୍ଥା କରାଯାଇଛି । ଗଣତି ବେଳେ ପ୍ରତି ଟେବୁଲରେ ୩ ଜଣ ଅଧିକାରୀ ରହିଥିଲେ । ମୋଟ ୨୩ଟି ରାଉଣ୍ଡରେ ଭୋଟ ଗଣତି କରାଯାଇଛି । ଇଭିଏମରେ ଯାନ୍ତ୍ରିକ ସମସ୍ୟା ଦେଖାଦେଲେ ତାର ମରାମତି ପାଇଁ ସ୍ବତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com