ଅନ୍ୟାନ୍ୟ

ଗନ୍ଧମାର୍ଦ୍ଦନ ପର୍ବତକୁ ମିଳିବ ଜୈବ ବିବିଧତା ଐତିହ୍ୟସ୍ଥଳୀର ମାନ୍ୟତା

ଭୁବନେଶ୍ୱର, ୧୦/୧୨/୨୦୨୨ –  ଗନ୍ଧମାର୍ଦ୍ଦନ ପର୍ବତକୁ  ଜୈବ ବିବିଧତା ଐତିହ୍ୟସ୍ଥଳୀର ମାନ୍ୟତା ଦେବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏହି ପ୍ରସ୍ତାବ ଦେଇଛିଓଡ଼ିଶା ଜୈବ ବିବିଧତା ବୋର୍ଡ । ୧୮,୯୬୩.୮୯ ହେକ୍ଟର ବିଶିଷ୍ଟ ଏହି ପର୍ବତ ଅଞ୍ଚଳ ୫ ଟି ବନଖଣ୍ଡ ଔଷଧିୟ ବୃକ୍ଷଲତାରେ ଭରପୂର। ଏହି ପର୍ବତକୁ ଜୈବବିବିଧତା ଐତିହ୍ୟସ୍ଥଳୀ ମାନ୍ୟତା ଦେବା ପାଇଁ ପ୍ରଥମେ ତେଲେନପାଲି, ନନ୍ଦୁପଲା, ବରତୁଣ୍ଡା, ମିଥପାଲି ଆଦିରେ ଥିବା ଜୈବ ବିବିଧତା ପରିଚାଳନା କମିଟି ଓ ବଲାଙ୍ଗିର ଏବଂ ବରଗଡ଼ ଡିଏଫ୍‍ଓଙ୍କ ସମେତ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ଓ ସ୍ଥାନୀୟ ସ୍ୱେଚ୍ଛାସେବୀ କୁଳମଣି ସାହୁ ସୁପାରିସ କରିଥିଲେ ।

ଏହି ସୁପାରିସ ଓ ଗ୍ରାମସଭାର ନିଷ୍ପତ୍ତି ଆଧାରରେ ଜୈବ ବିବିଧତା ବୋର୍ଡ ସେଠାରେ ସର୍ଭେ ଆରମ୍ଭ କରିଥିଲା । ସର୍ଭେରେ ଏହି ପର୍ବତରେ ଥିବା ‘ଫ୍ଲୋରା’ ଓ ‘ଫନା’ର ତଥ୍ୟ ସଂଗ୍ରହ ହୋଇଥିଲା । ଏଥିରେ ୧୨୦୦ ପ୍ରଜାତିର ବୃକ୍ଷ ଲତା ଓ ୫୦୦ ପ୍ରକାରର ପ୍ରାଣୀ ଥିବା ଜଣାପଡ଼ିଥିଲା । ୨୦୯ ପ୍ରକାର ଗଛ ଥିବା ବେଳେ ୧୩୫ ପ୍ରକାର ବୁଦା ଜାତୀୟ ଗଛ ମିଳିଥିଲା । ୪୭୩ ପ୍ରକାରର ଗୁଳ୍ମ ଓ ୭୭ ପ୍ରକାର ଲତା ଓ ୩୦୦ ପ୍ରକାର ଔଷଧିୟ ଗଛ ଥିବା ନେଇ ତାଲିକା ପ୍ରସ୍ତୁତ ହୋଇଥିଲା । ସେହିପରି ୧୬୦ ପ୍ରକାର ପକ୍ଷୀ, ୧୧୮ ପ୍ରକାର ପ୍ରଜାପତି, ୪୩ ପ୍ରକାର ସ୍ତନ୍ୟପାୟୀ ପ୍ରାଣୀ, ୪୪ ପ୍ରକାର ସରୀସୃପ, ୮୩ ପ୍ରକାର ବୁଢ଼ିଆଣି ଓ ୧୮ ପ୍ରକାର ବିଲୁପ୍ତ ପ୍ରଜାତିର ପ୍ରାଣୀ ଥିବା ଜଣାପଡ଼ିଛି ।

ସ୍ଥାନୀୟ ଲୋକ ଏଠାରୁ ବିଭିନ୍ନ ଗଛ ଲତା ଆଣି ଲୋକଙ୍କ ଚିକିତ୍ସାରେ ଲଗାଉଛନ୍ତି । ମୁଖ୍ୟତଃ ସ୍ତ୍ରୀ ଓ ପ୍ରସୁତି ରୋଗ ଦୂର କରିବା ସହ ଆସିଡିଟି, ଗ୍ୟାଷ୍ଟ୍ରିକ, ମଧୁମେହ, ଅଲସର, ହାଡ଼ ଭଙ୍ଗା, ପେଟ ରୋଗ, ପାଇଲ୍ସ, ଜଣ୍ଡିସ, ବିଭିନ୍ନ ପ୍ରକାର ଜ୍ୱର ସହିତ ମା କ୍ଷୀର ବୃଦ୍ଧି କରିବା ପାଇଁ ଏଠାରେ ବୃକ୍ଷଲତା ଥିବା କୁହାଯାଉଛି । ପୂର୍ବରୁ ମହେନ୍ଦ୍ରଗିରି ମଣ୍ଡାସାରୁ ପର୍ବତକୁ ଜୈବ ବିବିଧତା ଐତିହ୍ୟସ୍ଥଳୀ ଭାବେ ମାନ୍ୟତା ମିଳିଛି । ଖୁବ୍‍ଶୀଘ୍ର ଗନ୍ଧମାର୍ଦ୍ଦନ ପର୍ବତକୁ ଏହି ମାନ୍ୟତା ମିଳିପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com