ଜାତୀୟ

ଅର୍ଥନୀତି ଉପରେ ୨ୟ ଲହରର ସୀମିତ ପ୍ରଭାବ ଥିଲା : ପ୍ରମୁଖ ଅର୍ଥନୈତିକ ଉପଦେଷ୍ଟା

ନୂଆଦିଲ୍ଲୀ : ଭାରତୀୟ ଅର୍ଥନୀତିରେ ଦ୍ରୁତ ସୁଧାର ଦେଖାଦେଇଛି । ଅର୍ଥନୈତିକ କାର୍ଯ୍ୟକଳାପ ଏବେ ପ୍ରାକ-ମହାମାରୀ ସ୍ତରକୁ ଚାଲିଯାଇଛି ବୋଲି ସରକାରଙ୍କ ପ୍ରମୁଖ ଅର୍ଥନୈତିକ ଉପଦେଷ୍ଟା ସଂଜୀବ ସାନ୍ୟାଲ କହିଛନ୍ତି ।

ସୋମବାର ଲୋକସଭାରେ ଅର୍ଥମନ୍ତ୍ରୀଙ୍କ ପକ୍ଷରୁ ଅର୍ଥନୈତିକ ସର୍ଭେ ଉପସ୍ଥାପନାର କିଛି ଘଣ୍ଟା ପରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସାନ୍ୟାଲ କହିଛନ୍ତି ଯେ କରୋନାର ୨ୟ ଲହରର ସ୍ବାସ୍ଥ୍ୟ ଓ ମାନବୀୟ ମୂଲ୍ୟ ଅଧିକ ଥିଲେ ବି ଅର୍ଥନୀତି ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିନଥିଲା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ସୁଦୃଢ ରହିଛି, ଏହା ପାଣ୍ଠି ବହିର୍ଗମନ ପରି  ଯେକୌଣସି ବାହ୍ୟ ଅସ୍ଥିରତାକୁ ସହିବାକୁ ସକ୍ଷମ । କଣ୍ଟେନର ଅଭାବ ନଥିଲେ ଦେଶର ରପ୍ତାନି ଆହୁରି ଅଧିକ ହୋଇଥାନ୍ତା ।

ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ବରନ କହିଛନ୍ତି ଯେ, ୨୦୨୨-୨୩ ଆର୍ଥିକ ବର୍ଷରେ ବିଶ୍ବର ତୈଳ ଚାହିଦା ହ୍ରାସ ପାଇବ ।

ସୂଚନାଯୋଗ୍ୟ ଯେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୧-୨୨ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ଏହି ସର୍ଭେରେ କୁହାଯାଇଛି ଯେ ଚଳିତ ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ଡିଜିପି ଅଭିବୃଦ୍ଧି ୯.୨ ପ୍ରତିଶତ ରହିବ । ଆଗାମୀ ଆର୍ଥିକ ବର୍ଷ ଅର୍ଥାତ ୨୦୨୨-୨୩ରେ ଡିଜିପି ଅଭିବୃଦ୍ଧି ୮-୮.୫ ପ୍ରତିଶତ ରହିବ ବୋଲି ଏଥିରେ କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com