![](https://i0.wp.com/odia.mobilenews24x7.com/wp-content/uploads/2022/12/Pintu.jpg?resize=780%2C470&ssl=1)
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନୟାଗଡ଼ ନାବାଳକ ଅମ୍ରିତ ଅପହରଣ ଘଟଣା । ଟଙ୍କା ପାଇଁ ଅପହରଣ କରାଯାଇଥିବା ସ୍ପଷ୍ଟ କରିଛନ୍ତି ନୟାଗଡ ଏସ୍ ପି ଅଲେଖ ଚନ୍ଦ୍ର ପହି । ଆଜି ଓଡଗାଁ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ ପି ସୂଚନା ଦେଇଛନ୍ତି । ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।
ଏସ୍ ପି ସୂଚନା ଅନୁସାରେ, ମୁଖ୍ୟଅଭିଯୁକ୍ତ ସ୍ବପ୍ନପ୍ରସାଦ ପଣ୍ଡା ଏନେକ ଟଙ୍କା ଧାରକରଜ କରିଥିଲା । ଋଣ ଟଙ୍କା ପରିଶୋଧ କରିବା ପାଇଁ ଅମ୍ରିତକୁ ଅପହରଣ କରିଥିଲା । ଭାବିଥିଲା ଅମ୍ରିତର ବାପାଠାରୁ ଟଙ୍କା ଆଦାୟ କରି ଋଣ ଟଙ୍କା ଶୁଝିଦେବ ବୋଲି । ଏଥିପାଇଁ ସ୍ବପ୍ନ ତାର ଭାଇ ଭକ୍ତଦର୍ଶନ ଏବଂ ସାଙ୍ଗ ସୁନିଲ ପାଣିଗ୍ରାହୀର ସହଯୋଗ ନେଇଥିଲା । ୧୫ ତାରିଖ ସନ୍ଧ୍ଯା ୭ ତା ୩୦ ରେ ଅମ୍ରିତ ଟିଉସନରୁ ଫେରୁଥିବା ସମୟରେ ଘର ନିକଟରୁ ତାକୁ ସ୍ବପ୍ନ ଏବଂ ଅନ୍ଯ ଦୁଇଜଣ ମିଶି ନିଜର ବୋଲେରୋ ପିକଅପ୍ ଭ୍ଯାନରେ ଅପହରଣ କରିନେଇଥିଲେ। ଅମ୍ରିତକୁ ପ୍ରଥମେ କୁରାଳ ଚଣ୍ଡିସାହିର ଏକ ଘରେ ଏବଂ ପରେ ମହାନ୍ତି ସାହିର ଘରେ ରଖିଥିଲେ। ସେହି ଦୁଇଟି ଘରର ମାଲିକ ପଞାବରେ ରହୁଥିବାରୁ ଘରର ଚାବି ସ୍ବପ୍ନଙ୍କ ପରିବାର ପାଖରେ ରହୁଥିଲା। ସ୍ବପ୍ନ ତାର ଗାଡିରେ ଅମ୍ରିତ ବାପାର ବ୍ଯବସାୟ ପାଇଁ ଜିନିଷ ନେବାଆଣିବା କରୁଥିବାରୁ ତାଙ୍କ ପାଖରେ ଅଧିକ ଟଙ୍କା ରହିଥିବା ଭାବି ଏହି କାଣ୍ଡ କରିଥିଲା । ତେବେ ଘଟଣା ପରେ ପୋଲିସ, ଗ୍ରାମବାସୀ ଅମ୍ରିତକୁ ଉଦ୍ଧାର ପାଈଁ ତତ୍ପର ହୋଇଯିବାରୁ ଅମ୍ରିତକୁ ବାହାରକୁ ନେଇପାରିନଥିଲେ। ୪ଦିନ ତାକୁ ହାତଗୋଡ ବାନ୍ଧି ଘରେ ରଖିଥିଲେ। ଦୁଇଭାଇ ତାକୁ ସବୁ ସମୟରେ ଜଗି ରହୁଥିଲେ। ତେବେ ଶେଷରେ ଯୋଜନାରେ ବିଫଳ ହେବାପରେ ୧୭ ତାରିଖ ରାତିରେ ତାକୁ ସେହି ଘରେ ଛାଡିଦେଇ ଚାଲିଯିବା ପରେ ୧୮ ତାରିଖ ସକାଳେ ଅମ୍ରିତ ଘରର ଗ୍ରିଲ୍ ଦେଇ ପାଟି କରିବାରୁ କିଛି ମହିଳା କବାଟ ଖୋଲି ତାକୁ ଉଦ୍ଧାର କରିଥିଲେ ।
ଗତକାଲି ଅଭିଯୁକ୍ତମାନଙ୍କୁ ନେଇ ସିନ୍ ରିକ୍ରିଏସନ କରି ପୋଲିସ ସେହି ଘରୁ ଅମ୍ରିତର ଜ୍ୟାକେଟ୍ , ଛୁରି, ଅମ୍ରିତକୁ ବନ୍ଧାଯାଇଥିବା ରଶି ଏବଂ କୂଅରୁ ଅମ୍ରିତର ବ୍ଯାଗ୍ ଜବତ କରିଛି । ସେହିପରି ଅସହରଣରେ ବ୍ଯବହୃତ ବୋଲେରୋ ଭ୍ଯାନକୁ ମଧ୍ଯ ପୋଲିସ ଜବତ କରିଛି । ଆଜି ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସ୍ ପି କହିଛନ୍ତି ।