Featuredଜାତୀୟଜୀବନଶୈଳୀ

ମୋବାଇଲ୍‍ ଓ ସୋସିଆଲ୍‍ ମିଡିଆକୁ କଲେ ନିଜର, ଫେରିଗଲେ ବାପଘର 

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ମୋବାଇଲଟିଏ ପାଇବା ପାଇଁ ପୂର୍ବେ ଲୋକେ ପାଗଳ ପ୍ରାୟ ହେଉଥିଲେ । ହେଲେ ସେହି ମୋବାଇଲ୍ ଏବେ ପ୍ରାୟ ଲୋକଙ୍କୁ ପାଗଳ କରିଦେଇଛି । ଏହି କଥାକୁ ଆପଣ ନିଶ୍ଚିତ ବିଚାର କରିବେ । ଏଭଳି ଅନେକ ମୋବାଇଲ୍ ପାଗଳ ଅଛନ୍ତି, ଯେଉଁମାନେ କି ମୋବାଇଲ୍ ଫୋନ୍ ହାତକୁ ଆସିଗଲା ମାତ୍ରେ   ପୃଥିବୀ ଛାଡ଼ି ଅନ୍ୟ କେଉଁ ଗ୍ରହରେ ବିଚରଣ କରିବା ଭଳି ମନେହୁଏ । ଆଉ ବର୍ତ୍ତମାନର ଯୁବପିଢି କଥା ଛାଡ଼ନ୍ତୁ ପ୍ରତ୍ୟେକ ବର୍ଗର ବ୍ୟକ୍ତିବିଶେଷ ଖାଇବା ପିଇବା, ପାଠସାଠ, ଖେଳକୁଦ ସାଙ୍ଗସାଥି ସବୁ କିଛି ଭୁଲି ଯାଉଛନ୍ତି । କିନ୍ତୁ ମୋବାଇଲ୍ ପାଇଁ କେହି ନିଜ ସ୍ୱାମୀଙ୍କୁ ଛାଡ଼ିବା କଥା ଶୁଣିଲେ ନିହାତି ଆଶ୍ଚର୍ଯ୍ୟର କଥା । କିନ୍ତୁ ଘଟଣା ଏକଦମ୍ ସତ । ବିବାହର ୧୫ ଦିନ ବି ପୂରି ନାହିଁ, ମୋବାଇଲ ଚଲାଇବା ପାଇଁ ସ୍ୱାମୀ ଏବଂ ଶ୍ୱଶୁର ଘର ଛାଡ଼ି ଚାଲିଯାଇଛନ୍ତି ନବ ବିବାହିତା ।

ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ବିହାରର ହାଜିପୁରରେ । ୧୪ ଦିନ ପୂର୍ବରୁ ହାଜିପୁରର ଲାଲଗଞ୍ଜ ପୁଲିସ୍ ଷ୍ଟେସନ୍ ଅଞ୍ଚଳରେ ରହୁଥିବା ଇଲିୟାସଙ୍କ ସହ ହାଜିପୁରର ବାସିନ୍ଦା ସବା ଖାତୁନଙ୍କ ବିବାହ ହୋଇଥିଲା । ବିବାହର ପ୍ରଥମ ଦିନରୁ ହିଁ ସବା ସବୁବେଳେ ଫୋନରେ ବ୍ୟସ୍ତ ରହୁଥିବା ବେଳେ ୨୪ ଘଣ୍ଟା ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିତାଉଥିଲେ । ସବାଙ୍କ ଏହିଭଳି ଆଚରଣ କାହାକୁ ବି ଭଲ ଲାଗୁ ନଥିଲା, ଏନେଇ ସ୍ୱାମୀ ଇଲିଆସ୍‍ ମଧ୍ୟ ତାଙ୍କୁ ବାରମ୍ବାର ଫୋନ୍ କମ୍ ବ୍ୟବହାର କରିବା ପାଇଁ କହୁଥିଲେ । ସ୍ୱାମୀଙ୍କ ଏହି ତାଗିଦ୍ ସବାଙ୍କୁ ଭଲ ଲାଗିନଥିଲା । ସେ ଏସମ୍ପର୍କରେ ତାଙ୍କ ମାଙ୍କୁ ଜଣାଇଥିଲେ । ଏହାପରେ ସବାଙ୍କ ମା , ଭାଇଙ୍କ ସମେତ ପୂରା ପରିବାର ତାଙ୍କ ଶ୍ୱଶୁର ଘରେ ପହଞ୍ଚିଯାଇଥିଲେ । ସବାଙ୍କ ମୋବାଇଲ ଚଲାଇବାକୁ ନେଇ ଉଭୟ ପରିବାର ଭିତରେ ଖୁବ୍ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ସବାଙ୍କ ଭାଇ ନିଜ ଭିଣୋଇଙ୍କ ମୁଣ୍ଡରେ ବନ୍ଧୁକ ମଧ୍ୟ ରଖିଦେଇଥିଲେ । ପରିରିସ୍ଥିତି ଏପରି ହୋଇଥିଲା ଯେ ଘଟଣା ଥାନାରେ ପହଞ୍ଚିଲା ।

ପୁଲିସ୍ ଆଗରେ ସବାଙ୍କ ମା ଅଭିଯୋଗ କରିଥିଲେ ଯେ ଝିଅର ଶ୍ୱଶୁର ଘର ଲୋକ ଝିଅ ଉପରେ ଅତ୍ୟାଚାର କରିବା ସହ ଫୋନ୍ ଛଡ଼ାଇ ନେଇଛନ୍ତି ଏବଂ ସେମାନଙ୍କ ସହ କଥା ହେଲେ ଖରାପ ବ୍ୟବହାର କରୁଛନ୍ତି । ସେପଟେ ଇଲିୟାସଙ୍କ ମା ଏହା ସମ୍ପୂର୍ଣ୍ଣ କଥା ମିଛ ବୋଲି କହିଛନ୍ତି । ପୁଲିସ୍ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ସବାଙ୍କ ଭାଇଙ୍କୁ ଗିରଫ କରିଥିଲା । ତେବେ ଏତେସବୁ ପରେ ବି ଫୋନ୍ ଛାଡ଼ି ନଥିଲେ ସବା । ତାଙ୍କ ପାଇଁ ନିଜ ପରିବାର ଏବଂ ସ୍ୱାମୀଙ୍କଠାରୁ ମୋବାଇଲ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା ଯେଉଁଥି ପାଇଁ ସେ ଶେଷରେ ଏହି ଫୋନ୍ ଚଲାଇବା ପାଇଁ ସ୍ୱାମୀ ଏବଂ ଶ୍ୱଶୁର ଘର ଛାଡ଼ି ବାପଘରକୁ ପଳାଇଲେ । ଏହି ଘଟଣା ଏବେ ଉକ୍ତ ଅଞ୍ଚଳରେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com