ଓଡ଼ିଶା

ରାଜ୍ୟ ରାଜନୀତିରେ ଝଡ଼: ସତ୍ୟବାଦୀକୁ କଂଗ୍ରେସ ଶୂନ୍ୟ କରିଦେଲେ ପ୍ରସାଦ

ପୁରୀ () ପୁରୀ ଜିଲ୍ଲାର କଂଗ୍ରେସ ଗଡ଼ କହିଲେ ସତ୍ୟବାଦୀକୁ ବୁଝାଉଥିଲା। ସତ୍ୟବାଦୀ କେବଳ ଜିଲ୍ଲାର ନୁହେଁ, ରାଜ୍ୟର ବି କ୍ଷମତାକେନ୍ଦ୍ର ଥିଲା। କିନ୍ତୁ ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ସତ୍ୟବାଦୀ ନିର୍ବାଚନମଣ୍ଡଳୀ କଂଗ୍ରେସ ଶୂନ୍ୟ ହୋଇପଡ଼ିବା କେବଳ ଜିଲ୍ଲା ରାଜନୀତିରେ ଚହଳ ପକାଇନି, ରାଜ୍ୟ ରାଜନୀତିରେ ବି ଝଡ଼ ସୃଷ୍ଟି କରିଛି। ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିପିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଭଳି କଂଗ୍ରେସର ଆଗଧାଡ଼ିରେ ନେତାଙ୍କ ଏହି ନିର୍ବାଚନମଣ୍ଡଳୀରୁ କଂଗ୍ରେସର ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀ ନ ହେବା, ଜିଲ୍ଲା ନେତୃତ୍ବଙ୍କୁ ଶକ୍ତ ଧକ୍କା ଦେଇଛି। ଏହାକୁ ନେଇ ବିରୋଧାଭାଷ ବି ମୁଣ୍ଡ ଟେକିଲାଣି। ଏଭଳି ସ୍ଥିତିରେ ପ୍ରସାଦ ସତରେ କଂଗ୍ରେସରେ ଅଛନ୍ତି ନା ଅନ୍ୟ କେଉଁ ଦଳରେ ପାଦ ଦେଇ ସାରିଲେଣି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

କଂଗ୍ରେସକୁ ସତ୍ୟବାଦୀକୁ ଆଣିବାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ବଳିଷ୍ଠ ଅବଦାନ ରହିଛି। ତାଙ୍କ ସମୟରେ ହିଁ ସୁଆଣ୍ଡୋରୁ କଂଗ୍ରେସର ପଦଧ୍ବନୀ ଆରମ୍ଭ ହୋଇଥିଲା। କାଦୁଆ ତାଙ୍କର କର୍ମକ୍ଷେତ୍ର ଥିଲା। ଏଣୁ କଂଗ୍ରେସ ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ ଅନେକ ଥର ବିଧାୟକ ପଦ ଅକ୍ତିଆର କରିଛି। ବିଜେଡି ସରକାରକୁ ଆସିବା ପରେ ସତ୍ୟବାଦୀ ନିର୍ବାଚନମଣ୍ଡଳୀ ସର୍ବଦା ପ୍ରଥମେ ଜନତାଦଳ ଓ ପରେ ବିଜେଡି ଏବଂ କଂଗ୍ରେସ ଭିତରେ ମୁହାଁମୁହିଁ ଟକ୍କର ହୋଇଆସିଛି। ଅସ୍ଥିର ରାଜନୀତି ଭିତରେ କେତେବେଳେ କଂଗ୍ରେସ କ୍ଷମତାକୁ ଆସିଛି ତ କେବେ ସ୍ବାଧୀନ ପ୍ରାର୍ଥୀ ଜିତିଛନ୍ତି। ଗତ ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେଡି ଏଠାରେ ଖାତା ଖୋଲିଥିଲା।ଏଣୁ ଆଜି ବି ଗାଁ ଗାଁରେ କଂଗ୍ରେସ କର୍ମୀ ଭର୍ତ୍ତି ହୋଇ ରହିଛନ୍ତି। କିନ୍ତୁ ଚଳିତ ତ୍ରିସ୍ତରୀୟ ନିର୍ବାଚନରେ କଂଗ୍ରେସ ଏଠାରୁ ପ୍ରାର୍ଥୀ ନ ଦେବା ନେତା, କର୍ମୀଙ୍କ ମହଲରେ ନିରାଶାଭାବ ଆଣିଦେଇଛି।

ସତ୍ୟବାଦୀ ନିର୍ବାଚନମଣ୍ଡଳୀ ସତ୍ୟବାଦୀ ଓ କଣାସ ବ୍ଲକ୍‌ର ୫୨ଟି ପଞ୍ଚାୟତ ନେଇ ଗଠିତ। ଜିଲ୍ଲା ପରିଷଦ ଜୋନ୍‌ ଉପରେ ନଜର ପକାଇଲେ, କଣାସ ବ୍ଲକ୍‌ରେ ତିନିଟି( ଜିଲ୍ଲା ପରିଷଦ ଜୋନ୍‌ ନମ୍ବର -୩, ୪, ଓ ୫) ଓ ସତ୍ୟବାଦୀରେ ତିନିଟି(ଜିଲ୍ଲା ପରିଷଦ ଜୋନ୍‌ ନମ୍ବର-୩୧, ୩୨ ଓ ୩୩), ଏଭଳି ୬ଟି ଜିଲ୍ଲା ପରିଷଦ ଜୋନ୍‌ ରହିଛି। ନାମାଙ୍କନ ଦାଖଲ ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ କେବଳ ୫ ନମ୍ବର ଜୋନ୍‌କୁ ଛାଡ଼ିଦେଲେ, ବାକି ୫ଟି ଜୋନ୍‌ରୁ କଂଗ୍ରେସରୁ ଜଣେ ବି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିନଥିଲେ। ୫ ନମ୍ବର ଜୋନ୍‌(କଣାସ-୩)ରୁ ପ୍ରାର୍ଥିପତ୍ର ଦାଖଲ କରିଥିବା ପ୍ରସନ୍ନ କୁମାର ପାଇକରାୟ ନାମାଙ୍କନର ଶେଷ ଦିନରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। କିନ୍ତୁ ଦଳୀୟ ଟିକେଟ୍‌ ଦେଇନଥିଲେ। ଆଜି ଦଳୀୟ ଟିକେଟ୍‌ ଦେବାକୁ ଯିବା ବେଳେ ପ୍ରଶାସନ ଏହାକୁ ଗ୍ରହଣ କରିନାହିଁ। ବିଳମ୍ବ ଯୋଗୁ ଏହା ଗ୍ରହଣ ହୋଇପାରିବନି ଓ ପ୍ରସନ୍ନ ଯଦି ଲଢ଼ିବେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ବୋଲି ପ୍ରଶାସନ ସ୍ପଷ୍ଟ କରିଛି। ଫଳରେ ସତ୍ୟବାଦୀ ନିର୍ବାଚନମଣ୍ଡଳୀର ‌ଏକମାତ୍ର ପ୍ରାର୍ଥୀ କଂଗ୍ରେସରୁ ଲଢ଼ିବା ନେଇ ଯେଉଁ ଆଶା ଥିଲା, ତାହା ବି ଧୂଳିସାତ୍‌ ହୋଇଯାଇଛି। ଏଥିପାଇଁ ସମସ୍ତେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ପ୍ରସାଦଙ୍କୁ ଦାୟୀ କରିଛନ୍ତି। କଂଗ୍ରେସ କେବଳ ସତ୍ୟବାଦୀ ନିର୍ବାଚନମଣ୍ଡଳୀ ନୁହେଁ, ପୂରା ଜିଲ୍ଲା କ୍ଷେତ୍ରରେ ପ୍ରସାଦ ସକ୍ରିୟ ହେବା ଆଶା କରୁଥିଲା। କିନ୍ତୁ ପ୍ରସାଦଙ୍କ ନିରବତା ସବୁକିଛି ବିଗାଡ଼ିଦେଇଛି। ଯେହେତୁ ପ୍ରସାଦଙ୍କ ଉପରେ ନିର୍ବାଚନମଣ୍ଡଳୀ ଦାୟିତ୍ବ ନ୍ୟସ୍ତ କରାଯାଇଥିଲା, ସେ ଜାଣିଶୁଣି ନିର୍ବାଚନମଣ୍ଡଳୀକୁ କଂଗ୍ରେସ ଶୂନ୍ୟ କରି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି। ତାଙ୍କ ସ୍ଥାଣୁତା ଓ ଦଳୀୟ ଟିକେଟ୍‌ ବାଣ୍ଟିବାକୁ ଶେଷ ମୁହୂର୍ତ୍ତରେ ପ୍ରତ୍ୟାଖ୍ୟାନ ଯୋଗୁ ଆଜି ଏଭଳି ସ୍ଥିତି ଠିଆ ହୋଇଛି ବୋଲି ଅଭିଯୋଗ କରିଛନ୍ତି।

ଏ ସଂପର୍କରେ ପୁରୀ ଜିଲ୍ଲା କଂଗ୍ରେସ ଉପସଭାପତି ବୀରେନ୍ଦ୍ର ଭୂଷଣ ହୋତା କହିଛନ୍ତି ଯେ କଂଗ୍ରେସର ଗଡ଼ ଭାବେ ପରିଚିତ ସତ୍ୟବାଦୀରୁ ଜଣେ ବି ପ୍ରାର୍ଥୀଙ୍କୁ ଜିଲ୍ଲା ପରିଷଦ ଛିଡ଼ା ନ କରାଯିବା ଆଦୌ ଗ୍ରହଣୀୟ ନୁହେଁ। ପ୍ରସାଦ ହରିଚନ୍ଦନଙ୍କ ଦାୟିତ୍ବହୀନତା ଯୋଗୁ ଆଜି ଏଭଳି ହୋଇଛି। କଂଗ୍ରେସ ହାଇକମାଣ୍ଡ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ଦରକାର। ପିସିସି ସଭାପତି ଏହି ତ୍ରୁଟିର ତଦନ୍ତ ନିର୍ଦ୍ଦେଶ ଦେବା ଦରକାର। ମୁଁ ଏ ସଂପର୍କରେ ଏଆଇସିସିରେ ଅଭିଯୋଗ କରିବି। ରାହୁଲ ଗାନ୍ଧୀ, ଚେଲା କୁମାର, ପିସିସି ସଭାପତିଙ୍କୁ ଲିଖିତ ଅଭିଯୋଗ କରିବି। ଯଦି ଏହାର କୌଣସି ଉତ୍ତର ନ ଆସେ, ତେବେ ଦଳତ୍ୟାଗ କରିବା ଭଳି ନିଷ୍ପତ୍ତି ନେବି ବୋଲି ଶ୍ରୀ ହୋତା କହିଛନ୍ତି। କଂଗ୍ରେସ ମୁଖପାତ୍ର ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି ଯେ ପ୍ରସାଦ ହରିଚନ୍ଦନଙ୍କ ଏହି ଭୁଲ ପାଇଁ କେବଳ ସତ୍ୟବାଦୀ ନୁହେଁ, ପୂରା ଜିଲ୍ଲା କଂଗ୍ରେସ ନେତୃତ୍ବକୁ ଏହା ପ୍ରଭାବିତ କରିଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଦରକାର। କାହିଁକି ଜିଲ୍ଲା ପରିଷଦ ଜୋନ୍‌ରେ ପ୍ରାର୍ଥୀ ଦିଆଗଲାନି, ପ୍ରସାଦ ହରିଚନ୍ଦନ ତା’ର ଉତ୍ତର ରଖିବା ଦରକାର ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ପଞ୍ଚାୟତ ନିର୍ବାଚନ ବେଳେ ପ୍ରସ‌ାଦ ହରିଚନ୍ଦନ ପିସିସି ସଭାପତି ଦାୟିତ୍ବରେ ଥିଲେ। ମାତ୍ର ସେ ତାଙ୍କ ନିଜ ପାଣ୍ଡିଆକେରା ପଞ୍ଚାୟତର ନାନକେରା ଗାଁ ବୁଥ୍‌ରେ ପହଞ୍ଚିବା ବେଳକୁ ଭୋଟ୍‌ ଦେବା ସମୟ ଗଡ଼ିଯାଇଥିଲା। ତେଣୁ ପ୍ରସାଦ ସେତେବେଳେ ଭୋଟ୍‌ ଦେଇପାରି ନଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com