ଅନ୍ୟାନ୍ୟ

B.S.K.Y ରେ ଠକାମି ଉପରେ କଡ଼ା ନଜର ରଖ : ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର, ୧୨/୦୧/୨୦୨୩ –    ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟନ୍ଵୟନ ନାମରେ କୈାଣସି ପ୍ରକାର ଜାଲିଆତି ବା ଠକାମିର ସମ୍ଭାବନା ଉପରେ କଡ଼ା ନଜର ରଖିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଶାଲିନୀ ପଣ୍ଡିତ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ କାର୍ଯ୍ୟରତ B.S.K.Y. ଟିମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଠକାମି ବିରୁଦ୍ଧରେ କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ୍ ଆଇନ ଏବଂ B.S.K.Y. ପ୍ରବର୍ତ୍ତନ ବ୍ୟବସ୍ଥା ଅନୁସାରେ ଏପରି ଠକମାନଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ସ୍ବାସ୍ଥ୍ୟ ସଚିବ କହିଛନ୍ତି ଯେ “ରାଜ୍ୟବାସୀଙ୍କୁ ସାର୍ବଜନୀନ ଗୁଣାତ୍ମକ ଚିକିତ୍ସା ଯୋଗାଇବା ପାଇଁ ରାଜ୍ୟ ସରକାର ବଦ୍ଧ ପରିକର । ଏଥିପାଇଁ ଉପଯୁକ୍ତ ଆର୍ଥିକ ଓ ପ୍ରଶାସନ ବ୍ୟବସ୍ଥା ସହ B.S.K.Y. ଯୋଜନା ଚାଲୁରହିଛି । ଲୋକଙ୍କ ସ୍ବାସ୍ଥ୍ୟ ସେବା ପାଇଁ କରାଯାଇଥିବା ସୁବିଧାର ଅପବ୍ୟବହାର ବା B.S.K.Y. ନାମରେ ଠକେଇକୁ କୈାଣସି ସ୍ଥିତିରେ ବରଦାସ୍ତ କରାଯିବ ନାହିଁ, ଦୃଢ଼ ଓ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ”

କାର୍ଡ଼ ବିଷୟରେ କୈାଣସି ସନ୍ଦେହ ବା ପ୍ରଶ୍ନ ଥିଲେ ସିଧାସଳଖ ଟୋଲ-ଫ୍ରୀ ନମ୍ବର ବା ଜିଲ୍ଲା ସଂଯୋଜକଙ୍କ ସହ ଯୋଗଯୋଗ କରିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲା ସଂଯୋଜକମାନେ ସାଧାରଣତଃ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ କର୍ତ୍ତବ୍ୟରତ ଥାଆନ୍ତି । ସ୍ୱାସ୍ଥ୍ୟମିତ୍ରମାନେ ସାଧାରଣତଃ ବି.ଏସ୍.କେ.ୱାଇ. ତାଲିକାଭୁକ୍ତ ଘରୋଇ ହସ୍ପିଟାଲ ମାନଙ୍କରେ ବି.ଏସ୍.କେ.ୱାଇ. କାଉଣ୍ଟର ଠାରେ ଉପସ୍ଥିତ ରହି ସେବା ଯୋଗାଇ ଥାଆନ୍ତି ।

ଯେଉଁ ପରିବାରଙ୍କର B.S.K.Y ସ୍ମାର୍ଟକାର୍ଡ଼ ଅଛି ବା ଯେଉଁମାନେ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ସେମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ପାଇଁ ଯୋଗ୍ୟ । କାର୍ଡ଼ ସମ୍ବନ୍ଧିତ କୈାଣସି ସନ୍ଦେହ ବିଷୟରେ ୧୫୫୩୬୯ ଟୋଲ-ଫ୍ରୀ ନମ୍ବରକୁ ସିଧାସଳଖ ଜଣାଇଲେ ତାହାର ସଠିକ ସମାଧାନ ଦେବ । ଲୋକମାନେ ଦେୟମୁକ୍ତ ଚିକିତ୍ସା ପାଇଁ ପସନ୍ଦ ଅନୁସାରେ ତାଲିକାଭୁକ୍ତ ହସପିଟାଲକୁ ଯିବା ପୂର୍ବରୁ ମଧ୍ୟ ୧୦୪ ନମ୍ବର ମାଧ୍ୟମରେ ପ୍ରାକ୍- ଯୋଗଯୋଗ କରି ବୁଝିପାରିବେ । ନହେଲେ ଜରୁରୀ ସ୍ଥିତିରେ ସିଧା ସଳଖ ହସ୍ପିଟାଲରେ ପହଂଚି ସ୍ବାସ୍ଥ୍ୟମିତ୍ରଙ୍କ ସହାୟତା ନେଇପାରିବେ । B.S.K.Y. ବାବଦରେ ନିଜର ଅଭିଯୋଗ ବା ପ୍ରଶ୍ନ ୧୪୫୪୫ କୁ ଜଣାଇ ପାରିବେ ।

ଏହାଛଡ଼ା, ଟ୍ୱିଟର ଆକାଉଣ୍ଟ @bskyodisha ବା ଫେସବୁକ୍ ଆକାଉଣ୍ଟ bskyodisha ମାଧ୍ୟମରେ ବି କାର୍ଡ଼ଧାରୀମାନେ ନିଜର ଅଭିଯୋଗ ଓ ମତାମତ ଜଣାଇ ପାରିବେ । ଏହି ସବୁ ନାଗରିକ-କୈନ୍ଦ୍ରୀକ ଯୋଗାଯୋଗ ପଏଣ୍ଟ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ବି.ଏସ୍.କେ.ୱାଇ. ଟିମକୁ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com