ସରକାରୀ ବିଦ୍ୟାଳୟରେ ବଢ଼ୁଛି ନାମଲେଖା
![STUDY](https://i0.wp.com/odia.mobilenews24x7.com/wp-content/uploads/2023/01/STUDY-I-e1674120213667.jpg?resize=780%2C470&ssl=1)
ଭୁବନେଶ୍ୱର, ୧୯/୦୧/୨୦୨୩ – ସରକାରୀ ବିଦ୍ୟାଳୟ ପ୍ରତି ବଢ଼ୁଛି ଅଭିଭାବକମାନଙ୍କ ଆଗ୍ରହ । ଏପରି ଏକ ତଥ୍ୟ ‘ଆନୁଆଲ ଷ୍ଟାଟସ ଏଜୁକେଶନ ରିପୋର୍ଟ ବା ASER – ୨୦୨୨’ ରୁ ସାମ୍ନାକୁ ଆସିଛି । ASER ଦ୍ୱାରା କରାଯାଇଥିବା ସର୍ଭେରେ ଓଡ଼ିଶାରେ ୨୦୧୮ ମସିହାରେ ୬ ବର୍ଷରୁ ୧୪ ବର୍ଷ ବୟସ ମଧ୍ୟରେ ସରକାରୀ ବିଦ୍ୟାଳୟଗୁଡିକରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୮୮.୦ ପ୍ରତିଶତ ଥିଲା । ହେଲେ ୨୦୨୨ରେ ଏହି ସଂଖ୍ୟା ବୃଦ୍ଧିପାଇ ୯୨.୧ ପ୍ରତିଶତରେ ପହଞ୍ଚିଛି ।
ସେହିପରି ଅଙ୍ଗନୱାଡି କେନ୍ଦ୍ରରେ ୨୦୧୮ରେ ୩ ବର୍ଷ ବୟସର ପିଲାଙ୍କ ସଂଖ୍ୟା ୯୦.୩ ପ୍ରତିଶତ ଥିଲାବେଳେ ୨୦୨୨ରେ ଏହା ବୃଦ୍ଧିପାଇ ୯୪.୪ ପ୍ରତିଶତରେ ପହଞ୍ଚିଛି । ୪ ବର୍ଷର ପିଲାମାନଙ୍କ ନାମଲେଖାରେ ମଧ୍ୟ ୬ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୮ରେ ୮୭.୩ ପ୍ରତିଶତ ଥିଲାବେଳେ ୨୦୨୨ରେ ଏହା ୯୩.୧ ପ୍ରତିଶତରେ ପହଞ୍ଚିଛି । ରାଜ୍ୟର ୩୦ଟି ଜିଲ୍ଲାର ୯୦୦ଟି ଗ୍ରାମରେ ୩ ରୁ ୧୬ ବର୍ଷ ବୟସର ୨୮ ହଜାର ୭୮୦ ପିଲାମାନଙ୍କୁ ନେଇ ଏହି ସର୍ଭେ କରା ଯାଇଥିଲା ।
ତେବେ ଏହାର କାରଣ ଭାବେ ‘ତାଲା ବନ୍ଦ’ କାରଣରୁ ଦୂର ସ୍ଥାନରୁ ନିଜ ଘରକୁ ଫେରିବା ପରେ ଆଉଥରେ ନ ଫେରିବା, କୋଭିଡ ସମୟରେ ଆର୍ଥିକ ସଙ୍କଟ ଏବଂ ସରକାରୀ ବିଦ୍ୟାଳୟରେ ମିଳୁଥିବା ମାଗଣା ସୁବିଧା ଅଭିଭାବକଙ୍କୁ ସରକାରୀ ବିଦ୍ୟାଳୟରେ ପିଲାଙ୍କୁ ପଢାଇବାକୁ ଉତ୍ସାହ ଯୋଗାଉଛି ବୋଲି କୁହାଯାଇଛି ।