Featuredଓଡ଼ିଶାରାଜନୀତିସ୍ୱାସ୍ଥ୍ୟ

ବିଏସକେୱାଇ ସମୀକ୍ଷା କଲେ ସ୍ୱାସ୍ଥ୍ୟ ସଚିବ; ସଚେତନତା ବୃଦ୍ଧି ସହିତ ଅଭିଯୋଗ ସମାଧାନ ଉପରେ ଗୁରୁତ୍ୱାରୋପ

ଭୁବନେଶ୍ବର : ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ ଆଜି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଟିମର କାର୍ଯ୍ୟ ସମୀକ୍ଷା କରି କ୍ଷେତ୍ର ସ୍ତରରେ ସଚେତନତା ବୃଦ୍ଧି ଏବଂ ଲୋକମାନଙ୍କଠାରୁ ମିଳୁଥିବା ଅଭିଯୋଗ ଗୁଡ଼ିକର ସମୟାନୁବନ୍ଧିତ ସମାଧାନ ଉପରେ ଗୁରୁତ୍ଵ ଆରୋପ କରିଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ସେବା ପ୍ରତିଶୃତି ସୋସାଇଟି ସଭାଗୃହଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ାକ୍ତର ବୃନ୍ଦା ଡ଼ି. ଯୋଜନା କାର୍ଯ୍ୟନ୍ବୟନର ପ୍ରଶାସନିକ ଓ ବୈଷୟିକ ଦିଗ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

କାର୍ଯ୍ୟନ୍ବୟନର ବିଭିନ୍ନ ଦିଗ ସମୀକ୍ଷାକରି ବି.ଏସ.କେ.ୱାଇ. ବିଷୟରେ ସଘନ କ୍ଷେତ୍ରସ୍ତରୀୟ ଜନ-କୈନ୍ଦ୍ରିକ ସଚେତନତା କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ନିମନ୍ତେ ଶ୍ରୀମତୀ ପଣ୍ଡିତ ନିର୍ଦେଶ ଦେଇଥିଲେ । ୧୦୪ (କଲ୍ ସେଣ୍ଟର) ୧୫୫୩୬୯ (ସ୍ମାର୍ଟ କାର୍ଡ ବ୍ୟବହାର ସମ୍ବନ୍ଧିତ ସମସ୍ୟା), ମୋ ସରକାର ବ୍ୟବସ୍ଥା, ଟ୍ବିଟର ଓ ଫେସବୁକ୍ ଆଦି ସୋସିଆଲ୍ ମେଡ଼ିଆ ମାଧ୍ୟମରେ ସଂଗ୍ରହ କରାଯାଉଥିବା ଲୋକମାନଙ୍କର ଅଭିଯୋଗ ଏବଂ ମତାମତ ଆଦି ବିଷୟରେ ଶତ ପ୍ରତିଶତ ସମୟାନୁବନ୍ଧିତ ସମାଧାନ କରିବାପାଇଁ ଶ୍ରୀମତୀ ପଣ୍ଡିତ ବି.ଏସ.କେ.ୱାଇ ଟିମକୁ ନିର୍ଦେଶ ଦେଇଥିଲେ ।

ସମୀକ୍ଷାରୁ ଜଣାପଡ଼ିଥିଲା ଯେ ବିଭିନ୍ନ ସୁତ୍ରରୁ ବର୍ତ୍ତମାନ ସୁଦ୍ଧା ମିଳିଥିବା ଅଭିଯୋଗର ପ୍ରାୟ ଶତକଡ଼ା ୯୫ ଭାଗ ବିଷୟରେ ଉପଯୁକ୍ତ ପଦକ୍ଷେପ ନିଆଯାଇ ସମାଧାନ କରାଯାଇଛି । ବି.ଏସ.କେ.ୱାଇ. କାର୍ଯ୍ୟନ୍ବୟନ ଅନୁସାରେ ଅନୁବନ୍ଧିତ ହସ୍ପିଟାଲମାନଙ୍କର ବର୍ଗୀକରଣ ବିଷୟ ବୈଠକର ଆଲୋଚନାରେ ସ୍ଥାନ ପାଇଥିଲା । ଉଭୟ ରାଜ୍ୟ ଭିତର ଏବଂ ଅନ୍ୟରାଜ୍ୟର ଅନୁବନ୍ଧିତ ହସ୍ପିଟାଲମାନଙ୍କୁ ଏଥିରେ ସାମିଲ କରାଯିବ । ସବିଶେଷ ଆଲୋଚନା ମାଧ୍ୟମରେ ବର୍ଗୀକରଣ ଭିତ୍ତି ଏବଂ ମାନକ ବିଷୟ ନିର୍ଣ୍ଙୟ କରାଯାଇଥିଲା । ସମୁଦାୟ ୭ ଟି ବର୍ଗରେ ରୋଗୀମାନଙ୍କର ସନ୍ତୋଷ ସ୍ତରକୁ ମୁଖ୍ୟ ମାନଦଣ୍ଡରୂପେ ନିଆଯାଇ ହସ୍ପିଟାଲମାନଙ୍କୁ ସ୍ତରୀକରଣ କରାଯିବ । ଅନୁବନ୍ଧିତ ହସ୍ପିଟାଲମାନଙ୍କରେ ବି.ଏସ.କେ.ୱାଇ. ବୋର୍ଡ଼ ସୁଦୃଶ୍ୟ ସ୍ଥାନରେ ଲଗାଇବା, ବି.ଏସ.କେ.ୱାଇ. କାଉଣ୍ଟର ଲୋକମାନଙ୍କ ପାଇଁ ସୁବିଧା ଜନକ ସ୍ଥାନରେ ସ୍ଥାପିତ କାରିବା ଆଦି ଉପରେ ଅଧ୍ୟକ୍ଷ ଶ୍ରୀମତୀ ପଣ୍ଡିତ ଗୁରୁତ୍ଵ ଆରୋପ କରିଥିଲେ ।

ସୋସାଇଟି ଅଫିସରେ ଇଣ୍ଟରନେଟ୍ ସ୍ପିଡ୍, ଓସ୍ବାସ୍ କାର୍ଯ୍ୟକାରିତା, ମାନବ ସମ୍ବଳ ଅବିବୃଦ୍ଧି, ସ୍ବାସ୍ଥ୍ୟ କର୍ମୀମାନଙ୍କ ପାଇଁ ୟୁନିଫର୍ମ ଆପ୍ରୋନ୍, ବି.ଏସ.କେ.ୱାଇ. ସଫଟୱୋୟାର ନବୀକରଣ, ଅନଲାଇନ୍ ବିଲ ଓ ଦସ୍ତାବିଜ୍ ଦାଖଲ, ସେ ସବୁରେ ସଠିକ୍ ତନଖି ଏବଂ ଅନୁମୋଦନ ଆଦି ବିଷୟରେ ଥିବା ସମସ୍ୟା ଗୁଡ଼ିକର ଆଶୁ ସମାଧାନ ପନ୍ଥା ନିର୍ଦାରଣ କାରଯାଇଥିଲା । ପ୍ରତି ସମାଧାନର କ୍ଷେତ୍ରାୟନ ପାଇଁ ଶ୍ରୀମତୀ ପଣ୍ଡିତ ସମୟ-ନିର୍ଘଣ୍ଟ ନିର୍ଦାରଣ କରିଥିଲେ । ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ାକ୍ତର ବୃନ୍ଦା ଡ଼ି., ଅତିରିକ୍ତ ଶାସନ ସଚିବ ତଥା ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଭାନନ୍ଦ ମହାପାତ୍ରଙ୍କ ସମେତ ସୋସାଇଟିର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com