Featuredଓଡ଼ିଶା

କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ଓ ହସ୍‌ପିଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ,୪୭୦୩ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁଝର ଗସ୍ତ କରି ସେଠାରେ ନବନିର୍ମିତ ଧରଣୀଧର ମେଡିକାଲ କଲେଜ ଓ ହସ୍‌ପିଟାଲର ଲୋକାର୍ପଣ କରିଛନ୍ତି। ହଜାର ହଜାର ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ଆନନ୍ଦ ଉଲ୍ଲାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ।

ଏହାପରେ ଧରଣୀଧର କଲେଜକୁ ମୁଖ୍ୟମନ୍ତ୍ରୀ ବିଶ୍ବବିଦ୍ୟାଳୟ ମାନ୍ୟତା ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ସ୍ବୟଂ ଏହି ମାନ୍ୟତା ପତ୍ର ପିଲାମାନଙ୍କୁ ଦେବାକୁ ଚାହାନ୍ତି ବୋଲି ପାଣ୍ଡିଆନ ପ୍ରକାଶ କରିଥିଲେ। ଆନନ୍ଦ, ଉଲ୍ଲାସ ମଧ୍ୟରେ ଛାତ୍ରଛ୍ରତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ବିଶ୍ବବିଦ୍ୟାଳୟ ମାନ୍ୟତାର ନିର୍ଦ୍ଦେଶନାମା ଦେଖାଇଥିଲେ ।

କେନ୍ଦୁଝରରେ ମେଡିକାଲ କଲେଜ ସହ ଏକ କ୍ୟାନସର ଚିକିତ୍ସା କେନ୍ଦ୍ର ଓ ନର୍ସିଂ କଲେଜ ପାଇଁ ଭିତ୍ତିଭୂମି ଦିଆଯାଇଛି ଏବଂ ଏହା ଖୁବଶୀଘ୍ର ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାଦ୍ବାରା ଡାକ୍ତର ଅଭାବ ଦୂର ହେବା ସହିତ ଜିଲ୍ଲାରେ ଉନ୍ନତମାନର ଚିକିତ୍ସା ସୁବିଧା ମିଳିପାରିବ ଏବଂ ଜିଲ୍ଲାବାସୀ ଆଉ କଟକ-ଭୁବନେଶ୍ବର ଯାଇ ହଇରାଣ ହେବାକୁ ପଡିବ ନାହିଁ ।

ସବୁ ଜୀବନ ମୋ ପାଇଁ ମୂଲ୍ୟବାନ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ନୀତିରେ ରାଜ୍ୟର ସ୍ବାସ୍ଥ୍ୟସେବାର ବିକାଶ କରାଯାଉଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାରା ରାଜ୍ୟରେ ୮ ଲକ୍ଷ ୩୦ ହଜାର ୭୭୩ ଲୋକ ଉପକୃତ ହୋଇଥିବା ବେଳେ ଏଥିପାଇଁ ୧୮୨୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି । କେବଳ କେନ୍ଦୁଝରରେ ୨୪ ହଜାର ଲୋକ ଉପକାର ପାଇଛନ୍ତି ଏବଂ ୪୭ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ପାଇଁ ୪୭୦୩ କୋଟି ଟଙ୍କାର ୨୫୯ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ୧୧୦୩ କୋଟି ଟଙ୍କାର ୧୩୮ଟି ପ୍ରକଳ୍ପ ପାଇଁ ଭିତ୍ତିଭୂମି ଦିଆଯାଇଥିବା ବେଳେ, ୮୬୮ କୋଟି ଟଙ୍କାର ୯୮ଟି ପ୍ରକଳ୍ପ ଉଦ୍‌ଘାଟନ କରାଯାଇଥିଲା ଏବଂ ୨୭୩୧ କୋଟି ଟଙ୍କାର ୨୩ଟି ନୂଆ ପ୍ରକଳ୍ପ ପାଇଁ ଘୋଷଣା ରହିଛି ।

ଜିଲ୍ଲାରେ ୧୪,୩୭୨ ମିଶନ ଶକ୍ତି ଗୋଷ୍ଠୀ ଜରିଆରେ ୧.୬୦ ଲକ୍ଷ ମହିଳା ସ୍ବାବଲମ୍ବୀ ହୋଇପାରିଛନ୍ତି । ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୩୭୮ କୋଟି ଟଙ୍କାର ସୁଧବିହୀନ ଋଣ ପ୍ରଦାନ ବ୍ୟବସ୍ଥା କରାଯାଇଛି । ବାଂଶପାଳର ବଣପୁଷ୍ପ ସ୍ବୟଂ ସହାୟକ ଗୋଷ୍ଠୀକୁ ମୁଖ୍ୟମନ୍ତ୍ରୀ ୨୦ ଲକ୍ଷ ଟଙ୍କାର ଋଣ ଚେକ୍‌ ଆକାରରେ ପ୍ରଦାନ କରିଥିଲେ ଏବଂ ଘଷିପୁରାର ବିଜୟା ସ୍ବୟଂ ସହାୟକ ଗୋଷ୍ଠୀକୁ ୨୫,୭୫୭ ଟଙ୍କାର ସୁଧ ରିହାତି ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତିର ମା ମାନେ ରାଜ୍ୟର ସୁନାମ ବୃଦ୍ଧି କରିଛନ୍ତି । ସେମାନଙ୍କୁ ଉଦ୍ୟୋଗୀ କରିବା ମୋର ଲକ୍ଷ୍ୟ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ଯେ ଏହି ଅର୍ଥରେ ସେମାନେ ଭଲ ବିଜିନେସ୍‌ କରି ନିଜର, ନିଜ ପରିବାରର ଓ ନିଜ ଅଞ୍ଚଳର ଆର୍ଥିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଅବଦାନ ରଖିବେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ, ମହିଳା ଓ ଯୁବସମାଜ ଆମ ରାଜ୍ୟର ତ୍ରିଶକ୍ତି । ଏମାନେ ହିଁ ଆମ ରାଜ୍ୟର ପ୍ରଗତୀର ସାରଥୀ ଏବଂ ଏକ ବିକଶିତ ଓଡିଶାର ସ୍ବପ୍ନକୁ ପୂରଣ କରିବାରେ ଏହି ତ୍ରିଶକ୍ତି ହିଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ । ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ନୂଆ ମେଡିକାଲ କଲେଜର ଅଡିଟୋରିଅମରେ ଛାତ୍ରଛାତ୍ରୀ ମାନଙ୍କ ସହ ଭାବ ଆଦାନପ୍ରଦାନ କରିଥିଲେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com