Featuredଓଡ଼ିଶାରାଜନୀତି

କୋଭିଡ ସମୟର ରିଲିଫ୍ ଚାଉଳକୁ ନେଇ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ବନ୍ଦ କରୁ ବିଜେଡି: ଗୋଲକ ମହାପାତ୍ର

ଭୁବନେଶ୍ୱର: ନିଜେ କରିଥିବା ଦୋଷ ଓ ପାପକୁ ଅନ୍ୟ ମୁଣ୍ଡରେ ଲଦି ଦେଇ ଓଡିଶାବାସୀଙ୍କୁ ବାରମ୍ବାର ପ୍ରତାରିତ କରିଚାଲିଛି ଶାସକ ବିଜୁ ଜନତା ଦଳ । ନିଜେ କରୁଥିବା ଚଂଚକତା, ଦୁର୍ନୀତି, ଭ୍ରଷ୍ଟାଚାରର ଅଠା ଅନ୍ୟ ମୁଣ୍ଡରେ ପୋଛି ଦେବାରେ ଓସ୍ତାଦ ଶାସକ ବିଜେଡି । ସଂଘୀୟ ବ୍ୟବସ୍ଥାର ସମସ୍ତ ନୀତି ଓ ନିୟମକୁ ଜଳାଞ୍ଜଳୀ ଦେଇ ଗରୀବଙ୍କ ପେଟରେ ଲାତ ମାରିବାକୁ ପଛାଉ ନଥିବା ଭୋଟ ସର୍ବସ୍ୱ ଶାସକ ବିଜେଡି ଅଗଣିତ ରାଜ୍ୟବାସିଙ୍କୁ ଆଉ କେତେ ଦିନ ପ୍ରତାରିତ କରିବ ବୋଲି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମହାପାତ୍ର କହିଛନ୍ତି ଯେ, ଚାଉଳକୁ ଆୟୁଧ କରି ବିଜେଡି ୨-୨ ଥର ନିର୍ବାଚନ ବୈତରଣୀ ପାରହୋଇଛି । ୨୦୦୯-୧୪ ମସିହା ପର୍ଯ୍ୟନ୍ତ କେନ୍ଦ୍ର ସରକାର ରାଜ୍ୟର ୩୬ଲକ୍ଷ ବିପିଏଲ ପରିବାରଙ୍କୁ ୩୫ କେଜି ଲେଖାଏଁ ଚାଉଳ ଦେଉଥିଲେ, କିନ୍ତୁ ଗରୀବଙ୍କ ପେଟରେ ଲାତ ମାରି ୧୦ କେଜି ଚାଉଳ କାଟି ୨୫ କେଜି ଦେଉଥିବା ସରକାର ହେଉଛି ବିଜେଡି ସରକାର । ଏହି ୫ ବର୍ଷରେ ବିପିଏଲ ଗରୀବଙ୍କ ପାଇଁ ଥିବା ୨୨ ଲକ୍ଷ ମେଟ୍ରିକ ଟନ୍ ଚାଉଳକୁ ହଡପ୍ କଲା କିଏ ? ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବଳରେ ରାଜ୍ୟର ସମସ୍ତ ୩.୨୫ କୋଟି ଲୋକଙ୍କୁ ୫ କେଜି ଚାଉଳ ମାତ୍ର ଟଙ୍କାକରେ ଯୋଗାଇ ଦେଲେ । ଏଥିରେ ରାଜ୍ୟ ସରକାରଙ୍କ ଅବଦାନ ୨ ଟଙ୍କା ହୋଇଥିବାବେଳେ ଅବଶିଷ୍ଟ ୨୮ ଟଙ୍କା କେନ୍ଦ୍ର ସରକାର ନିଜେ ବହନ କରୁଥିଲେ । ଏହି ସମୟରେ ଚଂଚକତାରେ ଧୁରନ୍ଦର ବିଜେଡି ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ବଳରେ ମାଗଣାରେ ୫ କେଜି ଚାଉଳ ଯୋଗାଇ ଦେବେ ବୋଲି ଘୋଷଣା କରି ପ୍ରଥମେ ହାଇକୋର୍ଟରେ ୩୪ ଲକ୍ଷ ଲୋକଙ୍କୁ ଦେବେ ବୋଲି ସତ୍ୟପାଠ କରିଥିବାବେଳେ ପରବର୍ତୀ ସମୟରେ ପ୍ରଚାର ପତ୍ର ଓ ବିଜ୍ଞାପନ ଜରିଆରେ ୨୫ ଲକ୍ଷ ଏବଂ ପରେ ବିଧାନସଭାରେ ୮ ଲକ୍ଷ ଲୋକଙ୍କୁ ଚାଉଳ ଯୋଗାଉଛୁ ବୋଲି କହିଲେ । ବର୍ତମାନ ତାହା ମଧ୍ୟ ମିଳୁ ନାହିଁ ବୋଲି ମହାପାତ୍ର କହିଛନ୍ତି ।

୨୦୧୪ମସିହାରେ ଭାରତ ସରକାର ଓଡ଼ିଶାରୁ ମାତ୍ର ୩୦ଲକ୍ଷ ମେଟ୍ରିକ ଟନ୍ ଧାନ କିଣୁଥିବାବେଳେ ୨୦୨୧-୨୨ରେ ୭୫ମେଟ୍ରିକ ଟନ୍ ଧାନ କିଣୁଛନ୍ତି । ବୈଶ୍ୱିକ ମହାମାରୀ କରୋନା ସଂକଟ ସମୟରେ ସ୍ୱତନ୍ତ୍ର ରିଲିଫ ଭାବେ ଦେଶର ୮୦ କୋଟି ଲୋକଙ୍କୁ ମାଗଣାରେ ୫ କେଜି ଚାଉଳ ସହିତ ୧ କେଜି ଡାଲି ଯୋଗାଇ ଦେଲେ ମୋଦି ସରକାର । ଏଥିରେ ଓଡିଶାର ୩.୨୫ କୋଟି ଲୋକ ମଧ୍ୟ ଉପକୃତ ହେଲେ । କରୋନା ସଂକଟ ଆରମ୍ଭରୁ ସମାପ୍ତ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ହିତାଧିକାରୀ ସର୍ବମୋଟ ୧୦ କେଜି ଚାଉଳ ଏବଂ ୧ କେଜି ଡାଲି ପାଇଲେ । ଏହାକୁ ମଧ୍ୟ ବିଜେଡି ସରକାର “ଆମେ ଦେଉଛୁ” ବୋଲି ମିଛ ପ୍ରଚାର କରି ପ୍ରତାରିତ କଲେ । “ଚୋର ଘର ସବୁ ଦିନ ଅନ୍ଧାର ନଥାଏ” । କରୋନା ଶେଷ ହେବା ପରେ ସ୍ୱତନ୍ତ୍ର ଭାବେ ମିଳୁଥିବା ମାଗଣା ରିଲିଫ୍ ଚାଉଳ ବନ୍ଦ ହେଲା ଏବଂ ଐତିହାସିକ ନିଷ୍ପତିକ୍ରମେ ମୋଦି ସରକାର ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ମିଳୁଥିବା ଚାଉଳକୁ ସଂପୂର୍ଣ୍ଣ ମାଗଣା କରିଦେଲେ । ବର୍ତମାନ ଚାଉଳ କେଜି ପ୍ରତି ୩୭.୨୮ ଟଙ୍କା ସମେତ ଏଥି ପାଇଁ ସମସ୍ତ ପରିବହନ ଓ ଆନୁସଙ୍ଗିକ ଖର୍ଚ୍ଚକୁ କେନ୍ଦ୍ର ସରକାର ବହନ କରିବେ ବୋଲି ମୋଦିଜୀ ଘୋଷଣା କରିଛନ୍ତି ।

ବାସ୍ତବରେ ଶାସକ ବିଜେଡି ଅତୀତରେ କରୋନା ପୂର୍ବରୁ ନା କରୋନା ପରେ କେବେହେଲେ ଚାଉଳ ଦେଉନଥିଲା । ମାତ୍ର ୨ ଟଙ୍କା ଦେଇ ୧୦ କେଜି ଚାଉଳ ଏବଂ ୧ କେଜି ଡାଲି ଦେଉଥିବାର ମିଛ ରାଜ୍ୟବାସୀଙ୍କ ସମ୍ମୁଖରେ ଧରା ପଡିବା ପରେ ଶାସକ ବିଜେଡି ଔଷଧ ବିକଳରେ ତାଟିଆ କାମୁଡୁଛି । କୋଭିଡ ସମୟରେ ଦିଆଯାଉଥିବା ରିଲିଫ୍ ଚାଉଳକୁ ନେଇ ଜନସାଧାରନଙ୍କୁ ବିଭ୍ରାନ୍ତ କରିବା ଶାସକ ବିଜେଡି ବନ୍ଦ କରୁ ବୋଲି ମହାପାତ୍ର କହିଛନ୍ତି ।

ମହାମାରୀ କରୋନା ସମୟରେ ମୋଦୀ ସରକାର ୮୫ଲକ୍ଷ ମହିଳା ଜନଧନ ହିତାଧିକାରୀଙ୍କୁ ୧୫ଶହ ଟଙ୍କା, ୨୧ଲକ୍ଷ ବୃଦ୍ଧ ଓ ବୃଦ୍ଧା, ଦିବ୍ୟାଙ୍ଗମାନଙ୍କୁ ୧୦୦୦ଟଙ୍କା ଦେଉଥିଲେ । ୨୮ଲକ୍ଷ ପ୍ରଧାନମନ୍ତ୍ରୀ କିଷାନ ହିତାଧିକାରୀଙ୍କୁ ୨୦୦୦ଟଙ୍କା, ୨୧ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୫ଶହ, ୬୯ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ୩ଟି ସିଲିଣ୍ଡର ମାଗଣା, ୩୩ହଜାର ଉଠା ଦୋକାନୀମାନଙ୍କୁ ୩୩କୋଟି ଟଙ୍କାର ସହାୟତା, ୫ଲକ୍ଷ ଶ୍ରମିକଙ୍କୁ ୧୯କୋଟି ଶ୍ରମ ଦିବସ ଦେଇଥିଲେ । ଓଡ଼ିଶାରେ ୧୨୫ ଅକ୍ସିଜେନ କନସେନଟେଂଟ, ୧୫ଶହ ଅକ୍ସିଜେନ ସିଲିଣ୍ଡର, ୩ଟି ଅକ୍ସିଜେନ ଟ୍ୟାଙ୍କର, ୩୨ଟି ପ୍ଲାଂଟ, ୪୧୮୫କୋଭିଡ ହସ୍ପିଟାଲ ବେଡ୍‌, ୮୧୦ଭେଂଟିଲେଟର ବେଡ୍‌, ୮କୋଟି ଡୋଜ ବା ମାଗଣା ଟିକା କେନ୍ଦ୍ର ସରକାର ଯୋଗାଇ ଦେଇଥିଲେ । କିନ୍ତୁ ରାଜ୍ୟ ସରକାର ସବୁ ନେଇ ବି ଓଡ଼ିଶାବାସୀଙ୍କ ଆଗରେ ଡ୍ରାମା କରି ‘ଆମେ ଦଉଛୁ’ ବୋଲି କହି ନିଜ ଅସହିଷ୍ଣୁ ମନୋଭାବ ଓ ଚିନ୍ତାଧାରାକୁ ପ୍ରକାଶ କରିବାକୁ ପଛାଇନାହାନ୍ତି । କରୋନା ଏବଂ କରୋନା ପରବର୍ତୀ ସମୟରେ ରାଜ୍ୟ ସରକାର ରାଜ୍ୟବାସୀଙ୍କ ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ।

କାଳିଆ ଯୋଜନାରେ ୧୦ହଜାର ଟଙ୍କାର ସହାୟତା ଦେବାକୁ କହି ୬ହଜାର ଦେଲେ । ସୋହେଲା ସଭାରେ ଚାଷୀଙ୍କୁ ୧୦୦ଟଙ୍କାର ବୋନସ କିନ୍ତୁ ଦେଲେ ନାହିଁ । କେନ୍ଦ୍ରର ଯୋଜନାକୁ ବିଜୁ ଜନତା ଦଳ ସଦାସର୍ବଦା ବାଟମାରଣାରେ ସିଦ୍ଧହସ୍ତ ହାସଲ କରିଛି ବୋଲି କହିଛନ୍ତି ।

ଭୋଟ ନଦେଲେ ତାଲିକାରୁ ବାଦ୍ ଦିଆଯିବ ବୋଲି ଗରିବ ଲୋକଙ୍କୁ ଧମକ୍ ଚମକ୍ ଦେବାକୁ ମଧ୍ୟ ଶାସକ ବିଜେଡି ନେତା ଓ କର୍ମୀ ପଛାଇଲେ ନାହିଁ । ବରଂ ଗରୀବଙ୍କ ପାଇଁ ଆସୁଥିବା ଚାଉଳକୁ ଦଳୀୟ ନେତା ଓ କର୍ମୀମାନେ ମିଳିମିଶି ହଡପ୍ କରୁଥିଲେ ଏବଂ ହୀନ ରାଜନୀତି କରୁଥିଲେ । ୨୦୧୪ମସିହାରେ ଭାରତ ସରକାର ଓଡ଼ିଶାରୁ ମାତ୍ର ୩୦ଲକ୍ଷ ମେଟ୍ରିକ ଟନ୍ ଧାନ କିଣୁଥିବାବେଳେ ୨୦୨୧-୨୨ରେ ୭୫ମେଟ୍ରିକ ଟନ୍ ଧାନ କିଣୁଛନ୍ତି । ୧ ଟଙ୍କିଆ ଚାଉଳ ବାବଦକୁ ୧୨୩୫କୋଟି ଟଙ୍କା ଖର୍ଚ୍ଚ ହେଉଥିବାର ରାଜ୍ୟ ସରକାର ବିଧାନସଭାରେ କହିଥିଲେ । “ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନା” ନାଁରେ ପ୍ରତ୍ୟେକ ପରିବାରକୁ ମାଗଣା ଚାଉଳ ଘୋଷଣା ଦିଆଯିବା ପରେ ଚାଉଳ ରାଜନୀତି କରୁଥିବା ବିଜେଡି ଛାତିରେ ଛନକା ପସିଛି । ବଂଚିଥିବା ୧୨୩୫ କୋଟି ଟଙ୍କାରେ ଆଉ କିଛି ଟଙ୍କା ମିଶାଇ ରାଜ୍ୟ ସରକାର ୩.୨୫ କୋଟି ଲୋକଙ୍କୁ ମାଗଣାରେ ଚାଉଳ ଦେବାରେ କଣ ଅସୁବିଧା ରହିଛି ବୋଲି ପ୍ରଶ୍ନ କରିବା ସହ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାରେ ଛନ୍ଦି ହୋଇପଡିଥିବା ଶାସକ ବିଜେଡି ଭ୍ରମିତ କରିବା ପାଇଁ ସୁଆଙ୍ଗ କରୁଛି ବୋଲି କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ଓ ଅନୀଲ ବିଶ୍ୱାଳ ଏବଂ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com