Featuredଓଡ଼ିଶା

ଜମୁଛି ଆଦିବାସୀ ମେଳା, ଦର୍ଶକଙ୍କ ମନମହୁଛି ଜନଜାତି ନୃତ୍ୟ

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆ ଠାରେ ଫେବୃଆରୀ ୨୦ ତାରିଖଠାରୁ ଆରମ୍ଭ ହୋଇଥିବା ଆଦିବାସୀ ମେଳା ସପ୍ତମ ଦିନରେ ପହଞ୍ଚିଛି ।

ରବିବାର ଦିନ ଆଦିବାସୀ ପଡିଆରେ ଦର୍ଶକମାନଙ୍କର ଭିଡ଼ ବେଶ୍‌ ବଢ଼ିଯାଇଥିଲା । ବିଭିନ୍ନ ଷ୍ଟଲଗୁଡ଼ିକରେ ଲୋକମାନଙ୍କର ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଦଶର୍କ ମାନେ କିଣାବିକା ସହିତ ସୁଦୃଶ୍ୟ ରଙ୍ଗ ମଞ୍ଚରେ ସନ୍ଧ୍ୟାରେ ଅନୁଷ୍ଠିତ ଜନଜାତି ନୃତ୍ୟକୁ ମନଭରି ଉପଭୋଗ କରିଥିଲେ । ସୁନ୍ଦରଗଡ଼ ଅଞ୍ଚଳର ଅନନ୍ୟ ସଂସ୍କୃତିସଂପନ୍ନ ଜନଜାତି ମୁଣ୍ଡାରିଙ୍କ ମୁଣ୍ଡାରୀ ନୃତ୍ୟ ବେଶ୍‌ ଚିତ୍ତାକର୍ଷକ ହୋଇଥିଲା ।

ମାଦଳ, ଧୁମ୍‌ସା ବାଦ୍ୟଯନ୍ତ୍ରର ତାଳେ ତାଳେ ବେଶ୍‌ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ । କୁଟିଆ କନ୍ଧଙ୍କ ଢାପ ନୃତ୍ୟରେ ଦର୍ଶକମାନେ ଆମୋଦିତ ହୋଇଥିଲେ । ଢାପ ଏହି ଜନଜାତିଙ୍କ ମୁଖ୍ୟ ବାଦ୍ୟଯନ୍ତ୍ର । ପ୍ରତ୍ୟେକ ନୃତ୍ୟ ଅବସରରେ ଢାପ ବଜାଇବା ଏମାନଙ୍କର ପରମ୍ପରା । ସେହିଭଳି ସୁନ୍ଦରଗଡ଼ର କିଷାନ ନୃତ୍ୟ, ରାୟଗଡ଼ାର ଡଙ୍ଗରିଆ କନ୍ଧ ନୃତ୍ୟ, ଚମ୍ପୁଆର କୋହ୍ଲ ନୃତ୍ୟ, ରାୟଗଡ଼ାର କାଠି ନୃତ୍ୟ ସହିତ ବୁଗୁଡ଼ାକୁଦରର ଭୂୟାଁ ଜନଜାତିଙ୍କ ଚାଙ୍ଗୁ ବାଦ୍ୟଯନ୍ତ୍ରରେ ନୃତ୍ୟ ଅତ୍ୟନ୍ତ ମନୋରମ ହୋଇଥିଲା, ନୃତ୍ୟ ଦେଖିବା ସହିତ ଦର୍ଶକମାନେ ମେଳାରୁ କିଣାକିଣିର ମଜା ନେଇଥିଲେ ଏବଂ ମେଳା ବୁଲିବା ଅବସରରେ ବିଭିନ୍ନ ଜନଜାତିଙ୍କ ସଂସ୍କୃତି ସହିତ ପରିଚିତ ହେବାର ସୁଯୋଗ ପାଇଥିଲେ। ଆଦିବାସୀ ମେଳା ପ୍ରତ୍ୟହ ୨.୩୦ ଘଟିକାଠାରୁ ରାତି ୯ ଘଟିକା ପର୍ଯ୍ୟନ୍ତ ଦର୍ଶକମାନଙ୍କ ନିମନ୍ତେ ଖୋଲା ରହୁଛି । ମେଳା ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ।

 

Related Articles

Back to top button
WP Twitter Auto Publish Powered By : XYZScripts.com