ଜଗଦୀଶ ଚୈାହାନଙ୍କୁ ହତ୍ୟା କରାଯାଇଛି : ବିଭୂପ୍ରସାଦ ତରାଇ
![](https://i0.wp.com/odia.mobilenews24x7.com/wp-content/uploads/2023/02/175299-dead-body.webp?resize=780%2C470&ssl=1)
ଭୁବନେଶ୍ୱର, ୨୦/୦୩/୨୦୨୩ – ଅନୁସୂଚିତ ଜାତି ଓ ଜନଜାତିଙ୍କ ଜମିକୁ ବେଆଇନ ଭାବେ ଜୋର ଜବରଦସ୍ତ ହଡପ୍ କରାଯାଉଥିବାର ଖବର ବର୍ତ୍ତମାନ ସାଧାରଣ ହୋଇଗଲାଣି । ଏହି କାର୍ଯ୍ୟରେ ଏକ ବିରାଟ ରାକେଟ କାର୍ଯ୍ୟ କରୁଛି ଏବଂ ଏହି ରାକେଟର ସଦସ୍ୟ ଭାବେ ବହୁ ସରକାରୀ କର୍ମଚାରୀ ସଂପୃକ୍ତ ଅଛନ୍ତି । ଏଭଳି ଅନୈତିକ କାର୍ଯ୍ୟକୁ ଶାସକ ବିଜେଡିର ବହୁ ମନ୍ତ୍ରୀ ଓ ନେତା ପ୍ରତ୍ୟକ୍ଷ ଭାବେ ପ୍ରୋତ୍ସହିତ କରୁଛନ୍ତି ।
ଅନ୍ୟପଟେ ଅନୁସୂଚିତ ଜାତି ବା ଜନଜାତି ବର୍ଗର ଲୋକଟି ନିଜ ଇଚ୍ଛାରେ ନିଜ ଜମି ବା ସଂପତି ବିକ୍ରି କରିବାକୁ ଚାହିଁଲେ ବହୁ ହଇରାଣର ସାମ୍ନା କରିବାକୁ ପଡୁଛି । ସରକାରୀ ଅଧିକାରୀମାନଙ୍କ ଶୋଷଣର ଶିକାର ହୋଇ ଏପରିକି ଶେଷରେ ବାଧ୍ୟ ହୋଇ ଜୀବନ ମଧ୍ୟ ହରାଉଛନ୍ତି । ଏଭଳି କିଛି ଘଟଣା ଘଟିଛି ନୂଆପଡା ଜିଲ୍ଲା କଲ୍ୟାଣପୁର ଗ୍ରାମର ଜଣେ ଦଳୀତ, ଦିବ୍ୟାଙ୍ଗ ଓ ଗରୀବ ବ୍ୟକ୍ତି ଜଗଦିଶ୍ ଚୌହାନ କ୍ଷେତ୍ରରେ ବୋଲି ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ଡ. ବିଭୂପ୍ରସାଦ ତରାଇ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. ତରାଇ କହିଛନ୍ତି ଯେ, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୂଆପଡା ଜିଲ୍ଲା କଲ୍ୟାଣପୁର ଗସ୍ତ କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିଥିଲା ସ୍ୱର୍ଗତଃ ଜଗଦିଶ୍ ନିଜର ପୈତୃକ ସମ୍ପତି ୧୬ ଡିସିମିଲ ଜମି ବିକ୍ରି କରିବା ପାଇଁ ସବ୍ କଲେକ୍ଟରଙ୍କ ଦ୍ୱାରସ୍ଥ ହୋଇଥିଲେ ।
ସ୍ଥାନୀୟ ତହସିଲଦାରଙ୍କ ରିପୋର୍ଟ ଆଧାରରେ ସବକଲେକ୍ଟର ଅନୁମତି ପ୍ରଦାନ କରିବେ ବୋଲି ତାଙ୍କୁ କହିଥିଲେ । ଦୀର୍ଘ ୧୫ମାସ ବିିତିଥିଲେ ମଧ୍ୟ ତହସିଲଦାର ରିପୋର୍ଟ ପୈଠ କଲେ ନାହିଁ କି ସବକଲେକ୍ଟର ମଧ୍ୟ କୈାଣସି ଅନୁମତି ଦେଲେ ନାହିଁ । ଜଗଦିଶ୍ ଓ ତାଙ୍କ ବୃଦ୍ଧା ମାଁ ତହସିଲ କାର୍ଯ୍ୟାଳୟ ବାରମ୍ବାର ଯାଇ ତହସିଲଦାରଙ୍କୁ କହିବା ସତ୍ୱେ କୈାଣସି ସୁଫଳ ମିଳିଲା ନାହିଁ, ବରଂ ମାନସିକ ଯନ୍ତ୍ରଣା ଦେଇଚାଲିଲେ । ପ୍ରଶାସନ ନିକଟରୁ ନିରାଶ ହୋଇ ଶେଷରେ ଜଗଦୀଶ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ । ବୁର୍ଲା ସ୍ଥାନାନ୍ତରୀତ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା କୈାଣସି ମୃତ୍ୟୁ କି ଅପମୃତ୍ୟୁ ନୁହେଁ ବରଂ ହତ୍ୟା । ଏଥିପାଇଁ ସଂପୂର୍ଣ୍ଣ ଭାବେ ଜିଲ୍ଲା ପ୍ରଶାସନ ଦାୟୀ ବୋଲି କହିଛନ୍ତି ।
ଜଗଦିଶଙ୍କ ମୃତ୍ୟୁ ପାଇଁ ପ୍ରଶାସନ ଏବଂ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ । ତୁରନ୍ତ ନ୍ୟାୟ ପ୍ରଦାନ କରାଯାଇ ଜଗଦିଶ୍ ଚୌହାନଙ୍କ ବିଧବା ପତ୍ନୀ ଓ ଦୁଇଟି ସନ୍ତାନ, ବୁଢ଼ା ବାପ, ମାଁ ବଂଚିବା ପାଇଁ କ୍ଷତିଗ୍ରସ୍ତ ପରିବାରକୁ ୩୦ଲକ୍ଷ କ୍ଷତିପୂରଣ ଦିଆଯାଉ । ପରିବାର ବଂଚିବା ପାଇଁ ଜଗଦିଶ ଚୌହାନଙ୍କ ସ୍ତ୍ରୀକୁ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ସରକାରୀ ଚାକିରୀ ଦିଆଯାଉ ଓ ଦୁଇଟି ପିଲା ପଢ଼ିବା ପାଇଁ ବ୍ୟବସ୍ଥା କରନ୍ତୁ ରାଜ୍ୟ ସରକାର ।