ଅନ୍ତର୍ଜାତୀୟ

ଅଷ୍ଟ୍ରେଲିଆର ବିଭିନ୍ନ ମନ୍ଦିରରେ ଖଲିସ୍ତାନୀ ସମର୍ଥକଙ୍କ ନୃଶଂସତା, ଭିଡିଓ ଭାଇରାଲ ପରେ ବଢୁଛି ଉତ୍ତେଜନା

ହିନ୍ଦୁଙ୍କ ପ୍ରତି ଅସହ୍ୟ ହୋଇ ଚାଲିଛନ୍ତି ଖଲିସ୍ତାନୀ ସମର୍ଥକ । ବାରମ୍ବାର ମନ୍ଦିର ଉପରେ ହେଉଛି ଆକ୍ରମଣ । କେବଳ ଚଳିତ ବର୍ଷ ହିଁ ଅଷ୍ଟ୍ରେଲିଆର ବ୍ରିସବେନରେ ଦୁଇଟି ଓ ମେଲବୋର୍ଣ୍ଣରେ ୩ଟି ମନ୍ଦିରକୁ ଭାଙ୍ଗି ଦେଇଛନ୍ତି ନୃଶଂସ ଖଲିସ୍ତାନୀ ଗୋଷ୍ଠୀ ।

ବ୍ରିସବେନର ଶ୍ରୀ ଲକ୍ଷ୍ମୀନାରାୟଣ ମନ୍ଦିରକୁ ଭାଙ୍ଗି ଚୁରମାର କରିବା ପରେ ଏବେ ସେମାନଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି ପଶ୍ଚିମ ସିଡନୀର ରୋଜହିଲ୍ ଅଞ୍ଚଳରେ ଥିବା ସ୍ୱାମୀ ନାରାୟଣ ମନ୍ଦିର ଉପରେ । ଗତ ଶୁକ୍ରବାର ମନ୍ଦିର ଭଙ୍ଗାରୁଜା କରିଥିବା ସିସିଟିଭି ଫୁଟେଜ ଆସିବା ପରେ ମାମଲା ଆହୁରି ଗମ୍ଭୀର ହୋଇଯାଇଛି । ଏନେଇ ବୋଚା ସନ୍ୟାସୀ ଅକ୍ଷର ପୁରୁଷୋତ୍ତମ ସଂସ୍ଥା (ବାପ୍ସ) ମାଲିକାନାରେ ଥିବା ମନ୍ଦିର ପରିଚାଳନା କମିଟି ପୁଲିସ୍ ନିକଟରେ ଅଭିଯୋଗ କରିବା ପରେ ନିଉ ସାଉଥ୍ ୱାଲ୍ସ ପୁଲିସ୍ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ତନାଘନା ଚଳାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ କିଛିମାସ ଧରି ଅଷ୍ଟ୍ରେଲିଆର ବିଭିନ୍ନ ଅଞ୍ଚଳରେ ହିନ୍ଦୁ ଦେବାଳୟଗୁଡ଼ିକୁ ଖଲିସ୍ତାନୀ ସମର୍ଥକମାନେ ଆକ୍ରମଣ କରିଚାଲିଛନ୍ତି । ଶୁକ୍ରବାର ଭୋରରୁ ସ୍ୱାମୀ ନାରାୟଣ ମନ୍ଦିରର ମୁଖ୍ୟ ପ୍ରାଚୀରରେ ଭାରତ ବିରୋଧୀ ଲେଖାସହ ଖଲିସ୍ତାନ ପତାକା ଉଡୁଥିବା ଦେଖାଯାଇଥିଲା । ମନ୍ଦିର କାନ୍ଥରେ ଅତି କଦାକାର ଚିତ୍ର ସହ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣେ ଆତଙ୍କବାଦୀ ବୋଲି ଉଲ୍ଲେଖ କରିଥିଲେ ନୃଶଂସ ଗୋଷ୍ଠୀ ।

ଦ ଅଷ୍ଟ୍ରେଲିଆ ଟୁଡେକୁ ସାକ୍ଷାତକାର ଦେଇ ଜଣେ ହିନ୍ଦୁ ଭକ୍ତ ସେଜଲ ପଟେଲ କହିଛନ୍ତି ଯେ ଶୁକ୍ରବାର ସକାଳୁ ସେ ପ୍ରାର୍ଥନା କରିବାକୁ ମନ୍ଦିର ଆସିବାବେଳେ ପ୍ରାଚୀରରେ ଏଭଳି କଦର୍ଯ୍ୟ ଚିତ୍ର ଓ ଲେଖାଥିବା ଦେଖିଥିଲେ ।

ଏଠାରେ ମନେପକାଇ ଦେଉଛୁଯେ ଠିକ୍ ଏଭଳି ହୀନ କାର୍ଯ୍ୟ ଦେଖାଯାଇଥିଲା ଗତ ଜାନୁଆରୀ ୨୩ ତାରିଖରେ । ମେଲବୋର୍ଣ୍ଣର ଆଲବର୍ଟ ପାର୍କ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଇସ୍କନ୍ ମନ୍ଦିରରେ ମଧ୍ୟ ବିକୃତ ଚିତ୍ର ଓ କଦାକାର ଶବ୍ଦ ଲେଖାଯାଇଥିଲା ଯେଉଁଥିରେ ଭାରତକୁ ହିଁ ଇଙ୍ଗିତ କରିଥିଲେ ଖଲିସ୍ତାନୀ ଗୋଷ୍ଠୀ । ସେହିପରି ଜାନୁଆରୀ ୧୬ରେ ଭିକ୍ଟୋରିଆସ୍ଥିତ ଶ୍ରୀ ଶିବ ବିଷ୍ଣୁ ମନ୍ଦିର ଓ ଜାନୁଆରୀ ୧୨ରେ ମେଲବୋର୍ଣ୍ଣର ସ୍ୱାମୀ ନାରାୟଣ ମନ୍ଦିରରେ ଏଭଳି ଭାରତ ବିରୋଧୀ କଦାକାର ଚିତ୍ର ଓ ଲେଖା ଦେଖିବାକୁ ମିଳିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com