Breaking NewsFeaturedଓଡ଼ିଶା

ଆଇନଗତ ଲଢ଼େଇରେ ୬ ମାସ ବନ୍ଧା ପଡ଼ିଲା ଶବ 

ଦାଦନ ଶ୍ରମିକଙ୍କ ଦାରୁଣ କାହାଣୀ, ଠକିଦେଲା କମ୍ପାନୀ

ଖୋର୍ଦ୍ଧା: ଦିନେ କି ଦୁଇଦିନ ନୁହେଁ, ଦିର୍ଘ ୬ ମାସ ଧରି ପଡିରହିଲା ମୃତ ଦେହ । ଗୋଟେପଟେ କମ୍ପାନୀର ଜିଦ ଅନ୍ୟପଟେ ଆଇନଗତ ଲଢେଇ । ଏହାରି ଭିତରେ ନ୍ୟାୟ ପାଇଁ ବିତିଗଲା ୬ ମାସ ୯ ଦିନ । ଶେଷରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ପରିବାର ଲୋକେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ବୀରକେଶପୁର ଗାଁରେ।

ଦୀର୍ଘ ୧୦ ବର୍ଷ ହେଲା ଗାଁର ବାବୁଲି ବିଶ୍ୱାଳ ରୋଜଗାର କରିବା ପାଇଁ ଓମାନ ଚାଲିଯାଇଥିଲେ । ସେଠାରେ ସୁଲତାନେଟରେ ଅଲ ଅଦରକ ଟ୍ରେଡିଂ ଆଣ୍ଡ କଣ୍ଟ୍ରାକ୍ଟିଂ କମ୍ପାନୀରେ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ପ୍ରତି ବର୍ଷ ଘରକୁ ଆସୁଥିଲେ ମାତ୍ର ଗତ ୩ ବର୍ଷ ହେବ ଘରକୁ ନଆସି ନିୟମିତ ବ୍ୟବଧାନରେ ଫୋନ ଯୋଗେ କଥା ହେଉଥିଲେ । ଗତ ବର୍ଷ ନଭେମ୍ବର ୯ ତାରିଖ ରାତିରେ ଘରଲୋକଙ୍କ ସହ କଥା ହୋଇଥିଲେ । କିନ୍ତୁ ଦିନକ ପରେ ଅର୍ଥାତ ନଭେମ୍ବର ୧୦ରେ ଖବର ଆସିଥିଲା ବାବୁଲି ଆତ୍ମହତ୍ୟା କରିଛନ୍ତି। ଏହାପରେ କମ୍ପାନୀର ମ୍ୟାନେଜର କହିଥିଲେ ମୃତୁଦେହ ନେବାକୁ ତୁରନ୍ତ ବ୍ୟବସ୍ଥା କର । ଏପଟେ ପରିବାରର ଏକମାତ୍ର ରୋଜଗାରିଆ ପୁଅକୁ ହରେଇ ଭାଙ୍ଗି ପଡିଥିଲେ ପତ୍ନୀ ସଞ୍ଜୁକ୍ତା ବିଶ୍ୱାଳ । ସ୍ୱାମୀଙ୍କ ମୃତ୍ୟୁ ପରେ ଗୋଟିଏ ପୁଅ ଓ ୩ ଝିଅଙ୍କ ପେଟରେ ଦାନା ମୁଠାଏ କେମିତି ଦେବେ ତାକୁ ନେଇ ସେ ଚିନ୍ତାରେ ପଡିଯାଇଥିଲେ । ତଥାପି ହାର ମାନିନଥିଲେ । ପିଲାମାନଙ୍କ ମୁହଁକୁ ଚାହିଁ ସ୍ୱାମୀର ମୃତଦେହ ଫେରାଇ ଆଣିବା ସହ କିଛି ଆର୍ଥିକ ସହାୟତା ପାଇଁ ଦାବି କରିଥିଲେ । କିନ୍ତୁ ଯେଉଁ କମ୍ପାନୀକୁ ବାବୁଲି ୧୦ ବର୍ଷ ସମର୍ପିତ କରିଦେଇଥିଲେ, ସେ କମ୍ପାନୀ ଆର୍ଥିକ ସହାୟତା ଦେବାକୁ ମନା କରିଦେଲା । ଏମିତିକି ମୃତଦେହ ନନେଲେ ପୋତି ଦେବାକୁ କମ୍ପାନୀ ଧମକ ଦେଇଥିବା ପରିବାର ଲୋକେ କହିଛନ୍ତି ।

ଖାଲି ଏତିକି ନୁହେଁ ଶବ ବ୍ୟବଚ୍ଛେଦ କରିବା ନେଇ ମଧ୍ୟ କମ୍ପାନୀ ସହମତ ହୋଇନଥିଲା । କମ୍ପାନୀଠାରୁ ନିରାଶ ହେବା ପରେ ବାରପୁର ଥାନାର ଦ୍ୱାରସ୍ଥ ହୋଇଥିଲେ ସଂଯୁକ୍ତା। ହେଲେ କିଛି ସୁଫଳ ମିଳିଲାନି । ଏହାପରେ ସ୍ଥାନୀୟ ସମାଜସେବୀଙ୍କ ସହଯୋରେ ବାବୁଲିଙ୍କ ମୃତଦେହ ଆଣିବାକୁ ଓମାନ ଦୂତାବାସ ସହ ଯୋଗାଯୋଗ କରିଥିଲେ । ବାବୁଲିଙ୍କ ମୃତଦେହ ଓଡିଶାକୁ ସିନା ଫେରି ଆସିଲା ହେଲେ ବେଲାହାରା ହୋଇଯାଇଥିବା ପରିବାରକୁ ନ୍ୟାୟ ମିଳିପାରିନି। ଅଭାବୀ ପରିବାରର ନ୍ୟାୟିକ ଲଢେଇ ଓ ଦଗାଦିଆ କମ୍ପାନୀର ସମ୍ବେଦନ ହୀନ କାର୍ଯ୍ୟ ଯୋଗୁଁ ଆଜି ମୃତ ଦେହକୁ ବି ସମ୍ମାନ ମିଳିପାରିଲାନି ।

Related Articles

Back to top button
WP Twitter Auto Publish Powered By : XYZScripts.com