ବିଦେଶରେ ଝଲସିବ ଓଡ଼ିଶାର ଐତିହାସିକ ବାଲିଯାତ୍ରା
ଅନ୍ତର୍ଜାତୀୟ ସ୍ତରରେ ଚମକିବ ଓଡ଼ିଶାର ଭାଷା, ସଂସ୍କୃତି ଓ ଐତିହ୍ୟ
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ଏଥର ବାଲିଯାତ୍ରା ଅନ୍ତର୍ଜାତୀୟସ୍ତରରେ ହେବ। କେବଳ ଓଡ଼ିଶା ଭିତରେ ସୀମିତ ରହିବ ନାହିଁ। ଆଗାମୀ ଅଗଷ୍ଟ ମାସରେ ଇଣ୍ଡୋନେସିଆର ବାଲିଠାରେ ହେବ ବାଲିଯାତ୍ରା। ଏହା ପୂର୍ବରୁ ହେବ ପ୍ରାକ୍ ପ୍ରସ୍ତୁତି ପୂର୍ବକ ସାଂସ୍କୃତିକ କାର୍ଯ୍ୟକ୍ରମ। ଜୁନ୍ ପହିଲାରୁ ୬ ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆ- ବାଲିର କରଙ୍ଗାସାମ ସ୍ଥିତ ସମସାରା ଲିଭିଂ ମ୍ୟୁଜିଅମ୍ରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଏହା ଅଗଷ୍ଟ ମାସରେ ହେବାକୁ ଥିବା ବାଲିଯାତ୍ରା ପାଇଁ ବେଶ୍ ସୁହାଇବ।
ଇଣ୍ଡୋନେସିଆରେ ବାଲିଯାତ୍ରା ହେଲେ ଏହା ଏକ ଐତିହାସିକ କୀର୍ତ୍ତି ପାଲଟିବ। ଓଡ଼ିଶାର ସଂସ୍କୃତି-ପର୍ଯ୍ୟଟନ ଓ ବାଲି ମଧ୍ୟରେ ଥିବା ସମ୍ପର୍କକୁ ବେଶ୍ ସୁଦୃଢ କରିବ । ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ପାଖାପାଖି ୧୦ଜଣିଆ କଲଚରାଲ ଟିମ୍ ଭାଗ ନେବେ ବୋଲି କଳିଙ୍ଗ ଇଣ୍ଟର ନ୍ୟାସନାଲ ୟୁଥ୍ ଫାଉଣ୍ଡେସନର ଚେୟାରପର୍ସନ ବିଭୁ ପ୍ରସାଦ ସ୍ବାଇଁ କହିଛନ୍ତି। ଓଡ଼ିଆ ଭାଷା, ସଂସ୍କୃତି ଓ ପର୍ଯ୍ୟଟନକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶିତ କରିବା ପାଇଁ ମଧ୍ୟ ଏକ ଉତ୍ତମ ମାଧ୍ୟମ ମିଳିବ। ବିଦେଶରେ ବାଲିଯାତ୍ରା ଖବର ପାଇବା ପରେ ବିଭିନ୍ନ ମହଲରେ ଖୁସି ପ୍ରକାଶ ପାଇଛି।