Breaking NewsFeaturedଓଡ଼ିଶାରାଜନୀତି

ବିକ୍ରମ, ସୁଦାମ ଓ ସାରଦା ହେଲେ କ୍ୟାବିନେଟ୍‌ ମନ୍ତ୍ରୀ, ଖୁବ୍‌ଶୀଘ୍ର ମିଳିବ ବିଭାଗ

ବାଚସ୍ପତି ପଦବୀକୁ ନେଇ ସସ୍ପେନ୍ସ ଜାରି

ଭୁବନେଶ୍ବର: ସବୁ କଳ୍ପନାର ଅନ୍ତ ଘଟାଇ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ୩ ମନ୍ତ୍ରୀ। ଫଳରେ ଓଡ଼ିଶା ମନ୍ତ୍ରୀମଣ୍ଡଳରେ ୩ ନୂଆ ଚେହେରାଙ୍କୁ ଦେଖିବାକୁ ମିଳିଛି। ଲୋକସେବା ଭବନରେ ସୋମବାର ପୂର୍ବାହ୍ଣରେ ବିକ୍ରମ ଆରୁଖ, ସୁଦାମ ମାର୍ଣ୍ଡି ଓ ସାରଦା ନାୟକଙ୍କୁ ମନ୍ତ୍ରୀ ଭାବେ ଶପଥ ପାଠ କରାଇଛନ୍ତି ମହାମହିମ ରାଜ୍ୟପାଳ ଡ. ଗଣେଶୀ ଲାଲ। ଏ ସମ୍ପର୍କରେ ବିଜେଡି ପକ୍ଷରୁ ବିଧିବଦ୍ଧ ଭାବେ ପୂର୍ବରୁ ସୂଚନା ଦିଆଯାଇ ନଥିଲେ ବି ଏହି ତିନି ଜଣଙ୍କୁ ମୁଖ୍ୟମନ୍ତ୍ରୀ କଲ୍‌ କରିଥିବା ଜଣାପଡ଼ିଥିଲା। ସେ ଯାହାହେଉ ମନ୍ତ୍ରୀ ଚୟନ ସରିଥିଲେ ମଧ୍ୟ ବିଭାଗ ବଣ୍ଟନ ନେଇ ତୁରନ୍ତ ସ୍ପଷ୍ଟ ହୋଇପାରିନି। ସେହିପରି ବାଚସ୍ପତି ଭାବେ କାହାକୁ ଚୟନ କରାଯିବ ଦିନ ୧୦ଟା ସୁଦ୍ଧା ଜଣାପଡ଼ିନି। ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିକ୍ରମ ଆରୁଖଙ୍କୁ ସ୍ଵାସ୍ଥ୍ୟ ବିଭାଗ ମନ୍ତ୍ରୀ ଭାବେ ଚୟନ କରାଯାଇପାରେ। ନବ ଦାସଙ୍କ ନିଧନ ପରେ ଉକ୍ତ ବିଭାଗ ଅସ୍ଥାୟୀ ଭାବେ ନିରଞ୍ଜନ ପୂଜାରୀଙ୍କୁ ମିଳିଥିଲା। ସେହିପରି ଶ୍ରୀକାନ୍ତ ସାହୁଙ୍କ ସ୍ଥାନରେ ଶ୍ରମ ମନ୍ତ୍ରୀ ଭାବେ ସାରଦା ନାୟକଙ୍କୁ ଚୟନ କରାଯିବାର ସମ୍ଭାବନା ରହିଥିବାବେଳେ ସମୀର ରଞ୍ଜନ ଦାଶଙ୍କ ସ୍ଥାନରେ ସୁଦାମ ମାର୍ଣ୍ଡିଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ କରାଯାଇପାରେ।

ଗତ ୧୨ ତାରିଖରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ପରେ ପରେ ଦୁଇ ମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ। ଫଳରେ ନୂଆ ମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ପୂର୍ବରୁ ନବ ଦାସଙ୍କ ହତ୍ୟା ପରେ ମନ୍ତ୍ରିମଣ୍ଡଳରେ ଗୋଟିଏ ଆସନ ଖାଲିପଡ଼ିଥିଲା। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଛୁଟିରେ ଥିବାରୁ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ବିଳମ୍ବ ହୋଇଥିଲା। ତେବେ ରବିବାର ରାତିରେ ରାଜ୍ୟପାଳ ଓଡ଼ିଶା ଫେରିଥିଲେ। ଅନ୍ୟପଟେ ରାତି ୮ଟା ପରେ ମନ୍ତ୍ରୀ ହେବାକୁ ଥିବା ତିନି ବରିଷ୍ଠ ବିଧାୟକଙ୍କ ନାମ ସ୍ପଷ୍ଟ ହୋଇଥିଲା। ଯଦି ନିର୍ଦ୍ଧାରିତ ସମୟରେ ସାଧାରଣ ନିର୍ବାଚନ ହୁଏ, ତେବେ ନୂଆ ମନ୍ତ୍ରୀମାନଙ୍କ କାର୍ଯ୍ୟକାଳ ଏକ ବର୍ଷରୁ କମ୍ ସମୟ ରହିବ। ତିନି ପ୍ରମୁଖ ଜିଲ୍ଲା ମୟୂରଭଞ୍ଜ, ଗଞ୍ଜାମ ଓ ସୁନ୍ଦରଗଡ଼ରେ ବିଜେଡିର ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଉଦ୍ୟମ କରାଯାଉଥିବା ରାଜନୈତିକ ମହଲରେ ଆଲୋଚନା କରାଯାଉଛି।

ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରୁ ଲଗାତର ୬ ଥର ଜିତିଥିବା ବିକ୍ରମ କେଶରୀ ଆରୁଖ ୨୦୦୯ ମସିହାରୁ କ୍ରମାଗତ ଭାବେ ମନ୍ତ୍ରୀ ହୋଇ ଆସୁଥିଲେ। ଗତ ବର୍ଷ ଜୁନ୍‌ ମାସରେ ମନ୍ତ୍ରିମଣ୍ଡଳର ଅଦଳବଦଳ ବେଳେ ସେ ବାଦ୍ ପଡ଼ିଥିଲେ। ତାଙ୍କୁ ବାଚସ୍ପତି କରାଯାଇଥିଲା। ବାଚସ୍ପତି ପଦବୀରେ ଗୋଟିଏ ବର୍ଷ ନ ପୂରୁଣୁ ଗତ ୧୨ ତାରିଖରେ ସେ ଇସ୍ତଫା ଦେଇଥିଲେ। ଆସନ୍ତା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଦଳୀୟ ସଂଗଠନକୁ ଅଧିକ ସକ୍ରିୟ କରିବାକୁ ଶ୍ରୀ ଆରୁଖଙ୍କୁ ମନ୍ତ୍ରୀ କରାଯାଇଥିବା କୁହାଯାଉଛି। ସେହିପରି ମୟୂରଭଞ୍ଜ ଜିଲ୍ଲା ରାଜନୀତିରେ ସୁଦାମ ମାର୍ଣ୍ଡିଙ୍କ ଦବ୍‌ଦବା ଜୋର୍‌ ରହିଛି। ଜେଏମ୍‌ଏମ୍‌ରୁ କ୍ୟାରିୟର ଆରମ୍ଭ କରି ଜେଏମ୍‌ଏମ୍‌ ପ୍ରାର୍ଥୀ ଭାବେ ଦୁଇ ଥର ବିଧାନସଭା ଓ ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପରେ ବିଜେଡିରେ ଯୋଗ ଦେଇ ୨୦୧୪ ଓ ୨୦୧୯ରେ ଦୁଇ ଥର ବିଜେଡି ପ୍ରାର୍ଥୀ ଭାବେ ବାଙ୍ଗିରୀପୋଷିରୁ ନିର୍ବାଚିତ ହୋଇ ଆସୁଛନ୍ତି। ତେବେ ମୟୂରଭଞ୍ଜର ମୋଟ୍‌ ୯ଟି ବିଧାନସଭା ଆସନରୁ ବିଜେପି ଦଖଲରେ ୬ଟି ଓ ବିଜେଡି ଦଖଲରେ ୩ଟି ରହିଛି। ତେଣୁ ସେଠାରେ ଦଳକୁ ଆହୁରି ମଜଭୁତ କରାଯିବାକୁ ବିଜେଡି ଉଦ୍ୟମ କରିବା ସ୍ଵାଭାବିକ। ସେପଟେ ରାଉରକେଲା ବିଧାୟକ ସାରଦା ନାୟକ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୦୯ରୁ ୨୦୧୨ ଯାଏ ସେ ରାଷ୍ଟ୍ର ମନ୍ତ୍ରୀ ଥିଲେ। ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ବିଜେଡି ସଂଗଠନକୁ ଅଧିକ ସକ୍ରିୟ କରିବା ପାଇଁ ବରିଷ୍ଠ ବିଧାୟକ ଶ୍ରୀ ନାୟକଙ୍କ ଉପରେ ମୁଖ୍ୟମନ୍ତ୍ରୀ ଭରସା ସ୍ଥାପନ କରିଛନ୍ତି। ସୁନ୍ଦରଗଡ଼ର ୭ଟି ବିଧାନସଭା ଆସନ ମଧ୍ୟରୁ ବିଜେପିର ୩ଟି, ବିଜେଡିର ୨ଟି ଏବଂ କଂଗ୍ରେସ ଓ ସିପିଆଇ(ଏମ୍) ଦଖଲରେ ଗୋଟିଏ ଲେଖାଏ ଆସନ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com