Featuredଓଡ଼ିଶାଜାତୀୟ

ଛତିଶଗଡ଼ରେ ଆସିଲା ସାମ୍ବାଦିକ ସୁରକ୍ଷା ବିଲ୍‌, ଓଡ଼ିଶାରେ କେବେ?

ଭୁବନେଶ୍ଵର: ଓଡ଼ିଶାରେ ସାମ୍ବାଦିକ କେତେ ସୁରକ୍ଷିତ ? କାହିଁକି ସାମ୍ବାଦିକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉନି ? ବାରମ୍ବାର ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଥିଲେ ମଧ୍ୟ ଏଥି ପ୍ରତି କାହିଁକି କାହାର ଦୃଷ୍ଟି ପଡୁନି । ନିକଟରେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ ହୋଇଛି । ସର୍ବସମ୍ମତି କ୍ରମେ ଛତିଶଗଡ଼ ବିଧାନସଭାରେ ଏହି ବିଲ ପାରିତ ହୋଇଛି । ଯାହା ଗଣମାଧ୍ୟମ ସହ ଜଡ଼ିତ ବ୍ୟକ୍ତି ମାନଙ୍କୁ ସୁରକ୍ଷା ଯୋଗାଇବ। ସାମ୍ବାଦିକମାନଙ୍କ ପ୍ରତି ହେଉଥିବା ହିଂସାକୁ ରୋକିବା ଏହି ବିଲ୍‌ର ଲକ୍ଷ୍ୟ। ସେହିପରି ଏହାକୁ ରାଜ୍ୟ ଇତିହାସରେ ଏକ ସ୍ୱର୍ଣ୍ଣିମ ମୁହୂର୍ତ୍ତ ବୋଲି କହିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘଲେ।

ମୁଖ୍ୟମନ୍ତ୍ରୀ ବାଘଲେ କହିଛନ୍ତି ଯେ ଦୀର୍ଘ ଦିନରୁ ଏହି ଆଇନ କାର୍ଯ୍ୟକାରୀ ପାଇଁ ଅନେକଥର ଦାବି ହୋଇଆସୁଥିଲା । ଯାହା ପୂରା ଦେଶରେ ଚର୍ଚ୍ଚାର ବିଷୟ ଥିଲା । ୨୦୧୯ରେ ସୁପ୍ରିମକୋର୍ଟରେ ପୂର୍ବତନ ଜଷ୍ଟିସ ଆଫାବ ଆଲମଙ୍କ ନେତୃତ୍ୱରେ ଏକ କମିଟି ଗଠନ କାଯାଇଥିଲା । ସମସ୍ତ ପକ୍ଷଙ୍କ ପରାମର୍ଶ କ୍ରମେ ଏହି ଆଇନ ପ୍ରସ୍ତୁତ କରାଯାଇଥିଲା । ହେଲେ ଏବେ ସର୍ବସମ୍ମତି କ୍ରମେ ଏହି ବିଲ୍‌ ପାସ୍ ହୋଇଛି । ଏବେ ସାମ୍ବାଦିକମାନଙ୍କୁ ଧମକ ଦେବା କିମ୍ବା ସେମାନଙ୍କ ସହ କୌଣସି ହିଂସା ଘଟଣା ଘଟାଇଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ସାମ୍ବାଦିକ ସୁରକ୍ଷା ବିଲ୍‌କୁ ନେଇ ୩୦ ଦିନ ମଧ୍ୟରେ ଏକ କମିଟି ଗଠନ କରାଯିବ। ଏହି କମିଟି ସାମ୍ବାଦିକଙ୍କ ସହ ଜଡ଼ିତ ଘଟଣାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ଏଠି କହିରଖୁଛୁ ଯେ ଛତିଶଗଡ଼ରେ ୨୦୧୮ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ଏହାର ଇସ୍ତାହାରରେ ରାଜ୍ୟରେ ସାମ୍ବାଦିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରତିଶୃତି ଦେଇଥିଲା । ପ୍ରଥମେ ମହାରାଷ୍ଟ୍ରରେ ସାମ୍ବାଦିକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆ ଯାଇଥିବା ବେଳେ ଏବେ ଛତିଶଗଡ଼ ସରକାର ମଧ୍ୟ ସମାନ ପନ୍ଥା ଆପଣେଇଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ଓଡ଼ିଶାରେ କେବେ ସାମ୍ବାଦିକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ?

Related Articles

Back to top button
WP Twitter Auto Publish Powered By : XYZScripts.com