ପୁଣି ଖୋଲିବ ଇନ୍ଦିରା କ୍ୟାଣ୍ଟିନ୍, ବନ୍ଦ କରିଥିଲା ବିଜେପି ସରକାର, ଆରମ୍ଭ କରିବ କଂଗ୍ରେସ

ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: କଂଗ୍ରେସ ସରକାର ଖୋଲିଥିଲା ଇନ୍ଦିରା କ୍ୟାଣ୍ଟିନ୍। ତେବେ ବିଜେପି କ୍ଷମତାକୁ ଆସିବା ପରେ ଏହାକୁ ବନ୍ଦ କରିଦେଇଥିଲା। ଏବେ କଂଗ୍ରେସ ପୁଣି ସରକାର ଗଢ଼ିବା ପରେ ଆଉଥରେ ଆରମ୍ଭ ହେବ ଇନ୍ଦିରା କ୍ୟାଣ୍ଟିନ୍। ଯେଉଁଠି ୫ ଟଙ୍କାରେ ଲୋକଙ୍କୁ ମିଳିବ ଟିଫିନ୍ ଆଉ ୧୦ ଟଙ୍କାରେ ମିଳିବ ମିଲ୍। ଖୋଦ୍ ମୁଖ୍ୟମନ୍ତ୍ରୀ ଏହି କଥା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।
ହଁ, ଆଜ୍ଞା ଆପଣ ଠିକ୍ ବୁଝିଛନ୍ତି। ଆମେ କହୁଛୁ କର୍ଣ୍ଣାଟକ କଥା। ବହୁ ଜନମତ ହାସଲ୍ କରି କଂଗ୍ରେସ ସରକାର ଗଢ଼ିବା ପରେ ମୁଖ୍ୟମନ୍ତ୍ରୀ ଶିରିପା ପାଇଛନ୍ତି ସିଦ୍ଦରମୈୟା। ସେ କହିଛନ୍ତି ଯେ ବନ୍ଦ ହୋଇ ଯାଇଥିବା ଇନ୍ଦିରା କ୍ୟାଣ୍ଟିନ୍ ପୁଣି ଆରମ୍ଭ କରାଯିବ। ଗରିବ ଏବଂ ଆର୍ଥିକ ସ୍ଵଛଳ ନଥିବା ଲୋକଙ୍କୁ ସୁଲଭ ମୂଲ୍ୟରେ ଖାଦ୍ୟ ଯୋଗାଇଥାଏ ଇନ୍ଦିରା କ୍ୟାଣ୍ଟିନ। ଯେଉଁଠି ଜଳଖିଆର ଦାମ କେବଳ ପାଞ୍ଚ ଟଙ୍କା ହୋଇଥିବାବେଳେ ମଧ୍ୟାହ୍ନ ଓ ରାତ୍ରି ଭୋଜନ ପାଇଁ କେବଳ ୧୦ ଟଙ୍କା ମୂଲ୍ୟ ରହିଛି। ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ କ୍ୟାଣ୍ଟିନଗୁଡ଼ିକୁ ପୁଣି ଖୋଲିବ ବୋଲି ପ୍ରତିଶୃତି ଦେଇଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଚାର କରିବାକୁ ଯାଇଥିବା ବେଳେ ଏହି ଘୋଷଣା କରିଥିଲେ। ସେ କହିଥିଲେ ଯେ ଦରବୃଦ୍ଧିର ବୋଝ ଗରିବ ଲୋକଙ୍କ ଉପରେ ପଡୁଛି। ଏଥିପାଇଁ କ୍ୟାଣ୍ଟିନ ଆରମ୍ଭ କରାଯିବ।
ହଁ ଏଠାରେ କହିରଖୁଛୁ ଯେ ଇନ୍ଦିରା କ୍ୟାଣ୍ଟିନରେ ଥିବା ମେନୁ ପ୍ରତିଦିନ ବଦଳୁଥିଲା। ଜଳଖିଆରେ ଉପମା, ପୋଙ୍ଗଲ୍ ଏବଂ ଇଡଲି ସହିତ ଅନ୍ୟ ରୁଚିକର ଖାଦ୍ୟ ପରିବେଷଣ କରାଯାଉଥିଲା।