Featuredକ୍ରୀଡ଼ାଜାତୀୟ

ମୁମ୍ବାଇ ଇଣ୍ଡିଆନ୍ସ ସହ ସମକକ୍ଷ ହେଲା ଚେନ୍ନାଇ, IPLରେ ୫ମ ଥର ବାଜି ମାରିଲା

ମୋବାଇଲ୍‍ ନ୍ୟୁଜ୍‍ ବ୍ୟୁରୋ: ସବୁ ପ୍ରତୀକ୍ଷାର ଘଟିଲା ଅନ୍ତ । ଶେଷରେ ଆଇପିଏଲ ୨୦୨୩କୁ ମିଳିଲା ଚାମ୍ପିଅନ । ୨୮ରେ ଶେଷ ହେବାକୁ ଥିବା ଆଇପିଏଲ ମ୍ୟାଚ ବର୍ଷା ଯୋଗୁଁ ୨୯ ତାରିଖ ବା ସୋମବାରକୁ ଘୁଂଚିଥିଲା । ହେଲେ କାଲି ବି ବର୍ଷା ହୋଇଥିଲେ ହେଁ ମ୍ୟାଚ ଖେଳାଯାଇଥିଲା । ଏହି ବର୍ଷା ବାଧାପ୍ରାପ୍ତ ମ୍ୟଚରେ ଡିଏଲ ମେଥଡ ବା ଡକୱାର୍ଥ ଲୁଇସ ନିୟମ ଅନୁସାରେ ଗୁଜରାଟ ଟାଇଟନ୍ସକୁ ୫ ୱିକେଟ୍‌ରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗସ । ୫ମ ଥର ପାଇଁ ଆଇପିଏଲ ଟ୍ରଫି ହାତେଇଛି ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ । ଆଇପିଏଲ ଇତିହାସରେ ସର୍ବାଧିକ ୫ ଥର ଚାମ୍ପିଅନ ହେବାର ମୁମ୍ବାଇ ଇଣ୍ଡିଆନ୍ସ ସହ ସମକକ୍ଷ ହୋଇଛି ଚେନ୍ନାଇ । ଏହାପୂର୍ବରୁ ଦଳ ୨୦୧୦, ୨୦୧୧, ୨୦୧୮ ଏବଂ ୨୦୨୧ରେ ଚାମ୍ପିଅନ ହୋଇଥିଲା ।

ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଟସ ଜିତି ସିଏସକେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜୁରାଟ ଟାଇଟନ୍ସର ନିର୍ଦ୍ଧାରିତ ୨୦ ଓଭରରେ ୪ ଓି୍ୱକେଟ ହରାଇ ୨୧୪ ରନ ସଂଗ୍ରହ କରିଥିଲା । ଦୁଇ ଓପନର ଶୁଭମନ ଗିଲ ଓ ରିଦ୍ଧିମାନ ଶାହା ଦମଦାର ଆରମ୍ଭ କରିଥିଲେ । ଶୁବମନ ଗିଲ ୩୯ କରି ଷ୍ଟମ୍ପିଂ ହୋଇଥିବା ବେଳେ ଋଦ୍ଧିମାନ ସାହା ୩୯ ବଲରେ ୫୪ ରନ କରିଥିଲେ । ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ସାଇ ସୁଦର୍ଶନ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ ।
ଦଳ ପାଇଁ ସାଇ ସୁଦର୍ଶନ ପଡିଆରେ ଚୌକା ଛକା ବର୍ଷା କରିବା ସହ ଦମଦାର ବ୍ୟାଟି କରିଥିଲେ । ସାଇ ସୁଦର୍ଶନ ୪୭ ବଲରେ ୮ଟି ଚୌକା ଓ ୬ଟି ଛକା ମାରି ସର୍ବାଧିକ ୯୬ ରନ କରିଥିଲେ । ଏହା ପରେ ପିଚକୁ ଆସିଥିଲେ ରଶିଦ ଖାନ । ସେ ଖାତା ଖୋଲିନ ପାରି ଆଉଟ ହୋଇଯାଇଥିଲେ । ସେହିପରି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୨ଟି ବଲରେ ୨୧ ରନ କରି ଅପରାଜିତ ରହିଥିଲେ ।

ଏହାପରେ ୨୧୫ ରନର ବିଜୟ ଲକ୍ଷ ନେଇ ପଡିଆକୁ ଓହ୍ଲାଇଥିଲା ଚେନ୍ନାଇ ସୁପର କିଙ୍ଗସ । ପ୍ରଥମ ଓଭର ବ୍ୟାଟିଂ କରୁଥିବା ସମୟରେ ଅଚାନକ ବର୍ଷା ହୋଇଥିଲା । ପରେ ଏହି ମ୍ୟାଚ ଦିର୍ଘ ସମୟ ପାଇଁ ବନ୍ଦ ରହିଥିଲା । ବର୍ଷା ଯୋଗୁଁ ବିଳମ୍ବ ହେବାରୁ ଡିଏଲ ପ୍ରଣାଳି ବା ଡକୱାର୍ଥ ଲୁଇସ ନିୟମ ଅନୁସାରେ ମ୍ୟାଚକୁ ୧୫ ଓଭରକୁ କମାଇ ଦେଇ ବିଜୟ ଲକ୍ଷ ୧୭୧ ଧାର୍ଯ୍ୟ କରାଯାଇଥିଲା । ଦଳ ପକ୍ଷରୁ ଋତୁରାଜ ଗାଏକ୍ୱାଡ ୧୬ ବଲରେ ୨୬ ରନ କରିଥିବା ବେଳେ ଡେଭନ କନୱେ ୨୫ ବଲରେ ୪୭ ରନ କରିଥିଲେ । ଶିବମ ଓ ରାହଣେ ଦଳୀୟ ସ୍କୋର କୁ ଆଗକୁ ନେଇଥିଲେ । ରାହାଣେ ୧୩ ବଲରେ ୨୭ ରନ କରି ଆଉଟ ହୋଇଯାଇଥିବା ବେଳେ ଶିବମ ଦୁବେ ଅପରାଜିତ ରହି ୩୨ ରନ କରିଥିଲେ । ଅଧିନାୟକ ମହେନ୍ଦ୍ର ସିଂହ ଧୋନି କିଛି ରନ ନକରି ଆଉଟ ହୋଇଥିଲେ । ଶେଷ ଓଭରରେ ଚମକି ଥିଲେ ରବିନ୍ଦ୍ର ଜାଡେଜା । ଶେଷ ଦୁଇ ବଲରେ ମ୍ୟାଚ ଜିତିବାକୁ ଚାନ୍ନ୍‌ାଇକୁ ୧୦ ରନର ଆବଶ୍ୟକତା ଥିଲା । ଶେଷ ୨ ବଲରେ ଗୋଟିଏ ଛକା ଓ ଗୋଟିଏ ଚୌକା ମାରି ଦଳକୁ ଜିତାଇଥିଲେ ଜାଡେଜା । ସେ ୬ଟି ବଲରେ ୧୫ ରନ କରି ଅପରାଜିତ ରହିଥିଲେ । ଏହି ରୋମାଞ୍ଚକର ମ୍ୟାଚରେ ୫ ୱିକେଟ ହରାଇ ଆଇପିଏଲ ଟ୍ରଫି ନିଜ ନାଁରେ କରିନେଇଛି ଚେନ୍ନାଇ ସୁପର କିଙ୍ଗସ ।

Related Articles

Back to top button
WP Twitter Auto Publish Powered By : XYZScripts.com