Featuredକ୍ରୀଡ଼ାଜାତୀୟ

ଗଙ୍ଗା ନଦୀରେ ଭାସିବ ଦେଶର ଗୌରବ ଓ ସଫଳତାର ସନ୍ତକ ଅଲିମ୍ପିକ ମେଡାଲ!

ଗଙ୍ଗା ନଦୀକୂଳରେ ଦେଶର ବିଶିଷ୍ଟ କୁସ୍ତିଯୋଦ୍ଧା

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ପବିତ୍ର ଗଙ୍ଗା ନଦୀର ଅଥଳ ଗର୍ଭରେ ହଜିଯିବା ପୁର୍ବରୁ ଲୁହରେ ଭିଜିଲା ଝାଳବୁହା ପରିଶ୍ରମର ଅନ୍ତରାଳେ ମିଳିଥିବା ଅଲିମ୍ପିକ ମେଡାଲ । ଏମିତି ବିଶ୍ୱସ୍ତରୀୟ ବିରଳ ସମ୍ମାନକୁ ସାମୁହିକ ଶ୍ରଦ୍ଧାଞ୍ଜଳି ଦେବା ବୋଧହୁଏ ବିଶ୍ୱ ଇତିହାସରେ ପ୍ରଥମ । ଏହା ଖେଳାଳିଙ୍କ ପାଇଁ ଯେତିକି ଦୁଃଖଦାୟକ ଦେଶପାଇଁ ସେତିକି ଲଜ୍ଜାଜନକ । ଆମ ଦେଶର ନାଁକରା କୁସ୍ତିଯୋଦ୍ଧାମାନେ ନ୍ୟାୟ ନମିଳିବାର ଆକ୍ରୋଶରେ ହରିଦ୍ୱାରର ହରକିପୋଡିରେ ପହଞ୍ଚି ସେମାନଙ୍କ ଜୀବନର ସ୍ୱପ୍ନ ତଥା ସଫଳତାର ସନ୍ତକକୁ ଦେଇ ଥିଲେ ଅଶ୍ରୁଳ ବିଦାୟ । ବିଭିନ୍ନ ଗଣମାଧ୍ୟମରେ ସିଧା ପ୍ରସାରଣ ବା ଲାଇଭ ଟେଲିକାଷ୍ଟ ହେଉଥିବା ଏଇ ମୁହୂର୍ତ୍ତ ପ୍ରତ୍ୟେକ ଭାରତୀୟଙ୍କ ହୃଦୟକୁ ଦୋହଲାଇ ଦେଉଥିଲା । ସବୁ ଦିଗରୁ ନିରାଶ ହେବା ପରେ ବିଶ୍ୱବିଖ୍ୟାତ ଏଇ କୁସ୍ତିଯୋଦ୍ଧାମାନେ ନିଜ ଜୀବନର ଶ୍ରେଷ୍ଠ ସନ୍ତକକୁ ଧରି ଗଙ୍ଗାନଦୀ କୂଳରେ ପହଞ୍ଚିବା ପରେ ଭାବବିହ୍ୱଳ ହୋଇ ପଡିଥିଲେ । ଏହାକୁ ଛାତିରେ ଜାବୁଡି କାନ୍ଦିବା ସହିତ ନିଜର ଅସହାୟତାକୁ ଦେଖି ମ୍ରିୟମାଣ ହୋଇ ପଡିଥିଲେ ।

ଯେଉଁ ସମ୍ମାନ ଆଉ ସଫଳତା ପାଇଁ ବର୍ଷ ବର୍ଷ ଧରି ଅକ୍ଳାନ୍ତ ପରିଶ୍ରମ କରୁଥିଲେ । ସେ ଖୁସିର ସନ୍ତକ ଆଉ କିଛି ସମୟ ପରେ ସବୁଦିନ ପାଇଁ ବିଦାୟ ନେଇଯିବ । ଯେଉଁ ମେଡାଲ ତାଙ୍କୁ ପରିଚୟ ଦେଇଥିଲା ଆଉ ଦେଶକୁ ଗର୍ବିତ କରିଥିଲା ସେ ଆଉ ଆଉ ଅଳପସମୟ ପାଇଁ । ଏମିତି ଅନେକ ଛାତିଥରା ଭାବନା ସହ ଲୁହ ଛଳ ଛଳ ଆଖି ଆଗରେ ଭାସି ଆସୁଥିଲା ସଂଘର୍ଷମୟ ସମୟର ଗୋଟିଗୋଟି ଚିତ୍ର । ତଥାପି କେହି ଆସି ତାଙ୍କୁ ବୁଝାଇ ନଥିଲେ ଦେଶର ଗର୍ବଗୌରବକୁ ଏମିତି ଭସାଇ ଦିଅନି । ତେବେ ଅନେକ ବିଶିଷ୍ଟ ବ୍ୟକ୍ତି ଖେଳାଳିମାନଙ୍କୁ ଏଇ ମେଡାଲ ନ ଭସାଇବା ପାଇଁ ଅପିଲ କରିଛନ୍ତି । ତେଣୁ ସେମାନେ ମାତ୍ର ୫ ଦିନର ଅବଧି ଦେଇଛନ୍ତି, ସରକାର ସେ ଭିତରେ ଦାବି ନମାନିଲେ ସେମାନେ ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେବେ ବୋଲି କହିଛନ୍ତି।

କିନ୍ତୁ ଏତେବଡ ଘଟଣା ପରେ ବି ସରକାରଙ୍କ ନିରବତା ସମସ୍ତଙ୍କୁ ଆଚମ୍ବିତ କରିଛି । ଏତେ ଅଭିଯୋଗ ତଥା ପୋକ୍ସୋ ଆକ୍ଟରେ ତଦନ୍ତ ପାଇଁ କୋର୍ଟଙ୍କ ନିର୍ଦେଶ ପରେ ବି କୁସ୍ତି ସଂଘ ସଭାପତି ତଥା ବବିଜେପି ସାଂସଦ ବ୍ରିଜଭୁଷଣଙ୍କୁ ଗିରଫ ନକରିବା ଖେଳାଳିଙ୍କୁ ଯେତିକି ନିରାଶ କରିଛି ସତେିକି ନିରାଶ ବି ସାଧାରଣ ଜନତାଙ୍କୁ ହେବାକୁ ପଡିଛି । ବିଶେଷ କରି ଦେଶର ଗର୍ବ ଗୌରବ ଭିନେଶ ଫୋଗଟ, ସାକ୍ଷୀ ମଲ୍ଲିକ ଓ ବଜରଙ୍ଗ ପୁନିଆଙ୍କୁ ପୁଲିସ ଯେଉଁଭଳି ବର୍ବର ବ୍ୟବହାର ସହିତ ଗିରଫ କରି ଜନ୍ତରମନ୍ତରରୁ ହଟାଇଥିଲା । ଅନଶନ ସ୍ଥଳରେ ଥିବା ତାଙ୍କ ଅସ୍ଥାୟୀ କ୍ୟାମ୍ପକୁ ପୁଲିସ ବଳପୁର୍ବକ ଭାଙ୍ଗି ଦେଇଥିଲା । ସେ ଦୃଶ୍ୟ ବି ଦେଶବାସୀଙ୍କୁ ଢେର ମର୍ମାହତ କରିଛି । ଖେଳାଳିଙ୍କୁ ଇଏ କି ସମ୍ମାନ ବୋଲି ବର୍ତ୍ତମାନ ସାରାଦେଶରୁ ପ୍ରଶ୍ନ ଉଠିଲାଣି। କାରଣ ଅଭିଯୋଗପରେ ବି ମହିଳା ଖେଳାଳିଙ୍କ ପ୍ରତି ବ୍ରିଜଭୁଷଣଙ୍କ ଖୋଲାଖୋଲି ଅଶ୍ଳୀଳ ବୟାନ ନିଆଁରେ ଆହୁରି ଘିଅ ଢାଳିଛି । ତେବେ ଦେଖିବାକୁ ରହିଲା ଆରପାର ଲଢେଇ ପାଇଁ ମୈଦାନକୁ ଓହ୍ଲାଇଥିବା କୁସ୍ତି ଯୋଦ୍ଧାଙ୍କ ସମ୍ମାନାର୍ଥେ ସରକାର କିଛି ପଦେକ୍ଷପ ନେଉଛନ୍ତି ନା ଲଢେଇ ଆଗକୁ ଆହୁରି ଜୋରଦାର ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com