Featuredଓଡ଼ିଶା

ବାପା ନାଁରେ କଳଙ୍କ ବୋଲିଦେଲା, ଜନ୍ମଦାତା ହୋଇ ପାଲଟିଲା ରାକ୍ଷସ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ନୃଶଂସ ବାପାର ସୈତାନ କାମ । ଝିଅ ଜନ୍ମ ହେବାରୁ ରାକ୍ଷସ ସାଜିଲା ବାପା । ୨୦ ଦିନର କଅଁଳ ଝିଅକୁ ବିଷ ଉଞ୍ଜେକ୍ସନ ଦେଇ ମାରିଦେବାକୁ କରୁଥିଲା ଉଦ୍ୟମ । ଏଭଳି ଏକ ଅମାନୁଷିକ ଘଟଣା ଘଟିଛି ବାଲେଶ୍ୱର ନୀଳଗିରି ଅଞ୍ଚଳରେ । ରାତି ପାହିଲେ ଝିଅର ଏକୋଇଶିଆ ହୋଇଥାନ୍ତା । ହେଲେ ତା ଆଗରୁ ନିଷ୍ଠୁର ବାପା ଝିଅକୁ ମାରି ଦେବା ପାଇଁ କୀଟନାଶକ ଇଞ୍ଜେକ୍ସନ ଦେଇଥିଲା । ଆଉ ଏବେ କଅଁଳ ଶିଶୁଟି ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛି ।

ହତ୍ୟା ଉଦ୍ୟମ କରିଥିବା ବାପା ଜଣକ ହେଲା ବାଲେଶ୍ୱର ସହର ମଲ୍ଲିକାଶପୁରର ଚନ୍ଦନ ମହାର୍ଣ୍ଣା । ବର୍ଷକ ତଳେ ନୀଳଗିରି ବ୍ଲକ ସିଙ୍ଗିରୀ ଗ୍ରାମର ତନ୍ମୟା ସିଂହଙ୍କୁ ବିବାହ କରିଥିଲେ ଚନ୍ଦନ । ଗତ ୯ତାରିଖରେ ବାଲେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତନ୍ମୟା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ସେଠାରେ ୭ ଦିନ ରହିବା ପରେ ଝିଅକୁ ନେଇ ବାପଘରେ ଥିଲେ ତନ୍ମୟା । ୨୯ ତାରିଖ ନବଜାତକର ଏକୋଇଶିଆ ଥିବାରୁ ପାଳନ ପାଇଁ ଘର ଲୋକ ସମସ୍ତେ ବ୍ୟସ୍ତ ଥିଲେ । ହେଲେ ଝିଅ ଜନ୍ମ ହୋଇଥିବାରୁ ରାଗରେ ଜଳୁଥିଲା ଚନ୍ଦନ । ସେ ଏହାର ଦିନକ ଆଗରୁ ଆସି ଶ୍ୱଶୁର ଘରେ ରହିଥିଲା । ସୁଯୋଗ ଦେଖି ଝିଅକୁ ବିଷ ଇଞ୍ଜେକ୍ସନ ଦେଇଦେଇଥିଲା । ଫଳରେ ଯନ୍ତ୍ରଣାରେ ଶିଶୁ କନ୍ୟାଟି ଜୋରରେ କାନ୍ଦିବାକୁ ଲାଗିଥିଲା । ଏହାପରେ ତନ୍ମୟା ଦୌଡି ଆସି ସ୍ୱାମୀ ଚନ୍ଦନଙ୍କ ହାତରେ ରକ୍ତ ଲାଗିଥିବା ବେଳେ ଝିଅର ବାମପଟ ବାହୁରୁ ରକ୍ତ ବାହାରୁଥିବା ଦେଖିଥିଲେ । ଏହି ଘଟଣା ସମ୍ପର୍କରେ ଘରଲୋକ ଜାଣିବା ପରେ ଚନ୍ଦନକୁ ଅଟକ ରଖିବା ସହ ଝିଅକୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନେଇଯାଇଥିଲେ । ସେଠାରେ ଝିଅ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛି । ଏପଟେ ତନ୍ମୟା ଘଟଣା ସମ୍ପର୍କରେ ନୀଳଗିରି ଥାନାରେ ଅଭିଯୋଗ କରିବା ପରେ ଚନ୍ଦନକୁ ଅଟକ ରଖଥିଲା ପୁଲିସ । ଶିଶୁକନ୍ୟାକୁ ବିଷାକ୍ତ ଇଞ୍ଜେକ୍ସନ ଦେଇଥିବା ପୁଲିସ ଆଗରେ ସ୍ୱିକାର କରିଛି ଚନ୍ଦନ।

Related Articles

Back to top button
WP Twitter Auto Publish Powered By : XYZScripts.com