Breaking NewsFeaturedଓଡ଼ିଶା

ବିବାହରେ ବିଳମ୍ବ ହେଲା, ବାପାକୁ ହତ୍ୟା କରିଦେଲା ନିଶାଡ଼ି ପୁଅ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: କୁହାଯାଏ ପିତା ସ୍ୱର୍ଗଠାରୁ ବଡ଼ ଆଉ ମା ପୃଥିବୀଠାରୁ ଭାରୀ । କିନ୍ତୁ ଆଉ ଏବେ ଏହି କଥାର କୌଣସି ମୂଲ୍ୟ ରହୁ ନାହିଁ । ପିଲା ବଡ଼ ହେବା ପରେ ନିଜ ସ୍ୱାର୍ଥ ଆଗରେ ବାପାମାଙ୍କ ମୂଲ୍ୟ ବୁଝୁ ନାହାନ୍ତି । ବୃଦ୍ଧକାଳେ ବାପା-ମାଙ୍କୁ ଜରାଶ୍ରମରେ ଛାଡ଼ିଦେବା ଓ ନିର୍ଯାତନା ଦେଉଥିବା ଅନେକ ସମୟରେ ଶୁଣିଥିବେ । ହେଲେ ଆମେ ଯାହା କହିବାକୁ ଯାଉଛୁ, ଆପଣ ଶୁଣିଲେ ମୁଣ୍ଡରେ ହାତଦେବେ । ପୁଅର ବିବାହରେ ବିଳମ୍ବ ହେଲା ବୋଲି ବାପାଙ୍କୁ ହତ୍ୟା କରିଦେବା ଘଟଣାକୁ ସହଜରେ କେହି ବିଶ୍ୱାସ କରିପାରିବେନି । କିନ୍ତୁ ଏଭଳି ଅଭାବନୀୟ ଓ ଅମାନବୀୟ ଘଟଣା ଘଟିଛି ।

ପୁଅ ପାଇଁ ବାପାଠୁ ବଡ଼ ହୋଇଗଲା ବିବାହ । ବାହାଘର ପାଇଁ ପାଲଟିଗଲା ପିଶାଚ । ବିବାହ କରାଇବା ବିଳମ୍ବ ହେବାରୁ ବାପାର ଜୀବନ ନେବାକୁ ପଛାଇଲା ନାହିଁ ପୁଅ । ଏଭଳି ନିନ୍ଦନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ପିପିଲି ଥାନା ସାନକଣ୍ଟିି ଗ୍ରାମରେ । ଗ୍ରାମର ହୃଷିକେଶ ପ୍ରଧାନଙ୍କ ଦୁଇ ପୁଅ ରବୀନ୍ଦ୍ର ଏବଂ ଜିତେନ୍ଦ୍ର । ବଡ଼ ପୁଅ ରବୀନ୍ଦ୍ରଙ୍କର ବିବାହ ସରିଥିବାବେଳେ, ସାନ ପୁଅ ଜିତେନ୍ଦ୍ର ଅବିବାହିତ । ତେବେ ସେ ବୁଧବାର ବିଳମ୍ବିତ ରାତିରେ ମଦପିଇ ଘରେ ବାପାଙ୍କ ସହ ଝଗଡ଼ା କରିଥିଲା । ବାରମ୍ବାର ବାହାଘର ପାଇଁ କହିବା ପରେ ତାଙ୍କର ବିବାହ କରୁନଥିବାରୁ ସେ ଉତ୍ୟକ୍ତ ହୋଇ ବାପାଙ୍କ ମୁଣ୍ଡକୁ ଟାଙ୍ଗିଆରେ ଚୋଟ ପକାଇଥିଲା । ଆଉ ଘଟଣା ସ୍ଥଳରେ ହିଁ ଚାଲି ଯାଇଥିଲା ହୃଷୀକେଶଙ୍କ ଜୀବନ । ତେବେ ଜିତେନ୍ଦ୍ର ଖସି ପଳାଉଥିବା ବେଳେ ଲୋକମାନେ ନିର୍ଦ୍ଦୁମ୍ ଛେଚିଥିଳେ ଓ ତାର ଗୋଡ଼ଭାଙ୍ଗି ଛାତରେ ପକାଇଦେଇଥିଲେ । ପରେ ଅଭିଯୁକ୍ତ ଜିତେନ୍ଦ୍ରକୁ ଗିରଫ କରିଛି ପୁଲିସ୍ । ତାକୁ ପ୍ରଥମେ ପିପିଲି ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ପୁରୀରୁ ସାଇଣ୍ଟିଫିକ୍ ଟିମ୍‌, ପିପିଲି ଏସ୍‌ଡିପିଓ ଦେବଦତ୍ତ ବରାଳ, ଥାନା ଅଧିକାରୀ ଅଭିମନ୍ୟୁ ନାୟକ ପ୍ରମୁଖ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ଏ ନେଇ ପିପିଲି ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com