ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି ବାହାନଗା ଟ୍ରେନ୍ ଦୁର୍ଘଟଣା, ବ୍ରିଟେନ୍ରେ ଝରିଲା ଲୁହ

ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ମନରୁ ଲିଭୁନି ସେ କାଳ ରାତିର କରାଳ ରୂପ । ଏକାବେଳେକେ ଚାଲିଗଲା ୨୮୮ ଜୀବନ । କେବଳ ଓଡ଼ିଶା କି ଭାରତ ନୁହେଁ ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି ବାହାନଗା ଟ୍ରେନ୍ ଦୁର୍ଘଟଣା । ଏଭଳି ଲୋମଟାଙ୍କୁରା ଦୁର୍ଘଟଣା ବୋଧହୁଏ ଆଗରୁ କେବେ ଘଟି ନଥିଲା । ଦୁର୍ଘଟଣା ସ୍ଥଳର ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ ତାହାକୁ ଆଖିରେ ଦେଖିବା ଦୂରର କଥା ଶୁଣିଲେ ଛାତି ଥରି ଯାଉଥିଲା । ଏବେ ଏହି ଦୁଃଖ ଲାଗି ଲୁହ ଝରାଇଛି ବ୍ରିଟେନ୍।
ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ , ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟ ସାହାଯ୍ୟର ହାତ ବଢାଇଥିଲେ । ବିଶ୍ୱନେତା ମାନେ ମଧ୍ୟ ଏଥିରେ ଦୁଃଖ ପ୍ରକାଶ କରିଥିଲେ । ତେବେ ଏହି ଟ୍ରେନ୍ ଦୁର୍ଘଟଣାକୁ ନେଇ ବ୍ରିଟେନ୍ ସଂସଦରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ହାଉସ୍ ଅଫ୍ କମନସ୍ରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା । ଲଣ୍ଡନରେ ଭାରତୀୟ ବଂଶୋଦ୍ଭବ ବିରୋଧୀ ଲେବର ପାର୍ଟି ସାଂସଦ ବିରେନ୍ଦ୍ର ଶର୍ମା ଏହି ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ଓଡ଼ିଶାରେ ହୋଇଥିବା ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ ବ୍ରିଟେନ୍ର ସମସ୍ତ ସାଂସଦ। ଏଥି ସହିତ ଏହି ଦୁର୍ଘଟଣା ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲ ଉତ୍ତର ଇଂଲଣ୍ଡର ଷ୍ଟକ୍ପୋର୍ଟରେ ଏମ୍ପି ନଭେନ୍ଦୁ ମିଶ୍ରା କହିଛନ୍ତି ।