
ଢେଙ୍କାନାଳ: ସବୁଦିନ ପରି ସେଦିନ ମଧ୍ୟ ଘରୁ ବାହାରି କାମକୁ ବାହାରିଥିଲେ ୩ ଶ୍ରମିକ । ଛାତ ପଡ଼ିବା ପାଇଁ ଯାଗା ମୁଣ୍ଡରେ ପହଂଚି କରିଥାନ୍ତେ ରଡ ବାଇଣ୍ଡିଂ । ଗୋଟିଏ ବାଇକରେ ୩ ଜଣ ସବାର୍ ହୋଇ ବାହାରିଲେ କାମକୁ । ହେଲେ ଆଖି ପିଛୁଳାକେ ମାଡ଼ିଗଲା ବସ୍ । ଚାଲିଗଲା ୩ଟି ଜୀବନ । ଗଡ଼ିଗଲା ମୁଣ୍ଡ । ଚାହୁଁ ଚାହୁଁ ୩ଟି ଜୀବନ ହରାଇଲା ୩ଟି ପରିବାର । ୩ ଜଣ ଶ୍ରମିକଙ୍କ ଉପରେ ମାଡ଼ିଗଲା ବସ୍। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଖଇରାମୁଣ୍ଡା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ଅନ୍ତର୍ଗତ ନାଉପାଳକାଟେଣୀ ଗାଁର ସାଗର ପ୍ରଧାନ, ପିନୁ ସାହୁ ଏବଂ ସୁମନ୍ତ ପରିଡା। ଖଇରାମୁଣ୍ଡା ଗାଁରେ ଜଣେ ବ୍ୟକ୍ତିଙ୍କର ଛାତ ପଡ଼ିଥାନ୍ତା। ଏଥିପାଇଁ ୩ ଜଣ ଏକ ବାଇକ୍ ଯୋଗେ ରଡ଼ ବାଇଣ୍ଡିଙ୍ଗ କରିବା ପାଇଁ ଖଇରାମୁଣ୍ଡା ଗାଁକୁ ଯାଉଥିଲେ। ଏହି ସମୟରେ ଭୋଳାନାଥ ନାମକ ଯାତ୍ରୀବାହୀ ବସ୍ଟି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସାଗରଙ୍କ ମୃତ୍ୟୁ ହୋଇଥିବା ବେଳେ ପିନୁ ଏବଂ ସୁମନ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।