ଜାତୀୟ

ବିଏମଡବ୍ଲୁ ଧକ୍କାରେ ଫ୍ଲାଏଓଭରରୁ ଓଲଟିଲା ୱାଗନ୍ ଆର, ଫୁଟପାଥରେ ଶୋଇଥିବା ୨ ଶିଶୁ ମୃତ, ୮୦ କ୍ୟାମେରା ଯାଞ୍ଚ ପରେ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ଲୋଧୀ ରୋଡ ଫ୍ଲାଏଓଭରରେ ଦ୍ରୁତ ଗତିରେ ଆସୁଥିବା ବିଏମଡବ୍ଲୁ କାର ଏକ ୱାଗନ୍ ଆର କାରକୁ ଧକ୍କା ଦେଇଥିଲା। ଏହାପରେ ୱାଗନ୍ ଆର ଫୁଟପାଥକୁ ଚାଲିଯାଇଥିଲା, ଫଳରେ ସେଠାରେ ଶୋଇଥିବା ୨ ଶିଶୁଙ୍କ ସହ ମୃତ୍ୟୁ ହୋଇଥିବା ବେଳେ ଆଠ ଜଣ ଆହତ ହୋଇଥିଲେ । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ବିଏମଡବ୍ଲୁ ଚାଳକକୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତ ବ୍ୟକ୍ତି ଦିଲ୍ଲୀ ନିର୍ମାଣ ବିହାରର ୨୭ ବର୍ଷିୟ ସାହିଲ ନାରଙ୍ଗ ହୋଇଥିବା ଜଣପାଡିଛି । ସାହିଲଙ୍କ ପକଡା କାରୋବାର ଥିବା ପୋଲିସ କହିଛି।

ପୋଲିସ ସୂଚନା ଅନୁସାରେ ଗତ ଜୁନ ୧୦ ତାରିଖରେ ହଜରତ ନିଜାମୁଦ୍ଦୀନ ପୋଲିସକୁ ଏକ ଦୁର୍ଘଟଣାର ସୂଚନା ମିଳିଥିଲା । ଘଟଣା ସ୍ଥଳରେ ପହଞ୍ଚି ପୋଲିସ ଦେଖିବାକୁ ପାଇଥିଲା ଯେ, ଗୋଟିଏ ବିଏମଡବ୍ଲୁ କାର ମାରୁତି ୱାଗନ୍ ଆର କାରକୁ ଧକ୍କା ଦେଇଥିଲା । ଏହାପରେ ୱାଗନ୍ ଆର କାରଟି ଲୋଧୀ ରୋଡ ଫ୍ଲାଏଓଭର ତଳେ ପୁଟପାଥରେ ଶୋଇଥିବା ଲୋକଙ୍କ ଉପରେ ପଡି ଯାଇଥିଲା । କାର ତଳେ ଆସି ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ମୃତ ଦୁଇ ଶିଶୁଙ୍କ ନାଁ ରୋଶନୀ ଏବଂ ଆମୀର ହୋଇଥିବା ଜଣାପଡିଛି । ତାଙ୍କର ଅନ୍ୟ ଦୁଇ ଭଉଣୀ ସୋନିଆ ଏବଂ ଆମୀ ଆହତ ହୋଇଛନ୍ତି । ଦୁର୍ଘଟଣାରେ ୱାଗନ୍ ଆର ଚାଳକ ସହ ସେଥିରେ ଥିବା ଅନ୍ୟ ୪ ଜଣ ମଧ୍ୟ ଆହତ ହୋଇଛନ୍ତି । ୱାଗନ୍ ଆର ଚାଳକ ୟତିନ କିଶୋର ଶର୍ମାଙ୍କ ବୟାନକୁ ଆଧାର କରି ପୋଲିସ ମାମଲା ରୁଜୁ କରିଥିଲା ।

ତଦନ୍ତ ସମୟରେ ଫ୍ଲାଏଓଭର ନିକଟରେ ଥିବା ସିସିଟିଭି ଖରାପ ଥିଲା ଜଣାପଡିଥିଲା। ଏହାପରେ ପୋଲିସ ଓବୋରୟ ହୋଟେଲ, ଲୋଧୀ ରୋଡ, ବାରାପୁଲା ରୋଡ, ଲାଜପତ ରାୟ ମାର୍ଗକୁ ଯାଉଥିବା ରାସ୍ତାରେ ଲାଗିଥିବା ପ୍ରାୟ ୮୦ କ୍ୟାମେରା ଯାଞ୍ଚ କରିଥିଲା । ଏହାପରେ ପୋଲିସ କାରର ନମ୍ୱର ପ୍ଲେଟ ଜରିଆରେ କୃଷ୍ଣା ନଗରରେ ଥିବା ଗାଡି ମାଲିକ ଘରେ ପହଞ୍ଚିଥିଲା । ତେବେ ସର୍ଭିସିଂ ପାଇଁ ନିଜ ପୁତୁରାକୁ କାର ଦେଇଥିବା ମାଲିକ ଜଣକ ପୋଲିସକୁ କହିଥିଲେ । ଏହାପରେ ନିର୍ମାଣ ବିହାର ସ୍ଥିତ ଘରୁ ଅଭିଯୁକ୍ତ ସାହିଲକୁ ପୋଲିସ ଗିରଫ କରିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com