Breaking NewsFeaturedଜାତୀୟବାଣିଜ୍ୟ

ରାତାରାତି ଲକ୍ଷପତି କରିଦେଲା ଟମାଟୋ, ଗୋଟିଏ ଦିନରେ ୩୮ ଲକ୍ଷ ରୋଜଗାର 

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ବର୍ତ୍ତମାନ ସମୟରେ ଟମାଟର ଦାମ୍ ଯେଉଁଭଳି ଭାବରେ ବଢି ବଢି ଚାଲିଛି ଏହାକୁ ନେଇ ବିଭିନ୍ନ ପ୍ରକାରର ଖବର ମଧ୍ୟ ଆସୁଛି । କେତେବେଳେ କିଏ ଟମାଟୋକୁ ନେଇ ଗୀତ ଗାଉଛି ତ ଆଉ କିଏ ଡ଼ାନ୍ସ କରୁଛି । ଏଥି ସହିତ ସୋସିଆଲ ମିଡ଼ିଆରେ ଟମାଟୋକୁ ହାଇ ସିକ୍ୟୁରିଟି ବ୍ୟବସ୍ଥାରେ ରଖାଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି । ସବୁଠି ଏବେ ଟମାଟୋକୁ ନେଇସବୁଆଡ଼େ ଚର୍ଚ୍ଚା । ଭାରତୀୟ ପରିବାରଙ୍କୁ ପକେଟ ଖାଲି କରିବାକୁ ପଡ଼ୁଛି । ସରକାରୀ ତଥ୍ୟ ଅନୁଯାୟୀ, ଯଦି ଟମାଟୋର ମୂଲ୍ୟ ଦେଖାଯାଏ, ତେବେ ଗତ ଏକ ମାସ ମଧ୍ୟରେ ଏଥିରେ ୩୨୬.୧୩ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି ।

ରିପୋର୍ଟ ଅନୁଯାୟୀ, ଟମାଟୋର ମୂଲ୍ୟ ବୃଦ୍ଧି ହେତୁ ଲୋକମାନେ ଅସୁବିଧାରେ ପଡ଼ୁଚନ୍ତି । କିନ୍ତୁ ଜଣେ କୃଷକଙ୍କ ପରିବାର ପାଇଁ ଏହା ଏକ ବମ୍ପର ରୋଜଗାରର ସୁଯୋଗ ପାଲଟିଛି । କର୍ଣ୍ଣାଟକର କୋଲାରରେ ଏକ କୃଷକ ପରିବାର ସମୁଦାୟ ୨୦୦୦ ଟମାଟୋ ଟ୍ରେ ବିକ୍ରି କରି ମୋଟ ୩୮ ଲକ୍ଷ ଟଙ୍କା ରୋଜଗାର କରି ଘରକୁ ଫେରିଛନ୍ତି । ପ୍ରଭାକର ଗୁପ୍ତା ଏବଂ ତାଙ୍କ ଭାଇ ୪୦ ବର୍ଷରୁ ଅଧିକ ସମୟ ଧରି ଚାଷ କାର‌୍ୟ୍ୟ କରିଆସୁଛନ୍ତି ଏବଂ ଜିଲ୍ଲାର ବୈଥମଙ୍ଗାଲାରେ ସେମାନଙ୍କର ୪୦ ଏକର ଜମି ଅଛି । ଏପର୍ଯ୍ୟନ୍ତ ପ୍ରଭାକର ଗୁପ୍ତାଙ୍କ ପରିବାର ୧୫ କିଲୋଗ୍ରାମ ଟମାଟୋ ବାକ୍ସ ପାଇଁ ୮୦୦ ଟଙ୍କା ପାଇଥିଲେ, ଯାହା ଆଜି ପର୍ଯ୍ୟନ୍ତ ସେମାନଙ୍କର ସର୍ବୋତ୍ତମ ରୋଜଗାର ଥିଲା । ତେବେ ଏହି ମଙ୍ଗଳବାର ଦିନ ସେ ୧୫ କିଲୋଗ୍ରାମର ବାକ୍ସକୁ ୧୯୦୦ ଟଙ୍କାରେ ବିକ୍ରି କରିଥିଲେ। ପ୍ରଭାକର ଗୁପ୍ତାଙ୍କ ସମ୍ପର୍କୀୟ କହିଛନ୍ତି ଯେ ସେ କେବଳ ଉଚ୍ଚମାନର ଟମାଟୋ ଚାଷ କରନ୍ତି ।

ଟମାଟୋ ବିକ୍ରେତା କୃଷକ ଭେଙ୍କଟରମଣ ରେଡ୍ଡୀ ଚିନ୍ତାମଣି ତାଲୁକା ଅନ୍ତର୍ଗତ ଭାୟାଜକୁର ଗାଁର ବାସିନ୍ଦା । ସେ ମଙ୍ଗଳବାର ଦିନ ମୋଟ ୨୨୦୦ ଟଙ୍କାରେ ୧୫ କିଲୋଗ୍ରାମ ଟମାଟୋର ଏକ ବାକ୍ସ ବିକ୍ରି କରିଛନ୍ତି। ସେ କହିଥିଲେ ଯେ ଏହା ପୂର୍ବରୁ ସେ ଦୁଇ ବର୍ଷ ପୂର୍ବେ ତାଙ୍କ ଫସଲ ପାଇଁ ସର୍ବାଧିକ ମୂଲ୍ୟ ପାଇଥିଲେ ଯେତେବେଳେ ସେ ୧୫ କିଲୋଗ୍ରାମ ଟମାଟୋ ବାକ୍ସ ପାଇଁ ୯୦୦ ଟଙ୍କା ପାଇଥିଲେ। ସେ କୋଲାରର ଏପିଏମସି ବଜାରକୁ ୫୪ ବାକ୍ସ ଟମାଟୋ ନେଇଥିଲେ, ସେଥିମଧ୍ୟରୁ ସେ ୨୬ ବାକ୍ସ ପାଇଁ ୨୨୦୦ ଟଙ୍କା ପାଇଥିବାବେଳେ ଅବଶିଷ୍ଟ ବାକ୍ସଗୁଡ଼ିକ ପାଇଁ ସେ ପ୍ରତି ବାକ୍ସରେ ୧୮୦୦ ଟଙ୍କା ପାଇଥିଲେ। ଏହି ଉପାୟରେ ସେ ଟମାଟୋ ଫସଲରୁ ୩.୩ ଲକ୍ଷ ଟଙ୍କା ରୋଜଗାର କରିଥିଲେ । ଭେଙ୍କଟରମଣ ରେଡ୍ଡୀ ତାଙ୍କର ଏକ ଏକର ଜମିରେ ଟମାଟୋ ଚାଷ କରିଥିଲେ ଏବଂ ଏଥିପାଇଁ ସେ ଚଳିତ ବର୍ଷ ଅଧିକ ଲାଭ ପାଇଛନ୍ତି ।

କୋଲାରର KRS ଟମାଟୋ ମଣ୍ଡିର ସୁଧାକର ରେଡ୍ଡୀ ସୂଚନା ଦେଇଛନ୍ତି ଯେ ଟମାଟୋ ଯୋଗାଣ କମ୍ ଥିବାରୁ ଟମାଟୋର ମୂଲ୍ୟ ବଢୁଛି । ଏହି ମଙ୍ଗଳବାର ଦିନ, ୧୫ କିଲୋଗ୍ରାମ ବାକ୍ସ ଟମାଟୋ ମଣ୍ଡିରେ ୨୨୦୦ ରୁ ୧୯୦୦ ଟଙ୍କା ମୂଲ୍ୟରେ ବିକ୍ରି ହୋଇଥିଲା । ସେ ମନେ ପକାଇ ଦେଇଛନ୍ତି ଯେ ଏହା ପୂର୍ବରୁ ନଭେମ୍ବର ୨୦୨୧ ରେ ଟମାଟୋ ପାଇଁ ସେ ପ୍ରତି ବାକ୍ସରେ ୨୦୦୦ ଟଙ୍କା ପାଇଥିଲେ। ଫସଲକୁ କୀଟପତଙ୍ଗରୁ ରକ୍ଷା କରିବା ପାଇଁ ପଦକ୍ଷେପ ନେବା ଉଚିତ ବୋଲି ସେ କର୍ତ୍ତୃପକ୍ଷଙ୍କୁ ମଧ୍ୟ କହିଛନ୍ତି। ଗୋଟିଏ ପଟେ ଟମାଟୋ ଦର ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢାଇଥିବା ବେଳେ ଅନ୍ୟପଟେ ଏହା କେତେକ ଚାଷୀଙ୍କୁ ଭଲ ଲାଭ ଦେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com