ଜହ୍ନ ରାଇଜରେ ସଫଳ ହୋଇଛି ଚନ୍ଦ୍ରଯାନ… ଏଥର ଟିକନିକ୍ ତଥ୍ୟ ଦେବ
ଶୁକ୍ରବାର ଅପରାହ୍ନରେ ISRO ଛାଡ଼ିବ ଚନ୍ଦ୍ରଯାନ-୩
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ଶୁକ୍ରବାର ତୃତୀୟ ଥର ପାଇଁ ଚନ୍ଦ୍ର ପୃଷ୍ଠରେ ପାଦ ଥାପିବ ଭାରତର ଚନ୍ଦ୍ରଯାନ। ଏହାକୁ ନେଇ ସବୁଠି ଉତ୍ସାହର ମାହୋଲ। ହେଲେ ଏହା ସଫଳ ହେବ ନା ବିଫଳ ତାକୁ ନେଇ ସମସ୍ତଙ୍କ ମନରେ ଦ୍ୱନ୍ଦ୍ୱ ରହିଛି । ପ୍ରଥମ ପ୍ରୟାସରେ ସଫଳ ହୋଇଥିବା ମିଶନର ପୁନରାବୃତ୍ତି ହେବ ନା ଦ୍ୱିତୀୟ ଥର ପରି ଫେଲ ମାରିବ । କଣ ହେବ ଏହାର ଫଳାଫଳ । ତେବେ ISRO ପକ୍ଷରୁ ଦୃଢ଼ତାର ସହ ଚନ୍ଦ୍ରଯାନ-୩ ସଫଳ ହେବ ବୋଲି କୁହାଯାଇଛି।
- ଏମିତି ଥିଲା ଭାରତର ଚନ୍ଦ୍ର ଅଭିଯାନ-୧
ଏ ସବୁ ଭିତରେ ଚନ୍ଦ୍ରଯାନ-୧ର ସଫଳତା ଏବେବି ଲୋକଙ୍କ ମନରେ ଝଲସି ଯାଉଛି । ଆଜି ବି ମନେ ପଡିଯାଉଛି ସେହି ଦିନ । ଯେତେବେଳେ ଚନ୍ଦ୍ର ପୃଷ୍ଠରେ ପାଦ ଥାପିଥିଲା ଭାରତ । ଆଉ ଚନ୍ଦ୍ରରେ ଉଡିଥିଲା ତ୍ରୀରଙ୍ଗା ପତାକା । କେମିତି ହୃଦୟ ଜିତିଥିଲା ଇସ୍ରୋ । ଆଉ କେବେ ଆରମ୍ଭ ହୋଇଥିଲା ଚନ୍ଦ୍ରପୃଷ୍ଠରେ ନାଁ ଲେଖିବାର ଚେଷ୍ଟା । ୨୨ ଅକ୍ଟୋବର ୨୦୦୮ । ଜହ୍ନ ରାଇଜକୁ ଯିବା ପାଇଁ ଇସ୍ରୋ ଲଞ୍ଚ କରିଥିଲା ଚନ୍ଦ୍ରଯାନ ୧ । ସେଦିନ ସମୟ ଥିଲା ଇତିହାସ ରଚିବାର ଆଉ ମହାକାଶର ସ୍ୱର୍ଣ୍ଣମ ଫର୍ଦ୍ଦରେ ନାଁ ଲେଖିବାର । ଶ୍ରୀହରିକୋଟ ସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଚନ୍ଦ୍ରପୃଷ୍ଟକୁ ପଠାଯାଇଥିଲା ଉପଗ୍ରହ । ଯାହାର ନାମ ଥିଲା ଚନ୍ଦ୍ରଯାନ-୧ । ଏଥିରେ ଯୋଡ଼ା ଯାଇଥିଲା ଅତ୍ୟାଧୁନିକ ଯନ୍ତ୍ରପାତି । ଏହି ମିଶନରେ ଏକ ଲୁନାର ଅର୍ବିଟର ଓ ଇମ୍ପାକ୍ଟରକୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହି ମିଶନ ଥିଲା ଭାରତର ପ୍ରଥମ ଚନ୍ଦ୍ର ମିଶନ । ଏହି ମିଶନରେ ଖର୍ଚ୍ଚ ହୋଇଥିଲା ପାଖାପାଖି ୩୮୬ କୋଟି ଟଙ୍କା । ଆଉ ସବୁଠୁ ବଡ କଥା ଥିଲା ଯେ, ଚନ୍ଦ୍ରଯାନ ସ୍ୱଦେଶୀ ଜ୍ଞାନ କୌଶଳ ଓ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ବିକଶିତ ହୋଇଥିଲା । ୮ ନଭେମ୍ବର ୨୦୦୮ରେ ଚନ୍ଦ୍ରର ପରିସର ଭିତରକୁ ପ୍ରବେଶ କରିଥିଲା ଚନ୍ଦ୍ରଯାନ । ଆଉ ପ୍ରଥମ ଥର ପାଇଁ ଜହ୍ନକୁ ନିଜ ହାତ ପାହାନ୍ତାରେ ପାଇଥିଲା ଭାରତ ।
ଦୁଇ ବର୍ଷ ମଧ୍ୟରେ ଚନ୍ଦ୍ରପୃଷ୍ଠକୁ ସର୍ଭେ କରିବା, ଭୂ-ପୃଷ୍ଠରେ ରାସାୟନିକ ଗଠନର ସମ୍ପୂର୍ଣ୍ଣ ମାନଚିତ୍ର ଏବଂ ୩ ଡାଇମେନ୍ସନାଲ ଟପୋଗ୍ରାଫି ପ୍ରସ୍ତୁତ କରିବା ପାଇଁ ଉଦ୍ଦିଷ୍ଟ ଥିଲା ଏହି ସାଟେଲାଇଟ । ଯାହା ପରେ ଚନ୍ଦ୍ରର ଅନେକ କ୍ଷେତ୍ରର ସନ୍ଧାନ ପାଇଁ ପ୍ରଶସ୍ତ ହୋଇଯାଇଥିଲା ରାସ୍ତା । ପୋଲାର ଅଂଚଳ ଗୁଡିକରେ ବରଫ ଜଳ ରହିଛି କି ନାହିଁ ସେ ବିଷୟରେ ଜାଣିବା ପାଇଁ ବିଶେଷ ଭାବେ କାର୍ଯ୍ୟକାରୀ ହୋଇଥିଲା ଚନ୍ଦ୍ରଯାନ । ଏହି ମିଶନ ଦ୍ୱାରା ଚନ୍ଦ୍ର ପୃଷ୍ଠରେ ଜଳ ଅଣୁଥିବା ଆବିଷ୍କାର କରାଯାଇଥିଲା । ସେହିପରି ସମୟ ବିତିବା ସହ ଚନ୍ଦ୍ରପୃଷ୍ଠର ଟିକିନିକି ଖବରକୁ ଭାରତୀୟ ବୈ÷ଜ୍ଞାନିକଙ୍କ ପାଖକୁ ପଠାଉଥିଲା ଚନ୍ଦ୍ରଯାନ । ଧିରେ ଧିରେ ଚନ୍ଦ୍ର ବିଷୟରେ ଅଧିକ ତଥ୍ୟ ସାଉଁଟୁ ଥାନ୍ତି ଭାରତୀୟ ବୈଜ୍ଞାନିକ । ହେଲେ ହଠାତ ଦିନେ ସେ ସବୁରେ ପଡିଲା ପୂର୍ଣ୍ଣଛେଦ । ଜହ୍ନ ରାଇଜରେ ପାଦ ଥାପିବାର ଏକ ବର୍ଷ ପରେ ଷ୍ଟାର ଟ୍ରାକରର ବିଫଳତା ଦେଖାଦେଲା । ଆଉ ଏଥିରେ ଅନେକ ଯାନ୍ତ୍ରୀକ ତ୍ରୁଟି ମଧ୍ୟ ଉପୁଜିଥିଲା । ଅଗଷ୍ଟ ୨୮,୨୦୦୯ରେ ଚନ୍ଦ୍ରଯାନ ସହ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା । ଏହାର କିଛି ସମୟ ପରେ ଚନ୍ଦ୍ରଯାନ ମିଶନ ବନ୍ଦ ହୋଇଛି ବୋଲି ଆନୁଷ୍ଠାନିକ ଭାବେ ଘୋଷଣା କରାଗଲା । ତେବେ ଲଞ୍ଚ ପୂର୍ବରୁ ଧାର୍ଯ୍ୟ କରାଯାଇଥିଲା ଏହି ମିଶନ ୨ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବ । ହେଲେ ମାତ୍ର ୩୧୨ ଦିନ ପର୍ଯ୍ୟନ୍ତ ଏହି ମିଶନକୁ ଆଗକୁ ନେଇଥିଲା ଚନ୍ଦ୍ରଯାନ-୧ । କମ ସମୟ ହୋଇଥିଲେ ମଧ୍ୟ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ହାସଲ କରିବାରେ ସହାୟକ ହୋଇଥିଲା ଚନ୍ଦ୍ରଯାନ-୧…
- ଏମିତି ଥିଲା ଭାରତର ଚନ୍ଦ୍ର ଅଭିଯାନ-୨
ଏହାପରେ ୨୦୧୮ରେ ଆରମ୍ଭ ହୋଇଥିଲା ଚନ୍ଦ୍ରଯାନ ମିଶନ ୨ । ୨୨ ଜୁଲାଇ ୨୦୧୯ରେ ଆନ୍ଦ୍ରପ୍ରଦେଶର ଶ୍ରୀହରିକୋଟାରୁ ଲଂଚ ହୋଇଥିଲା ଚନ୍ଦ୍ରଯାନ-୨ । ଚନ୍ଦ୍ରଯାନକୁ ଧରି ମହାକାଶ ଅଭିମୁଖେ ମାଡ଼ି ଚାଲିଲା ଜିଏସଏଲଭି-ଏମକେ-୩ ରକେଟ । ଏହା ସହ ଆଗକୁ ଚାଲିଲା ଶହେ କୋଟି ଭାରତୀୟଙ୍କ ସ୍ୱପ୍ନ । ଭୂପୃଷ୍ଠ ଛାଡ଼ିବାର ମାତ୍ର ୧୬ ମିନିଟ୍ ପରେ ପୃଥିବୀ କକ୍ଷପଥରେ ପହଞ୍ଚି ଗଲା ମହାକାଶ ଯାନ । ପାଞ୍ଚ ଥର ପୃଥିବୀ ଚାରିପଟେ ବୁଲିବା ପରେ ଚନ୍ଦ୍ରର ମାଧ୍ୟାକର୍ଷଣ କ୍ଷେତ୍ରର ନିକଟବର୍ତ୍ତୀ ହୋଇଥିଲା । ପରେ ଆରମ୍ଭ ହୋଇଥିଲା ଚନ୍ଦ୍ର ଅଭିମୁଖେ ଯାତ୍ରା । ଚନ୍ଦ୍ର ଆଡ଼କୁ ମୁହାଁଇଲା ଚନ୍ଦ୍ରଯାନ-୨ । ତେର ଦିନର ଯାତ୍ରା ପରେ ଚନ୍ଦ୍ରର ପଞ୍ଚମ ତଥା ଶେଷ କକ୍ଷପଥକୁ ପ୍ରବେଶ କରିଥିଲା ଚନ୍ଦ୍ରଯାନ-୨ । ଚନ୍ଦ୍ରପୃଷ୍ଠର ଆହୁରି ନିକଟତର ହୋଇଥିଲା ଚନ୍ଦ୍ରଯାନ । ଏହି ପର୍ୟ୍ୟନ୍ତ ଅର୍ବିଟର, ଲାଣ୍ଡର ଓ ରୋଭର ଏକାଠି ଯାତ୍ରା କରିଥିଲେ । ଇସ୍ରୋର ଯୋଜନା ମୁତାବକ ଅର୍ବିଟରରୁ ଅଲଗା ହୋଇଥିଲା ଲାଣ୍ଡର । ଅର୍ବିଟରର ପଛେ ପଛେ ଚାଲିଥିଲା ବିକ୍ରମ ଲାଣ୍ଡର । ଅର୍ବିଟରରୁ ଅଲଗା ହେବା ପରେ ଲାଣ୍ଡରର କକ୍ଷପଥକୁ ବଦଳାଇ ଦେଇଥିଲା ଇସ୍ରୋ । କକ୍ଷ ପରିବର୍ତ୍ତନ କଲା ଲାଣ୍ଡର ବିକ୍ରମ । ପ୍ରାୟ ତିନି ଦିନ ଧରି ଚନ୍ଦ୍ର ଚାରିପଟେ ଘୂରି ବୁଲୁଥିଲା ବିକ୍ରମ ଲାଣ୍ଡର । ଏହି ସମୟରେ ଲାଣ୍ଡର ଓ ପ୍ରଜ୍ଞାନ ରୋଭରର ଯନ୍ତ୍ରାଂଶ ଯାଞ୍ଚ କରିଥିଲେ ଇସ୍ରୋର ବୈଜ୍ଞାନିକ । ଦକ୍ଷିଣ ମେରୁରେ ଅବତରଣ ପାଇଁ ଆରମ୍ଭ ହୋଇଥିଲା ପ୍ରସ୍ତୁତି । ହେଲେ ମହାକାଶରେ ଇତିହାସ ରଚିବା ଲାଗି ନିକଟତର ହେଉଥିବା ଭାରତ ଶେଷ ପର୍ଯ୍ୟାୟରେ ନିରାଶ ହୋଇଥିଲା । ୧୧ ବର୍ଷର ଅପେକ୍ଷା । ଦୀର୍ଘ ୪୭ ଦିନର ମହାକାଶରେ ଯାତ୍ରା । ସବୁ କିଛି କ୍ଷଣିକରେ ଭାଙ୍ଗି ଚୁରମାର ହୋଇଗଲା । ହଠାତ ବିକ୍ରମ ସହ ଇସ୍ରୋର ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା । ଆଉ ଏସବୁ ଭିତରେ ଭାରତର ମିଶନ ଚନ୍ଦ୍ରଯାନ-୨ ଅଧାରେ ରହିଯାଇଥିଲା ।
ବର୍ତ୍ତମାନ ଚନ୍ଦ୍ରଯାନ-୨ର ଆଶିଂକ ସଫଳତା ପରେ ଇସ୍ରୋ ମିଶନ ଚନ୍ଦ୍ରଯାନ-୩ ପାଇଁ ଲାଗିପଡ଼ିଥିଲା । ଯାହାକୁ ଶୁକ୍ରବାର ତଥା ୧୪ ଜୁଲାଇ ୨୦୨୩ରେ ଚନ୍ଦ୍ର ପୃଷ୍ଠକୁ ପଠାଯିବ।