Breaking NewsFeaturedଜାତୀୟରାଜନୀତି

ତାମିଲନାଡୁ ମନ୍ତ୍ରୀଙ୍କ ଘରେ ଇଡି ରେଡ୍, ମିଳିଲା ବିଦେଶୀ ମୁଦ୍ରା ସହ ୭୦ ଲକ୍ଷ

ବିରୋଧୀ ଏକତା ବୈଠକକୁ ଲାଗିଲା ଝଟକା

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ବିରୋଧୀ ଏକତା ପାଇଁ ଜାରି ବୈଠକ ଭିତରେ ତାମିଲନାଡୁର ମନ୍ତ୍ରୀଙ୍କ ଘରେ ଇଡି ଚଢ଼ଉ କରିଛି। ଶେଷ ରିପୋର୍ଟ ସୁଦ୍ଧା ମନ୍ତ୍ରୀଙ୍କ ଘରୁ ୭୦ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି। ଏଥିରେ ୧୦ ଲକ୍ଷରୁ ଅଧିକ ବିଦେଶୀ ମୁଦ୍ରା ରହିଛି। ଡିଏମକେ ନେତା ତଥା ରାଜ୍ୟର ଉଚ୍ଚ ଶିକ୍ଷାମନ୍ତ୍ରୀ ପୋନମୁଡି ଏବଂ ତାଙ୍କ ପୁଅ ଗୌତମ ସିଗାମଣିଙ୍କ ଘରେ ଏହି ରେଡ୍‌ ହୋଇଛି। ମନି ଲଣ୍ଡ୍ରିଂ ମାମଲାରେ ବାପା-ପୁଅଙ୍କ ଚେନ୍ନାଇ ଏବଂ ବିଲ୍ଲୁପୁରମ ସ୍ଥିତ ଘରେ ଇଡି ଚଢ଼ଉ ହୋଇଛି। ରାଜ୍ୟ ଶାସନରେ ଥିବା ଡିଏମକେ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଇଥିବା କହିଛି। ଉଲ୍ଲେଖଯୋଗ୍ୟ ଯେ ୭୨ ବର୍ଷୀୟ ମନ୍ତ୍ରୀ ବିଲ୍ଲୁପୁରମ ଜିଲ୍ଲାର ତିରୁକ୍କୋୟିଲରୁ ବିଧାନସଭା ଆସନରୁ ବିଧାୟକ ଅଛନ୍ତି । ଅନ୍ୟପଟେ ତାଙ୍କ ପୁଅ କଲ୍ଲାକୁରିଚି ଆସନରୁ ସାଂସଦ ଅଛନ୍ତି ।

୨୦୦୭ରୁ ୨୦୧୧ ମଧ୍ୟରେ ରାଜ୍ୟର ଖଣି ମନ୍ତ୍ରୀ ଥିବା ବେଳେ ମନି ଲଣ୍ଡ୍ରିଂ ମାମଲା ସାମନାକୁ ଆସିଥିଲା। ଏହି ସମୟରେ ଲାଇସେନ୍ସର ସର୍ତ୍ତକୁ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ରାଜକୋଷକୁ ୨୮ କୋଟି ଟଙ୍କାର କ୍ଷତି ହୋଇଥିଲା। ମନ୍ତ୍ରୀ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ କଥିତ ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ମାମଲା ରୁଜୁ କରିଥିଲା ପୁଲିସ୍‌। ସିଗାମଣି ଏହା ବିରୋଧରେ ହାଇକୋର୍ଟ ଯାଇଥିଲେ କିନ୍ତୁ କୋର୍ଟ ଜୁନରେ ଏହି ମାମଲା ଉପରେ ରୋକ ଲଗାଇବାକୁ ମନା କରିଦେଇଥିଲେ। ମନ୍ତ୍ରୀଙ୍କ ବିରୋଧରେ ନିଜ ପୁଅ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ପାଇଁ ଖଣି ଲାଇସେନ୍ସ ହାସଲ କରିବା ଏବଂ ଲାଇସେନ୍ସଧାରକଙ୍କ ପାଇଁ ଧାର୍ଯ୍ୟ ସୀମାଠାରୁ ଅଧିକ ମାଙ୍କଡା ମାଟି ଖନନ କରିବା ଅବିଯୋଗ ରହିଛି ।

ଉଲ୍ଲେଖଯୋଗ୍ୟ ଡିଏମକେ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ବିରୋଧୀ ଏକତା ବୈଠକ ପାଇଁ ବେଙ୍ଗାଲୁରୁରେ ଅଛନ୍ତି । ଏହାରି ଭିତରେ ଏହି ଚଢଉକୁ ନେଇ ଡିଏମକେ କହିଛି ଯେ ଷ୍ଟାଲିନଙ୍କ ନେତୃତ୍ୱରେ ପାର୍ଟି ବିଜେପିର ମୁକାବିଲା କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଏଭଳି ସ୍ଥିତିରେ ଇଡିର କାର୍ଯ୍ୟାନୁଷ୍ଠାନ ଡରାଇବା ଉଦ୍ଦେଶ୍ୟରେ କରାଯାଇଛି । ପାର୍ଟିର ଜଣେ ମୁଖପାତ୍ର କହିଛନ୍ତି ଯେ ଏହା ରାଜନୈତିକ ପ୍ରତିଶୋଧ। ତେବେ ଇଡି ଚଢ଼ଉ ବିରୋଧୀ ମେଳିକୁ ବଡ଼ ଝଟକା ଦେଇଥିବା ଆଲୋଚନା ହେଉଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com