Breaking NewsFeaturedଜାତୀୟରାଜନୀତି

ବିରୋଧୀ ମେଣ୍ଟର ନାଁ ଘୋଷଣା ପରେ ଅସନ୍ତୁଷ୍ଟ ବିହାରୀ ବାବୁ ଓ ବାମଦଳିଆ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ପାଖେଇ ଆସୁଛି ୨୦୨୪ ଲୋକସଭା ନିର୍ବାଚନ । ଏହାକୁ ନେଇ ଏବେଠାରୁ ଭାରତୀୟ ରାଜନୀତିକ ପାଣିପାଗରେ ଉଷ୍ମତା ବଢିଗଲାଣି । ବିଜେପିକୁ କ୍ଷମତାଚୁ୍ୟତ କରିବା ପାଇଁ ୨୬ ବିରୋଧୀ ଦଳ ଏକାଠି ହୋଇଛନ୍ତି । ଏଥିପାଇଁ ପୂର୍ବରୁ ପାଟନାରେ ଏବଂ ନିକଟରେ ଦୁଇ ଦିନ ଧରି ବେଙ୍ଗାଲୁରୁରେ ବିରୋଧୀଙ୍କ ମେଳି ଅନୁଷ୍ଠିତ ହୋଇଯାଇଛି । କିନ୍ତୁ ୧୮ ତାରିଖ ବେଙ୍ଗାଲୁରୁର ବୈଠକ ଶେଷକୁ ବିରୋଧୀ ମେଳିରେ ନୂଆ ମୋଡ଼ ଆøସିଯାଇଛି । ଯାହାକୁ ନେଇ ଏହି ବିରୋଧୀ ଗଠବନ୍ଧନର ସଫଳ ଭବିଷ୍ୟ ଉପରେ କିଛିଟା ସନେ୍ଦହ ପ୍ରକଟ ହୋଇଛି ।

ବୈଠକରେ ୨୬ ବିରୋଧୀ ଦଳ ସାମିଲ ହୋଇଥିବା ସମୟରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେ ମେଣ୍ଟର ନାମ ଘୋଷଣା କରିଥିଲେ । ତାହା ହେଲା ଇଣ୍ଡିଆ । ତେବେ ଏହି ଇଣ୍ଡିଆ ନାଁ ଶୁଣିବା ମାତ୍ରେ ଚମକି ପଡ଼ିଥିଲେ ନୀତୀଶ । ଷ୍ଟେଜ୍ ଉପରେ ଯେତେବେଳେ ଇଣ୍ଡିଆ ବା ଇଣ୍ଡିଆନ୍ ନେସନଲ୍ ଡେଭଲପମେଣ୍ଟ ଇନ୍କ୍ଲୁସିଭ ଆଲିଆନସ୍ ବୋଲି ଖଡ଼ଗେ ଘୋଷଣା କରିଥିଲେ । ଏହା ନୀତୀଶଙ୍କୁ ଟିକେ ଖଟ୍କା ଲାଗିଥିବା ସ୍ପଷ୍ଟ ହୋଇଥିଲା । ଯେଉଁଥି ପାଇଁ ସେ ଚିହିଁକି ଯାଇ ପାଖରେ ଥିବା ନେତୃମଣ୍ଡଳୀଙ୍କୁ କିଛି ପଚାରୁଥିବା ଦେଖାଯାଇଥିଲା । ଯାହା ଅନୁମାନ କରାଯାଉଛି ଗଠବନ୍ଧନର ନାଁ ଇଣ୍ଡିଆ କୁ ସେ ବୋଧହୁଏ ଗ୍ରହଣ କରିପାରି ନଥିଲେ । କେବଳ ଏତିକି ନୁହେଁ ରିପୋର୍ଟ ଅନୁସାରେ ଗଠବନ୍ଧନର ନାମ ସ୍ଥିର ହେବା ସମ୍ପର୍କରେ ନୀତୀଶଙ୍କ ସମେତ କେତେକ ବାମ ଦଳ ନେତାଙ୍କୁ ମଧ୍ୟ କିଛି ଅବଗତ କରାଯାଇ ନଥିଲା । ବିରୋଧୀଙ୍କୁ ଏକଜୁଟ କରିବାରେ ବିହାରୀ ବାବୁ ନୀତୀଶ କୁମାରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାବେଳେ ତାଙ୍କୁ ମେଣ୍ଟର ନାଁ ପୂର୍ବରୁ ନଜଣାଇବା ଅସନ୍ତୋଷର କାରଣ ପାଲଟିଛି ବୋଲି ଚର୍ଚ୍ଚା ହେଉଛି ।

ଖାଲି ସେତିକି ନୁହେଁ ବୈଠକରେ ନୀତୀଶ ଉଦବୋଧନ ଦେଇନଥିଲେ । କେବଳ ଖଡ଼ଗେ, ରାହୁଲ, ମମତା ଓ ଅରବିନ୍ଦ କେଜ୍ରିୱାଲ ସଭାରେ ଭାଷଣ ଦେଇଥିଲେ । ତେବେ ନୀତୀଶଙ୍କୁ ସୁଯୋଗ ଦିଆଗଲାନି ନା ସେ ମାନ ମାରି ଭାଷଣ ଦେଲେନି ସେ ନେଇ ମଧ୍ୟ ଚର୍ଚ୍ଚା ସରଗରମ । ଅନ୍ୟପଟେ ଆଗକୁ ବିରୋଧୀ ମେଣ୍ଟର ମୁମ୍ବାଇରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଠାରେ ମେଣ୍ଟର ୧୧ ଜଣିଆ ଷ୍ଟିଅରିଂ କମିଟି ଓ ଆବାହକ ଚୟନ କରାଯିବ । ବିଶେଷ ସୂତ୍ର ଅନୁସାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ହିଁ ଆବାହକ କରାଯିବ ବୋଲି ଜଣାପଡ଼ିଛି । ତେବେ ଏତିକିରେ ବିହାରୀ ବାବୁଙ୍କ ରାଗ ମେଣ୍ଟିବ ତ , ନା ଇଣ୍ଡିଆ ନାମକୁ ନେଇ ତାଙ୍କ ଅସନ୍ତୋଷ ଜାରି ରହିବ ତାହା ଆଗକୁ ଜଣା ପଡ଼ିବ।

Related Articles

Back to top button
WP Twitter Auto Publish Powered By : XYZScripts.com