Breaking NewsFeaturedଓଡ଼ିଶା

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା, ୩ ଗାଁ ଜଳବନ୍ଦୀ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ହେଉନଥିଲା, ଖୁବ୍‌ ବାଧୁଥିଲା। ହେଲା ଯେ ସବୁ ଧୋଇନେଲା, ଏବେ କଲବଲ କଲା। ଲଗାଣ ବର୍ଷା ଲାଗି ଏମିତି ହୋଇଛି ଗଜପତିର ସ୍ଥିତି। ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ରାସ୍ତା। ଗଜପତି ଜିଲ୍ଲା ଗୋଷାଣି ବ୍ଲକ କେରାଣ୍ଡି ପଞ୍ଚାୟତର ଡାଲିମ୍ବପୁର, ଅମରା, ରାଟିଣି ଯିବା ମୁଖ୍ୟରାସ୍ତାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବ୍ରିଜ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଆଉ ଏଥିପାଇଁ ଏହି ତିନି ଗାଁକୁ ଯିବା ପାଇଁ କେରାଣ୍ଡି ନାଳ ଉପରେ ଅସ୍ଥାୟୀ ରାସ୍ତା ନିର୍ମାଣ କରିଥିଲେ ଠିକାଦାର।

ତେବେ ଗତ ୩ ଦିନ ଧରି ଗଜପତି ଜିଲ୍ଲାରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଅସ୍ଥାୟୀ ରାସ୍ତାଟି ସମ୍ପୂର୍ଣ୍ଣ ରୂପେ ଧୋଇ ଯାଇଛି। ଫଳରେ ୩ ଖଣ୍ଡ ଗାଁର ଲୋକେ ଯାତାୟାତ କରିବା ମୁସ୍କିଲ୍‌ ହୋଇପଡ଼ିଛି। କୌଣସି ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ଲୋକେ ପାରଳାଖେମୁଣ୍ଡି ସହ ଯୋଗାଯୋଗ କରିପାରୁ ନାହାନ୍ତି। ଯାହାକୁ ନେଇ ସ୍ଥାନୀୟ ଲୋକେ ମୁଣ୍ଡରେ ହାତଦେଇ ବସିଛନ୍ତି। ବର୍ତ୍ତମାନ ଆନ୍ଧ୍ର ପଟରୁ ୧୪ କିଲୋମିଟର ବୁଲି ଆସିଲେ ଉକ୍ତ ୩ ଗାଁର ଲୋକେ ପାରଳାଖେମୁଣ୍ଡିରେ ପହଞ୍ଚି ପାରିବେ। ଯଥାଶୀଘ୍ର ରାସ୍ତା ନିର୍ମାଣ ପାଇଁ ଲୋକେ ଦାବି କରିଛନ୍ତି।

ସେପଟେ ମାଲକାନଗିରି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ଏପରିସ୍ଥଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ ସକ୍ରିୟ ହୋଇପାରେ ବୋଲି ଅନୁମାନ କରାଯାଉଛି। ଏପରି ହେଲେ ବର୍ଷା ପରିମାଣ ସାରା ରାଜ୍ୟରେ ବଢ଼ିବାର ଆଶଙ୍କା ରହିଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com