Breaking NewsFeaturedରାଜନୀତି

ରାଜସ୍ଥାନ ସିଏମ୍‌ଙ୍କୁ ନେଇ କଂଗ୍ରେସ ଚିନ୍ତିତ

ରାଜସ୍ଥାନ ରାଜନୀତିକୁ ନେଇ ସବୁବେଳେ ସାରା ଦେଶରେ ସରଗରମ ଆଲୋଚନା । କେବେ ଗେହଲଟ୍ – ପାଇଲଟ୍ ଲଢ଼େଇ ତ ଆଉ କେବେ କଂଗ୍ରେସ-ବିଜେପି ରାଜନୀତିକ ଲଢ଼େଇ ଖୁବ୍ ଚର୍ଚ୍ଚାର କାରଣ ପାଲଟି ଥାଏ । ତେବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ପୂର୍ବତନ ଡେପୁଟି ସିଏମ୍ ସଚିନ ପାଇଲଟ୍‌ଙ୍କ ମଧ୍ୟରେ ପ୍ୟାଚ୍ ପଡ଼ିସାରିଛି । ଏଥିପାଇଁ ବହୁତ କସରତ କରିଛନ୍ତି କଂଗ୍ରେସର କେନ୍ଦ୍ରୀୟ ନେତୃବୃନ୍ଦ । ସବୁ ଠିକ୍ ଚାଲିଥିଲେ ମଧ୍ୟ ଗେହଲଟ୍‌ଙ୍କ ମୁଖ୍ୟମନ୍ତ୍ରୀ ପଦ ପାଇଁ ରହିଥିବା ଲୋଭ ଏବେ କଂଗ୍ରେସ ପାଇଁ ଏକପ୍ରକାର ଚିନ୍ତାର କାରଣ ପାଲଟିଛି । ସେପଟେ ଗେହଲଟ୍ କହୁଛନ୍ତି ଯେ ମୁଁ ବହୁବାର ଚାହୁଛି ପଦ ଛାଡ଼ିବାକୁ କିନ୍ତୁ ସିଏମ୍ ପଦଟା ମୋତେ ଛାଡୁନି ।

ଏଠାରେ କହିରଖୁଛୁ ଯେ ୨୬ ଅକ୍ଟୋବର ୨୦୨୨ରେ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ପଦକୁ ଆସିଲେ ମଲ୍ଲିକାର୍ଜୁନ ଖଡ଼ଗେ । କିନ୍ତୁ ପାର୍ଟି ଏହା ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋଗ ଗେହଲଟଙ୍କୁ ଏହି ପଦବୀ ପାଇଁ ଚୟନ କରିଥିଲା ପାର୍ଟି । କଂଗ୍ରେସ ଚାହୁଥିଲା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦରେ ଆଉଜଣଙ୍କୁ ବସାଇ ଗେହଲଟଙ୍କୁ କେନ୍ଦ୍ରୀୟ ଅଧ୍ୟକ୍ଷ ଆସନରେ ବସାଇବ । ଏନେଇ ସେତେବେଳର ରାଜସ୍ଥାନ ପାଇଁ କଂଗ୍ରେସ ପ୍ରଭାରୀ ରହିଥିବା ଅଜୟ ମାକନ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । କଂଗ୍ରେସ ବିଧାୟକ ପାର୍ଥୀ ବୈଠକ ଡକାଇ ଏ ସଂକ୍ରାନ୍ତରେ ଆଲୋଚନା କରିବା ଏବଂ ମୁଖ୍ୟମନ୍ତ୍ରୀ ପାଇଁ ଆଶାୟୀ ରହିଥିବା ସଚିନ ପାଇଲଟଙ୍କୁ ସିଏମ୍ କରିବା ପାଇଁ ୨୦୨୨ ସେପ୍ଟେମ୍ବର ୨୭ ବେଳକୁ ଜୋରଦାର ଚେଷ୍ଟା ଚଳାଇଥିଲେ ଅଜୟ ମାକନ । କିନ୍ତୁ ଠିକ୍ ବେଳାରେ ଅଶୋକ ଗେହଲଟ୍ ଅଡ଼ି ବସିଥିଲେ ଯେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେନି, ରହିବେ ତ ଦୁଇଟି ଯାକ ପଦରେ ରହିବେ । ଅର୍ଥାତ୍ ଦଳର କେନ୍ଦ୍ରୀୟ ଅଧ୍ୟକ୍ଷ ରହିବେ ଏବଂ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ମଧ୍ୟ ରହିବେ ।

ଏହାକୁ ନେଇ ସେ ଖେଳିଥିଲେ ରାଜନୀତିକ ଗୋଟି ଚାଳନା । ଆଉ ତାଙ୍କ ସମର୍ଥନରେ ବାହାରିଥିଲେ ୯୦ ବିଧାୟକ । ବିଧାନସଭା ବାଚସ୍ପତି ଥିବା ସିପି ଯୋଶୀଙ୍କୁ ଭେଟି ସମସ୍ତ ୯୦ ବିଧାୟକ କହିଥିଲେ ଯେ ଯଦି କଂଗ୍ରେସ ବିଧାୟକ ଦଳ ବୈଠକ ଡକାଯିବ ତେବେ ସେମାନେ ସମସ୍ତେ ଇସ୍ତଫା ଦେଇଦେବେ । ଫଳରେ ଅଜୟଙ୍କ ଚେଷ୍ଟା ବିଫଳ ହୋଇଥିଲା ଏବଂ ଗେହଲଟ୍ ବାଜି ମାରିନେଇଥିଲେ । ଏହା ପୂର୍ବରୁ ସଚିନ ପାଇଲଟଙ୍କ ସହ ଅଶୋକ ଗେହଲଟଙ୍କ ବିବାଦ ସୃଷ୍ଟି ହୋଇସାରିଥିଲା । ଅବଶ୍ୟ ଏବେ ପ୍ୟାଚ୍ ପଡ଼ିଛି । ସେହିପରି କଂଗ୍ରେସ ଏହା ପରେ କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ କେନ୍ଦ୍ରୀୟ ଅଧ୍ୟକ୍ଷ ଭାର ଦେଇଥିଲା ।

ତେବେ ଏଠାରେ ବଡ଼ କଥା ହେଉଛି ପାର୍ଟିର କେନ୍ଦ୍ରୀୟ ଅଧ୍ୟକ୍ଷ ପଦ ପାଇଁ ଅଫର୍ ମିଳିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦର ମୋହକୁ ଛାଡ଼ି ପାରିନଥିଲେ ଅଶୋକ ଗେହଲଟ । ତେଣୁ ଜାତୀୟ କଂଗ୍ରେସ ଦଳ ଏବେ ଚିନ୍ତାରେ ରହିଥିବା ଆଲୋଚନା ହେଉଛି । ଆଗକୁ ଲୋକସଭା ନିର୍ବାଚନ ଏବଂ ତା ପୂର୍ବରୁ ହେବ ରାଜସ୍ଥାନର ବିଧାନସଭା ନିର୍ବାଚନ । ଯଦି ସଫଳ ଗୋଟି ଚାଳନା କରାନଯାଏ ଆଉ ଦଳ ଭିତରେ ଶୃଙ୍ଖଳା ବଜାୟ ନରଖାଯାଏ ତେବେ ହୁଏତ କଂଗ୍ରେସ ବଡ଼ କ୍ଷତିର ସାମ୍ନା କରିପାରେ । ତେବେ ଦେଖାଯାଉ ଆଗକୁ କଣ ହେଉଛି ରାଜସ୍ଥାନରେ କଂଗ୍ରେସର ସ୍ଥିତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com