ଜାତୀୟରାଜନୀତି

ଆପ୍‌କୁ କପି କଲା କଂଗ୍ରେସ! ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛିବେ ପଞ୍ଜାବବାସୀ

ଅମୃତସର() ପଞ୍ଜାବରେ କ୍ଷମତାସୀନ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବେ? ଏହାକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ବିରୋଧୀ ଆମ ଆଦମୀ ପାର୍ଟି(ଆପ୍‌)ର ଫର୍ମୁଲାକୁ କପି କରିବା ଆରମ୍ଭ କରିଛି କଂଗ୍ରେସ। ଆପ୍‌ ଭଳି କଂଗ୍ରେସ ଲୋକଙ୍କ ମତକୁ ଆଧାର କରି ପଞ୍ଜାବ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ। ଏଥିପାଇଁ କଂଗ୍ରେସ ଆଇଭିଆର କଲର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ଏହାପୂର୍ବରୁ ଆପ୍‌ ମଧ୍ୟ ସାମନ ନୀତି ଆପଣାଇଥିଲା। ଏହାପରେ ଦଳ ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ସାଂସଦ ଭଗବନ୍ତ ମାନ୍‌ଙ୍କୁ ବାଛିଥିଲା। କଂଗ୍ରେସରେ ଅନେକ ନେତା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ ଗୋଡ଼ ଟେକି ବସିଛନ୍ତି। ତେଣୁ ଦଳୀୟ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ କଂଗ୍ରେସ ଆଇଭିଆର କଲ୍ସର ସହାୟତା ନେଇଛି।

ଆଇଭିଆର୍‌ରେ ୩ଟି ବିକଳ୍ପ ରହିଛି। ୧ନଂ ସ୍ଥାନରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ନାଁ ରହିଥିବା ବେଳେ ଦ୍ୱିତୀୟରେ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ରହିଛନ୍ତି। ତୃତୀୟ ବିକଳ୍ପ ଭାବେ କଂଗ୍ରେସ ବିନା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀରେ ନିର୍ବାଚନ ଲଢ଼ିବା ଦରକାର କି ବୋଲି ପ୍ରଶ୍ନ କରାଯାଇଛି।

ତେବେ କଂଗ୍ରେସର ଏହି ଆଇଭିଆର୍‌ରେ ସୁନୀଲ ଝଖଡ଼ ଓ ସୁଖଜିନ୍ଦର ରନ୍ଧୱାଙ୍କ ଭଳି ନେତାଙ୍କ ନାଁ ନାହିଁ। ଏହାକୁ ନେଇ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ଜଣାପଡ଼ିଛି।

ଆପ୍‌ ଯେତେବେଳେ ଫୋନ କଲ ଦ୍ୱାରା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛିବ ବୋଲି ଘୋଷଣା କରିଥିଲା ସେତେବେଳେ ସିଦ୍ଧୁ ଏହାକୁ ସମାଲୋଚନା କରିଥିଲେ। ସେ ଆପ୍‌ର ଯୋଜନାକୁ ଗୋଟିଏ ସ୍କାମ ଓ ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ କରୁଥିବା କହିଥିଲେ।

ହେଲେ ଏବେ କଂଗ୍ରେସ ଆଇଭିଆର ବ୍ୟବସ୍ଥା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆଇଭିଆର ଜରିଆରେ ମିଳୁଥିବା ମତାମତକୁ ଦଳର ହାଇକମାଣ୍ଡଙ୍କ ପାଖକୁ ପଠାଯିବ। ଏହାପରେ ହାଇକମାଣ୍ଡକୁ ଏହାକୁ ଆଧାର କରି ଠିକ୍‌ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ପଞ୍ଜାବର ସମସ୍ତ ବିଧାନସଭା ଆସନ ପାଇଁ ଫେବୃଆରୀ ୨୦ରେ ଭୋଟିଂ ହେବ। ଭୋଟ ଗଣତି ସହ ମାର୍ଚ୍ଚ ୧୦ରେ ଫଳାଫଳ ପ୍ରକାଶ ପାଇବ।

Related Articles

Back to top button
WP Twitter Auto Publish Powered By : XYZScripts.com