Featuredରାଜନୀତି

ମୁଖ୍ୟମନ୍ତ୍ରୀଙ୍କ ଭଳି ପାଣ୍ଡିଆନଙ୍କ ବଡ଼ପଣ

ଦିନେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡା ମାଡ ହୋଇଥିଲା । ଆଉ ଏବେ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ମୁହଁରେ କାଳି ପଡିଛି । ସେଦିନ ଅଣ୍ଡା ଫିଙ୍ଗିଥିବା ମହିଳାଙ୍କୁ ଛାଡିଦେବା ପାଇଁ କହିଥିଲେ ମୁଖ୍ୟମନ୍ତ୍ରୀ ଆଉ ଏବେ କାଳି ପକାଇଥିବା ବ୍ୟକ୍ତିଙ୍କୁ ଛାଡି ଦେବା ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ଏହା ହିଁ ପ୍ରମାଣ କରୁଛି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଚାଲୁଛନ୍ତି ।

ତେବେ କିଏ ଆଉ କେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଅଣ୍ଡା ମାଡ କରିଥିଲେ ସେ ବିଷୟରେ ଆସନ୍ତୁ ଜାଣିବା ।
ସେଦିନ ଥିଲା ୨୦୧୮ ଜାନୁଆରୀ ୩୧, ଏକ ସାଧାରଣ ସଭାରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଜିଲ୍ଲା ଭୋଗରାଇର ବ୍ଲକ ଗସ୍ତ କରିଥିଲେ । ତାଳସରିରେ ଆୟୋଜିତ ହୋଇଥିବା ଏହି ସଭାରେ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରୁଥିବା ସମୟରେ ତାଙ୍କ ଉପରକୁ ଜଣେ ମହିଳା ଅଣ୍ଡା ଫିଙ୍ଗିଥିଲେ ।

ଆଉ ସେହି ମହିଳା ଜଣକଙ୍କ ନାମ ଥିଲା ରାଜେଶ୍ୱରୀ କାମିଲା । ଏହାପରେ ପୁଲିସ ରାଜେଶ୍ୱରୀଙ୍କୁ ଗିରଫ କରିବା ସହ ତାଙ୍କ ନାମରେ ଅନେକ ମାମଲା ରୁଜୁ ହୋଇଥିଲା । ହେଲେ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ପଣ ଦେଖେଇ ଅଣ୍ଡା ଫିଙ୍ଗିଥିବା ମହିଳାଙ୍କୁ ଛାଡିବା ସହ ତାଙ୍କ ନାମରେ ଥିବା ମାମଲାକୁ ପ୍ରତ୍ୟାହାର କରିବାକୁ କହିଥିଲେ । ସେହି ସମୟରେ ଏହି ଘଟଣା ବେଶ୍ ଚର୍ଚ୍ଚାରେ ଥିଲା । କାରଣ ଆଗକୁ ୨୦୧୯ ସାଧାରଣ ନିର୍ବାଚନ ହେବାର ଥିଲା ।

ଠିକ ସେମିତି ଚଳିତ ବର୍ଷ ଅଗଷ୍ଟ ୨୦ରେ ଅର୍ଥାତ ଗତ ଶନିବାର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବା ପାଇଁ ପୁରୀ ଜିଲ୍ଲା ସତ୍ୟବାଦୀ ଗସ୍ତ ସମୟରେ ତାଙ୍କ ଉପରକୁ କାଳି ମାଡ ହୋଇଥିଲା । ଭାସ୍କର ସାହୁ ନାମକ ଜଣେ ବ୍ୟକ୍ତି ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ଉପରକୁ କାଳିମାଡ କରିଥିଲେ ।

ଏହି କାଳି ୫-ଟି ସଚିବଙ୍କ ସମେତ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପରେ ବି ପଡିଥିଲା । ଏହା ପରେ ସେଠାରେ ଉପସ୍ଥିତ ଲୋକମାନେ କାଳିମାଡ କରିଥିବା ବ୍ୟକ୍ତିଙ୍କୁ ଘେରି ଯାଇଥିଲେ । ଆଉ ପୁଲିସ ଭାସ୍କର ସାହୁଙ୍କୁ ଗିରଫ କରିଥିଲା । ହେଲେ ୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ପୁରୁଣା ଫଣ୍ଡା ଆପଣେଇ ଭାସ୍କର ସାହୁଙ୍କୁ ଛାଡି ଦେବାକୁ କହିଛନ୍ତି । ତେବେ ଆଗକୁ ୨୦୨୪ ନିର୍ବାଚନ ଥିବା ବେଳେ ଏଭଳି ଘଟଣା ବାରମ୍ବାର ହୋଇପାରେ ବୋଲି ଏବେ ସବୁ ମହଲରେ ଚର୍ଚ୍ଚା ହେଉଛି ।

ତେବେ ଏହା ହେଉଛି ଓଡିଶା ଇତିହାସର ପ୍ରଥମ ଘଟଣା ଯେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଉପରକୁ କାଳି ମାଡ ହୋଇଛି । ସେହିପରି ଦୁଇ ଜଣ ଆଇଏଏସ ଅଫିସରଙ୍କ ଉପରକୁ କାଳିମାଡ ହୋଇଥିବା ଘଟଣାକୁ ନେଇ ସବୁ ମହଲରେ ନିନ୍ଦା କରାଯାଉଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com