ଜାତୀୟ

ବହୁ ବିବାହ ରୋକିବାକୁ ପ୍ରସ୍ତାବିତ ଆଇନ ଉପରେ ଜନମତ ଦେବାକୁ ଆସାମ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ବହୁ ବିବାହକୁ ନେଇ ଚିନ୍ତାରେ ଆସାମ ସରକାର । ଏନେଇ ଆଣିବାକୁ ଯାଉଛନ୍ତି ନୂଆ ଆଇନ । ଏହି ପ୍ରସ୍ତାବିତ ଆଇନ ଉପରେ ଲୋକଙ୍କ ମତାମତ ଲୋଡିଛନ୍ତି ସରକାର । ଆସାମରେ ବହୁ ବିବାହ ରୋକିବାକୁ ସରକାରଙ୍କ ପ୍ରସ୍ତାବିତ ଆଇନ ଉପରେ ମତ ଦେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା । ସୋମବାର ଏକ୍ସରେ ପୋଷ୍ଟ କରି ମୁକ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।

ଆସାମ ବିଧାନସଭା ବହୁବିବାହକୁ ନିଷିଦ୍ଧ ପ୍ରଣୟନ କରିବାକୁ ପରାମର୍ଶ ଦେଇଥିବା ଏକ ବିଶେଷଜ୍ଞ କମିଟିର ରିପୋର୍ଟ କୁ ସେ ସେୟାର କରିଛନ୍ତି । ଏହି ପୋଷ୍ଟରେ ମୁଖ୍ୟମନ୍ତ୍ରୀ ଏକ ସରକାରୀ ବିଜ୍ଞପ୍ତି ଶେୟାର କରିବା ସହିତ ଅଗଷ୍ଟ ୩୦ ସୁଦ୍ଧା ଇମେଲ କିମ୍ବା ପୋଷ୍ଟାଲ ଜରିଆରେ ମତ ଦେବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି  । ବିଜ୍ଞପ୍ତି ଅନୁଯାୟୀ ଧାରା ୨୫ ଏବଂ ୨୬ରେ ଧର୍ମ ଅନୁସରଣ କରିବା ଏବଂ ବିବେକ ଶୁଣିବା ଅଧିକାର ଦିଆଯାଇଛି । ତେବେ ତାର ଅର୍ଥ ଏହା ନୁହେଁ ଯେ ଆବଶ୍ୟକ ପଡିଲେ ଏହାର ପରିବର୍ତ୍ତନ କରାଯାଇ ପାରିବ ନାହିଁ ।

ସେହିପରି ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଇସଲାମ ସମ୍ପର୍କରେ କୋର୍ଟ କହିଛନ୍ତି ଯେ ଏକରୁ ଅଧିକ ପତ୍ନୀ ରହିବା ଧର୍ମର ଏକ ଅତ୍ୟାବଶ୍ୟକ ଅଂଶ ନୁହେଁ । ପତ୍ନୀଙ୍କ ସଂଖ୍ୟାକୁ ସୀମିତ ରଖିବାର ନିୟମ ଧର୍ମ ପାଳନ କରିବାର ଅଧିକାରରେ ବାଧା ସୃଷ୍ଟି କରେ ନାହିଁ । ଏହା ସାମାଜିକ କଲ୍ୟାଣ ଓ ସଂସ୍କାର ପରିସରରେ ଆସୁଛି ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

ସେହିପରି ସରକାରୀ ନୋଟିସରେ ଦର୍ଶାଯାଇଛି ଯେ ଏକ ପତ୍ନୀ ସମର୍ଥନ କରୁଥିବା ଆଇନ ଧାରା ୨୫କୁ ଉଲ୍ଲଂଘନ କରୁନାହିଁ । ଏହି ନୀତି ଗୁଡିକ ଧ୍ୟାନରେ ରଖି ଆସାମ ବିଧାନସଭା ବହୁବିବାହକୁ ରଦ୍ଦ କରିବା ପାଇଁ ଏକ ଆଇନ ପ୍ରସ୍ତୁତ କରିପାରିବ ।  ଏହା ପୂର୍ବରୁ ଆସାମ ସରକାର ଏହି ପ୍ରସଙ୍ଗରେ ଏକ କମିଟି ଗଠନ କରିଥିଲେ । ଏହି କମିଟି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଏହାର ରିପୋର୍ଟ ଦାଖଲ କରିଛନ୍ତି ।

ଏହି କମିଟି ସର୍ବସମ୍ମତି କ୍ରମେ ରାଜ୍ୟରୁ ବହୁବିବାହକୁ ବନ୍ଦ କରିବା ପାଇଁ ଏକ ଆଇନ ପ୍ରଣୟନ ହୋଇପାରିବ ବୋଲି କହିଥିବା ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ସେହିପରି ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଖୁବଶୀଘ୍ର ରାଜ୍ୟରେ ବହୁବିବାହ ବନ୍ଦ କରିବା ପାଇଁ ଏକ କଠୋର ଅଧିନୀୟମ ଅଣାଯିବ । ଆଉ ଏବେ ଏହା ଉପରେ ଜନମତ ସଂଗ୍ରହ ଆରମ୍ଭ ହୋଇଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com