ଜାତୀୟ

ଖୁବ୍‌ଶୀଘ୍ର ଆମେଥିରେ Smriti Irani କରିବେ ‘ଜନ ସମ୍ବାଦ’ ସମାବେଶ

ବଂଶବାଦ ନୁହେଁ, ଯୋଗ୍ୟତାକୁ ବିଶ୍ୱାସ କରେ ଦେଶ । ମଣିପୁର ବିଭାଜିତ ନୁହେଁ, ଦେଶର ଅଭିନ୍ନ ଅଙ୍ଗ । ଏଭଳି କହି ଖୁବ୍ ବର୍ଷିଥିଲେ କେନ୍ଦ୍ରମନ୍ତ୍ରୀ । ସେହିପରି କଶ୍ମୀର ପଣ୍ଡିତଙ୍କ ଉପରେ ଓ ଶିଖ ଦଙ୍ଗା ସମୟର ବର୍ବରତାର କଥା କହି ଗୃହର ମୌସୁମୀ ଅଧିବେଶନରେ ରାହୁଲ ଗାନ୍ଧିଙ୍କ ବକ୍ତବ୍ୟ ପରେ କଡ଼ା ଜବାବ ଦେଇଥିଲେ ସ୍ମୃତି ଇରାନୀ । ଏବେ ଠିକ୍ ସେହିଭଳି ଆମେଥି ଲୋକସଭା ଆସନକୁ ନେଇ ସ୍ମୃତି ପୁଣି ରାହୁଲଙ୍କୁ ଟାର୍ଗେଟ କରିବା ଲକ୍ଷ୍ୟରେ ରହିଛନ୍ତି । କାରଣ ଏହି ଆସନ କଂଗ୍ରେସର ପୁରୁଣା ଗଡ଼ ହୋଇଥିବାବେଳେ ଗତ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ରାହୁଲଙ୍କ ହାତରେ ରହିଥିଲା । ୨୦୧୯ରେ କିନ୍ତୁ ସ୍ମୃତି ବାଜି ମାରିନେଇଥିଲେ । ସେପଟେ ନବନିଯୁକ୍ତ ଉତ୍ତର ପ୍ରଦେଶର କଂଗ୍ରେସ ଅଧ୍ୟକ୍ଷ ଅଜୟ ରାୟଙ୍କ କହିବା ଅନୁସାରେ ରାହୁଲ ଆସନ୍ତା ୨୦୨୪ ନିର୍ବାଚନ ଆମେଥିରୁ ହିଁ ଲଢ଼ିବେ । ଏହା ପରେ ପରେ ବିଜେପି ଶିବିରରେ ଛନକା ପଶିଯାଇଥିବା ଲକ୍ଷ୍ୟ କରାଯାଉଛି । ସେହିପରି ପୁଣି ଥରେ ସ୍ମୃତି ଇରାନୀ ଆମେଥି ନିର୍ବାଚନ ମଣ୍ଡଳୀ ସହ ଯୋଡ଼ି ହେବାକୁ ତତ୍ପରତା ଦେଖାଇଲେଣି ।

ରିପୋର୍ଟ ଅନୁସାରେ ସ୍ମୃତି ଖୁବ୍ ଶୀଘ୍ର ଆମେଥି ଗସ୍ତ କରି ‘ଜନ ସମ୍ବାଦ’ ସମାବେଶ କରିବେ । ଅର୍ଥାତ୍ ଲୋକସଭା ନିର୍ବାଚନ ପୂର୍ବରୁ ନିଜ ନିର୍ବାଚନୀ କ୍ଷେତ୍ରରେ ଦବଦବା ପ୍ରଦର୍ଶନ କରିବାକୁ ସ୍ମୃତି ଅଣ୍ଟାଭିଡ଼ି ସାରିଲେଣି । ବିଜେପିର ଆମେଥି ଜିଲ୍ଲା ଅଧ୍ୟକ୍ଷ ଦୁର୍ଗେଶ ତ୍ରିପାଠୀଙ୍କ କହିବା ଅନୁସାରେ ଖୁବଶୀଘ୍ର କେନ୍ଦ୍ରମନ୍ତ୍ରୀ ଇରାନୀଙ୍କ ଜନ ସମ୍ବାଦ ସଭା ଆମେଥି ନିର୍ବାଚନ ମଣ୍ଡଳୀରେ ହୋଇପାରେ । ସମାଜବାଦୀ ପାର୍ଟି ବିଧାୟକ ରାକେଶ ପ୍ରତାପ ସିଂହଙ୍କ ଯେଉଁ ଅଞ୍ଚଳରୁ ବିଧାୟକ ଭାବେ ପ୍ରତିନିଧିତ୍ୱ କରୁଛନ୍ତି ସେଠାରେ ହୋଇପାରେ ଜନସମାବେଶ ।

ଏଠାରେ କହିରଖୁଛୁ ଯେ ଗୌରୀଗଞ୍ଜ, ଆମେଥି, ତିଲୋଇ, ଜଗଦୀଶପୁର ଏବଂ ରାଏ ବରେଲି ଅନ୍ତର୍ଗତ ସାଲୋନ ଆଦି ପାଞ୍ଚଟି ବିଧାନସଭା କ୍ଷେତ୍ରକୁ ନେଇ ଆମେଥି ଲୋକସଭା ନିର୍ବାଚନ ମଣ୍ଡଳୀ ଗଠିତ । ତେବେ ୨୦୨୨ ବିଧାନସଭା ନିର୍ବାଚନରେ ଗୌରୀଗଞ୍ଜ ଓ ଆମେଥି ଆସନ ସମାଜବାଦୀ ପାର୍ଟି ଅକ୍ତିଆର କରିଥିବାବେଳେ ତିଲୋଇ, ଜଗଦୀଶପୁର ଓ ସାଲୋନରୁ ବିଜେପି ବିଧାୟକ ପ୍ରତିନିଧିତ୍ୱ କରୁଛନ୍ତି । ତେବେ ଏହା ପୂର୍ବରୁ ସାଲୋନ ଓ ଜଗଦୀଶପୁର କ୍ଷେତ୍ରରେ ସ୍ମୃତି ଜନ ସମ୍ବାଦ ସମାବେଶ କରିସାରିଛନ୍ତି । ସେଠାରେ ଶହଶହ ଲୋକଙ୍କ ସମସ୍ୟା ତୁରନ୍ତ ସମାଧାନ ହୋଇଥିଲା ଏବଂ ଲୋକେ ଉପକୃତ ହୋଇଥିଲେ ବୋଲି ବିଜେପି ନେତା ଦୁର୍ଗେଶ ତ୍ରିପାଠୀ କହିଛନ୍ତି ।

ସେ ଯାହାହେଉ ନା କାହିଁକି, ଆମେଥିରେ ବିଜେପି ନିଜକୁ ସମ୍ପୂର୍ଣ୍ଣ ସୁଦୃଢ଼ କରିବାକୁ ଚାହୁଛି । ଫଳରେ କଂଗ୍ରେସର ସମସ୍ତ ପ୍ରୟାସକୁ ଭଣ୍ଡୁର କରିବା ନେଇ ପଦକ୍ଷେପ ଉଠାଇଥିବା ଆଲୋଚନା ହେଉଛି । ପୂର୍ବରୁ ରାଜୀବ ଗାନ୍ଧିଙ୍କ ଗଡ଼ ଥିଲା ଆମେଥି, ସେହିପରି ୧୯୯୯ରେ ସୋନିଆ ଗାନ୍ଧି ଏହି ଆସନରୁ ଲଢ଼ିଥିଲେ । ପରେ ରାହୁଲଙ୍କ ପାଇଁ ଏହା ପୁରୁଣା ଆସନ ହୋଇ ରହିଛି । ୨୦୧୯ରେ ଏହି ଆସନରୁ ସ୍ମୃତି ଇରାନି ବିଜୟୀ ହେବା ପରେ ବିଜେପି ଆଉ ହାତଛଡ଼ା କରିବାକୁ ଚାହୁନି । ବିଜେପି ମୁଖପାତ୍ର ଗୋବିନ୍ଦ ଚୌହ୍ୱାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଆମର ସବୁ କାର୍ଯ୍ୟକ୍ରମ କରାଯିବ । ଆଗକୁ ଆମେଥିରୁ ଆଉ କଂଗ୍ରେସ ଜିତିପାରିବନି ବୋଲି ବିଜେପି ନେତା-କର୍ମୀ ଉତ୍ସାହିତ ହୋଇପଡ଼ିଛନ୍ତି । ତେବେ ଏବେ ଦେଖିବାକୁ ବାକି ରହିଲା ଆସନ୍ତା ୨୦୨୪ରେ ଆମେଥିରୁ କିଏ ମାରୁଛି ବାଜି? କଂଗ୍ରେସ ନା ବିଜେପି?

Related Articles

Back to top button
WP Twitter Auto Publish Powered By : XYZScripts.com