ମଧ୍ୟପ୍ରଦେଶରେ ’ମୋଦି’ ମନ୍ତ୍ର ଗୁଜରାଟରେ କଣ?
![PM Modi gujarat Visit](https://i0.wp.com/odia.mobilenews24x7.com/wp-content/uploads/2023/09/MODI_00177-min-1.jpg?resize=780%2C470&ssl=1)
ସବୁଠି ସବୁ ଦଳ ପାଇଁ ଏବେ ଚିନ୍ତା ନିର୍ବାଚନ। ଯେତିକି ପାଖେଇ ଆସୁଛି ନିର୍ବାଚନ, ସେତିକି ନେତାଙ୍କ ଛାତି ଧଡ଼ପଡ଼ ହେଉଛି। ତେଣୁ ବିଭିନ୍ନ ଦଳର କେନ୍ଦ୍ରୀୟ ନେତୃମଣ୍ଡଳୀ ତୃଣମୂଳସ୍ତରକୁ ଶକ୍ତି ଯୋଗାଇବାକୁ ଅଣ୍ଟା ଭିଡ଼ିଲେଣି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୫ ତାରିଖରେ ମଧ୍ୟପ୍ରଦେଶର ଭୋପାଳ ଗସ୍ତ କରି ବିରାଟ ଜନସଭାକୁ ସମ୍ବୋଧିତ କରିଥିଲେ। ବିଗତ ୬ ମାସ ମଧ୍ୟରେ ସପ୍ତମ ଥର ପାଇଁ ମଧ୍ୟପ୍ରଦେଶ ଗସ୍ତ କରିଥିବା ମୋଦି ସେଠାରେ କଂଗ୍ରେସ ଉପରେ ଖୁବ୍ ବର୍ଷିଥିଲେ। ସେହିପରି ନେତା-କର୍ମୀଙ୍କ ଦେଇଥିଲେ ବିଜୟର ଗୁରୁମନ୍ତ୍ର। ଏହାପରେ ପରେ ୨୬ ତାରିଖରୁ ଦୁଇ ଦିନିଆ ଗୁଜରାଟ ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ତେବେ କାହିଁକି ମୋଦି ଭୋପାଳରୁ ଫେରିବା ପରେ ପରେ ଗୁଜରାଟ ଯିବାକୁ ପଡ଼ିଲା ଆସନ୍ତୁ ନଜର ପକାଇବା:
ଯାହା ସୂଚନା ରହିଛି ଗୁଜରାଟରେ ବିଶ୍ୱସ୍ତରୀୟ ସମ୍ମିଳନୀର ୨୦ ବର୍ଷ ପୂର୍ତ୍ତି ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ମୋଦି। ଦୁଇ ଦିନିଆ ଗସ୍ତ ସମୟରେ କୋଟି କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିବୃତିରେ କୁହାଯାଇଛି ମଙ୍ଗଳବାର ପ୍ରାୟ ୧୦ଟାରେ ପ୍ରଧାନମନ୍ତ୍ରୀ ଗୁଜରାଟ ଗ୍ଲୋବାଲ ସମ୍ମିଳନୀର ୨୦ ବର୍ଷ ପୂର୍ତ୍ତି ଉତ୍ସବରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମରେ ଶିଳ୍ପ ସଙ୍ଗଠନ, ବାଣିଜ୍ୟ ଏବଂ ବାଣିଜ୍ୟ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ, ଯୁବ ଉଦ୍ୟୋଗୀ, ବୈଷୟିକ ଶିକ୍ଷା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ୍ ହେବେ। ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗୁଜରାଟ ଗ୍ଲୋବାଲ ସମ୍ମିଳନୀ ଆରମ୍ଭ କରାଯାଇଥିଲା। ୨୦୦୩ ମସିହା ସେପ୍ଟେମ୍ବର ୨୮ ତାରିଖରେ ସ୍ପନ୍ଦନ ଗୁଜରାଟ ଗ୍ଲୋବାଲ ସମ୍ମିଳନୀ ଆରମ୍ଭ ହୋଇଥିଲା। ଅନ୍ୟପଟେ ସେପ୍ଟେମ୍ବର ୨୭ ରାତିରେ ଉଦୟପୁରର ବୋଡେଲିରେ ପହଞ୍ଚି ୫, ୨୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ।
ଏଠାରେ କହିରଖୁଛୁ ଯେ ୨୦୨୨ ଡିସେମ୍ବର ୧ରୁ ୫ ମଧ୍ୟରେ ଗୁଜରାଟ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ହୋଇଥିଲା। ଯେଉଁଥିରେ ୧୮୨ ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି ୧୫୬ ସିଟ୍ରେ ବାଜିମାତ କରିନେଇଥିଲା। ଆଗକୁ କେବଳ ଲୋକସଭା ନିର୍ବାଚନକୁ ସାମ୍ନା କରିବାକୁ ଯାଉଛି ଗୁଜରାଟ। ୨୦୨୭ରେ ପୁଣି ବିଧାନସଭା ନିର୍ବାଚନ ହେବ। ତେଣୁ ଗୁଜରାଟ ପାଇଁ ସ୍ଵତନ୍ତ୍ର ଫୋକସ ରଖିଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅନ୍ୟପଟେ ଗୁଜରାଟ ହେଉଛି ମୋଦିଙ୍କ ନିଜସ୍ଵ ଗଡ଼।