Breaking NewsFeaturedରାଜନୀତି

ନିର୍ବାଚନ୍ ଲଢ଼ିବେନି ରମଣ, ବସୁନ୍ଧରା, ଶିବରାଜ

କ୍ଷମତା ବଜାୟ ରଖିବା ଆଉ କ୍ଷମତାକୁ ଆସିବା ପାଇଁ କଂଗ୍ରେସ-ବିଜେପି ଭିତରେ ଚାଲିଛି ବଡ଼ ଲଢ଼େଇ । ଲୋକସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ସବୁ ଦଳ ପ୍ରସ୍ତୁତ କରୁଛନ୍ତି ରଣନୀତି । ତେବେ ବିଶେଷକରି ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ପାଇଁ ବିଜେପି ନେଇଛି ସ୍ୱତନ୍ତ୍ର ନିଷ୍ପତ୍ତି । ଏକଦମ୍ ମାଷ୍ଟରଷ୍ଟ୍ରୋକ୍ ମାରିବାକୁ ବିଜେପିର କେନ୍ଦ୍ରୀୟ ନେତୃମଣ୍ଡଳୀ ଚଳାଇଛନ୍ତି ବଡ଼ ଗୋଟି ଚାଳନା । ରାଜନୀତି ଦୃଶ୍ୟପଟ୍ଟରୁ ବିଜେପିର ନିଷ୍ପତ୍ତି ସମ୍ପର୍କରେ ସ୍ପଷ୍ଟ ସଂକେତ ମିଳିଯାଉଛି । ତେବେ କଣ ରହିଛି ବିଜେପିର ଆଭ୍ୟନ୍ତରୀଣ ଏଜେଣ୍ଡା? କିଭଳି ନିର୍ଣ୍ଣୟ ନେଉଛନ୍ତି ବିଜେପିର ତୁଙ୍ଗ ନେତୃମଣ୍ଡଳୀ? ଆସନ୍ତୁ ନଜର ପକାଇବା:
ପ୍ରଥମ କଥା ହେଉଛି: ବିଜେପିର ପ୍ଲାନ୍ ଅନୁସାରେ ରାଜ୍ୟସ୍ତରରେ ଯେତେ ବଡ଼ ଚେହେରା ଥିଲେ ମଧ୍ୟ ଦଳ ନିର୍ବାଚନ ଲଢ଼ିବ କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ । ଅର୍ଥାତ୍ ବିଜେପି ପାଇଁ ନିର୍ବାଚନ ଚେହେରା କହିଲେ କେବଳ ନରେନ୍ଦ୍ର ମୋଦି ।

ଦ୍ୱିତୀୟରେ: ସେ ଯେକୌଣସି ରାଜ୍ୟର ନିର୍ବାଚନ ହେଉ ପଛକେ ଏହାକୁ ଦଳୀଭିତିରେ ପରିଚାଳନା କରିବେ କେନ୍ଦ୍ରୀୟ ନେତୃମଣ୍ଡଳୀ । ସେମାନଙ୍କ ମାର୍ଗଦର୍ଶନରେ ହିଁ ପ୍ରତ୍ୟେକ ରାଜ୍ୟରେ ନିର୍ବାଚନ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତି କରାଯାଉଛି ଏବଂ ଆଗକୁ ମଧ୍ୟ ସେଭଳି କରାଯିବ ।

ତୃତୀୟ ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି: କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦମାନେ ଲଢ଼ିବେ ବିଧାନସଭା ନିର୍ବାଚନ । ଯାହା ବିଶେଷସୂତ୍ରରୁ ଜଣାପଡ଼ିଛି, କେନ୍ଦ୍ରରେ କେବଳ ଲଡୁ ଖାଇବା ଭାବନାରେ ନରହିବାକୁ ବିଜେପିର ତୁଙ୍ଗ ନେତୃମଣ୍ଡଳୀ ସବୁ ସଦସ୍ୟଙ୍କୁ ପରାମର୍ଶ ଦେଇସାରିଲେଣି । କେନ୍ଦ୍ରକୁ ଛାଡ଼ି ରାଜ୍ୟସ୍ତରରେ ନିଜର ଦମ୍ ଦେଖାଅ ଏବଂ ନିର୍ବାଚନରେ ବିଜୟୀ ଲାଭ କର ବୋଲି କେନ୍ଦ୍ରମନ୍ତ୍ରୀ ଓ ସାସଂଦମାନଙ୍କୁ ତାଗିଦ୍ କରାଯାଇଥିବା ସଂକେତ ମିଳିସାରିଛି । ଯାହାର ଏକ ବଡ଼ ଉଦାହରଣ ହେଉଛି ମଧ୍ୟପ୍ରଦେଶ । ନିକଟରେ ୩ କେନ୍ଦ୍ରମନ୍ତ୍ରୀଙ୍କୁ ଦିଆଯାଇଛି ଏମଏଲଏ ଟିକେଟ୍ ।

ଚତୁର୍ଥ ଏବଂ ଅନ୍ତିମ ନିର୍ଣ୍ଣୟ କଥା ଯଦି ଦେଖିବା, ତେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସମ୍ପର୍କରେ ପୂର୍ବରୁ ହେବନି ଘୋଷଣା । ଏହା ହେଉଛି ବିିଜେପିର ଫଣ୍ଡା । ପ୍ରଥମେ ନିର୍ବାଚନ ଲଢ଼, ଜିତ, ତାପରେ ଦେଖାଯିବ କିଏ ହେବ ମୁଖ୍ୟମନ୍ତ୍ରୀ ।

ଏସବୁ ଦଳୀୟ ରଣନୀତି ଭିତରେ ଯଦି ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ କଥା ବିଚାର କରିବା, ଏହି ୩ ରାଜ୍ୟରେ ରହିଛନ୍ତି ବିଜେପିର ଜଣେ ଲେଖାଏଁ ବଡ଼ ଚେହେରା । ଛତିଶଗଡ଼ର ରମଣ ସିଂହ, ମଧ୍ୟପ୍ରଦେଶରେ ଶିବରାଜସିଂହ ଚୌହାନ ଏବଂ ରାଜସ୍ଥାନରେ ବସୁନ୍ଧରା ରାଜେ ସିନ୍ଦିଆ । କିନ୍ତୁ ଯାହା ଏବେ ଗୁରୁତ୍ୱର ସହ ଆଲୋଚନା ହେଉଛି, ଏହି ୩ ବରିଷ୍ଠ ଲିଡରଙ୍କ ଉପରେ କେନ୍ଦ୍ରୀୟ ନେତୃବୃନ୍ଦର ଚାପ ପଡୁଛି କି- ଆଉ ଲଢ଼ନାହିଁ ବିଧାୟକ ଭାବେ । ଦଳ ପାଇଁ କାମ କର, ଦଳକୁ ଜିତାଅ ।

ସେପଟେ ରମଣ ସିଂହଙ୍କ ପୁଅ ଅଭିଷେକ ସିଂହଙ୍କୁ ଅଲରେଡି ବିଜେପି ଟିକେଟ୍ ଦେଇସାରିଛି । ତେଣୁ ଆପାତତଃ ରମଣ ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିନପାରନ୍ତି । ସେହିପରି ବସୁନ୍ଧରାଙ୍କ କଥା ଯଦି ଦେଖିବା, ତେବେ ଏଣିକି ଆଉ ରାଜସ୍ଥାନ ନୁହେଁ, କେନ୍ଦ୍ରୀୟସ୍ତରକୁ ଆସନ୍ତୁ ବୋଲି ଦଳ ବିଚାର କରୁଥାଇପାରେ । ସେ ଦୃଷ୍ଟିରୁ ବସୁନ୍ଧରା ମଧ୍ୟ ରାଜସ୍ଥାନ ବିଧାନସଭା ନିର୍ବାଚନ ଲଢ଼ି ନପାରନ୍ତି, ବରଂ ଏହା ପରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ହୋଇପାରନ୍ତି ପ୍ରାର୍ଥୀ ।
ସେହିପରି ଶିବରାଜ ସିଂହଙ୍କ କଥା ଦେଖିଲେ ହୁଏତ କେନ୍ଦ୍ରୀୟ ନେତୃତ୍ୱ ଚାହୁଛନ୍ତି କି ସେ ନିଜଆଡୁ ଆଉ ଲଢ଼ିବେନି ବୋଲି ଘୋଷଣା କରିଦିଅନ୍ତୁ, କାରଣ କୈଳାଶ ବିଜୟବର୍ଗୀ ଏବଂ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଟିକେଟ୍ ପାଇବା ପରେ ବିଜେପି ପାଇଁ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚେହେରାର ଅଭାବ ନାହିଁ । ତେଣୁ ଶିବରାଜ ମଧ୍ୟ ବିଧାନସଭା ନିର୍ବାଚନ ଲଢ଼ିନପାରନ୍ତି ବୋଲି ରାଜନୀତିକ ଚର୍ଚ୍ଚା ଜୋର ଧରିଛି ।

ତେବେ ଦେଖିବାକୁ ବାକି ରହିଲା ଆଗାମୀ ବିଧାନସଭା ନିର୍ବାଚନରେ ବିଜେପିର ୩ ବରିଷ୍ଠ ଓ ଟାଣୁଆ ଚେହେରା ରମଣ ସିଂହ, ବସୁନ୍ଧରା ରାଜେ ଓ ଶିବରାଜ ସିଂହ ଚୌହାନଙ୍କୁ କେଉଁ ଭୂମିକାରେ ଦେଖିବାକୁ ମିଳୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com