Breaking NewsFeaturedରାଜନୀତି

ଭୋଟ୍ ଯେଉଁଠି, ଅପରାଧ ସେଇଠି! ୫ ରାଜ୍ୟକୁ ନେଇ ଚର୍ଚ୍ଚା ଜୋର

ରାଜନୀତି ଓ ଅପରାଧ, ଦେଶର ନିତିଦିନିଆ ଘଟଣା ବୋଲି ଚର୍ଚ୍ଚା ହେଉଛି । ଲୋକଙ୍କ ଭରସା ବି ତୁଟି ଯାଉଛି । ତେବେ ଭୋଟ୍ ଆସିଲେ ଏହି ଅପରାଧିକ କଥା ବେଶି ଆଲୋଚନା ହେଉଛି । ଦେଶର ୫ଟି ରାଜ୍ୟରେ ବିଧାନସଭା ପରିପ୍ରେକ୍ଷୀରେ ଅପରାଧିକ ମାମଲା ପ୍ରସଙ୍ଗ ଯଦି ଦେଖିବା ତେବେ ୧୮ ପ୍ରତିଶତ ପ୍ରାର୍ଥୀ ଏଭଳି ମାମଲାରେ ଛନ୍ଦି ହୋଇପଡ଼ିଛନ୍ତି । ଏକଥା ଆମେ ମନକୁ କହିଦେଉନୁ, ଏଡିଆର୍ ରିପୋର୍ଟ କହୁଛି ଏହି ତଥ୍ୟ ।

ଦେଶର ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲଙ୍ଗାନାରେ ନିର୍ବାଚନ ଲଢ଼ୁଥିବା ୮ ହଜାର ୫୪ ପ୍ରାର୍ଥୀଙ୍କ ମଧ୍ୟରୁ ୧୮ ପ୍ରତିଶତ ନେତାଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ଏଡିଆର ରିପୋର୍ଟରେ ପ୍ରକାଶ ପାଇଛି । ଖାଲି ସେତିକି ନୁହେଁ, ସେମାନଙ୍କ ମଧ୍ୟରୁ ୧୨ ପ୍ରତିଶତ ପ୍ରାର୍ଥୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଛନ୍ଦି ହୋଇଛନ୍ତି । ଏମାନଙ୍କ ପାଖରେ ହାରାହାରି ୩ ଦଶମିକ ୩୬ କୋଟି ଲେଖାଏଁ ସମ୍ପତ୍ତି ରହିଛି । ତେବେ ସୁପ୍ରିମକୋର୍ଟଙ୍କ ରାୟକୁ ଅଣଦେଖା କରି ପରମ୍ପରା ଅନୁଯାୟୀ ଅପରାଧିକ ମାମଲା ଥିବା ନେତାଙ୍କୁ ପ୍ରାର୍ଥୀ କରାଇଛନ୍ତି ରାଜନୀତିକ ଦଳ । ଏନେଇ ୨୦୨୦ରେ ସୁପ୍ରିମକୋର୍ଟ କଡ଼ା ତାଗିଦ କରିଥିଲେ କିନ୍ତୁ ରାଜନୀତିକ ଦଳଗୁଡ଼ିକ ଆଦୌ ଖାତିର କରିନଥିବା ଏଡିଆର ରିପୋର୍ଟରୁ ସ୍ପଷ୍ଟ ହେଉଛି ।

ଏଠାରେ କହିରଖୁଛୁ ଯେ ୩୦ ତାରିଖ ଗୁରୁବାର ହେବ ତେଲଙ୍ଗାନା ନିର୍ବାଚନ । ଅନ୍ୟ ୪ ରାଜ୍ୟରେ ସରିଛି । ସମସ୍ତ ରାଜ୍ୟର ୬୭୯ ଆସନର ଫଳାଫଳ ଆସନ୍ତା ୩ ତାରିଖ ରବିବାର ପ୍ରକାଶ ପାଇବ । କିନ୍ତୁ ତେଲଙ୍ଗାନାରେ ନିର୍ବାଚନ ଲଢ଼ିବାକୁ ଥିବା ପ୍ରାର୍ଥୀମାନଙ୍କ ବିରୋଧରେ ସର୍ବାଧିକ ଅପରାଧିକ ମାମଲା ରହିଛି । ପ୍ରମୁଖ ଦଳଗୁଡ଼ିକର ୨୪ରୁ ୭୨ ପ୍ରତିଶତ ପ୍ରାର୍ଥୀ ଅପରାଧୀ ବୋଲି ଜଣାପଡ଼ିଛି । ଏପରିକି ମହିଳା ବିରୋଧୀ ଅପରାଧ ନେଇ ୪୫ଟି ମାମଲା ରହିଛି । ସେହିପରି ୨୭ଟି ହତ୍ୟା ଉଦ୍ୟମ ଏବଂ ୭ଟି ହତ୍ୟା ମାମଲା ରହିଛି । ଅନ୍ୟପଟେ ମିଜୋରମାରେ ସବୁଠୁ କମ୍ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ଯାହା କି ୩ରୁ ୧୦ ପ୍ରତିଶତ ବୋଲି ଜଣାପଡ଼ିଛି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯେ ଯଦି ଦଳଗତ ଭାବେ ଦେଖିବା, ତେଲଙ୍ଗାନାରେ ଭାରତ ରାଷ୍ଟ୍ର ସମିତି ବା ବିଆରଏସ ନେତାମାନଙ୍କ ବିରୋଧରେ ସର୍ବାଧିକ ୪୮ ପ୍ରତିଶତ ଅପରାଧୀ ବୋଲି ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଏହାପରେ କଂଗ୍ରେସ, ଏଆଇଏମଆଇଏମ୍‌, ବିଜେପି ଓ ଆପ୍ କ୍ରମାଗତ ଭାବେ ତାଲିକାରେ ରହିଛନ୍ତି ।
ଅନ୍ୟପଟେ ଯଦି ସମ୍ପତ୍ତି କଥା ଦେଖିବା ତେବେ ସମସ୍ତ ପ୍ରାର୍ଥୀଙ୍କ ମଧ୍ୟରେ ୨୯ ପ୍ରତିଶତ କୋଟିପତି । ୬୫ ପ୍ରତିଶତ ଜାତୀୟ ରାଜନୀତିକ ଦଳରୁ ପ୍ରତିନିଧିତ୍ୱ କରୁଥିବାବେଳେ ୫୩ ପ୍ରତିଶତ ପ୍ରାର୍ଥୀ ଆଞ୍ଚଳିକ ଦଳର । ସେହିପରି ୧୪ ପ୍ରତିଶତ ସ୍ୱାଧୀନ ପ୍ରାର୍ଥୀ କୋଟିପତି ବୋଲି ଏଡିଆର ରିପୋର୍ଟରେ ଦର୍ଶାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com