Breaking NewsFeaturedଜାତୀୟରାଜନୀତି

ବିରୋଧୀ ମେଣ୍ଟର ନୂଆ ନାଁ INDIAକୁ ନେଇ BJP ଗର୍ଜିଲାଣି ଭାରତ… ଭାରତ…

ଜାଣନ୍ତୁ ଭାରତୀୟ ରାଜନୀତିରେ କମ୍ପନ ସୃଷ୍ଟି କରିଥିବା ନୂଆ ମୋଡ଼କୁ ନେଇ ସମ୍ପୂର୍ଣ୍ଣ ରିପୋର୍ଟ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଭାରତୀୟ ରାଜନୀତିରେ ନୂଆ ମୋଡ଼ । ପୂର୍ବରୁ କେବେ ଦେଖା ଯାଇନଥିଲା ଏଭଳି ସ୍ଥିତିି । ଉପୁଜିନଥିଲା ଏପରି ରୋଚକ ଓ ବିବାଦୀୟ ଅବସ୍ଥା । ପୂର୍ବରୁ ଯେତେ ସବୁ ସାଧାରଣ ନିର୍ବାଚନ ହୋଇଛି ସେସବୁରେ ବିକାଶ, ବ୍ୟକ୍ତିତ୍ୱ, ବେକାରି, ନିଯୁକ୍ତି, ଜାତି ଆଦି ଅନେକ ପ୍ରସଙ୍ଗକୁ ଆଧାର କରାଯାଉଥିଲା । କିନ୍ତୁ ପ୍ରଥମ ଥର ପାଇଁ ୨୦୨୪ ନିର୍ବାଚନ ଇଣ୍ଡିଆ ବନାମ ଭାରତ ମଧ୍ୟରେ ହେବାକୁ ଯାଉଛି । ବିରୋଧୀମାନଙ୍କ ୨୬ ଦଳିଆ ମେଂଟର ନାମ ଇଣ୍ଡିଆ ଘୋଷଣା କରିବା ପରେ ଭାରତୀୟ ରାଜନୀତିରେ ସୃଷ୍ଟି ହୋଇଛି ବଡ଼ କମ୍ପନ । ଆରମ୍ଭ ହୋଇଗଲାଣି ବୟାନବାଜି । ବିଜେପିର ଟାଣୁଆ ନେତାମାନେ ଏ ପ୍ରସଙ୍ଗରେ କଡ଼ା ସମାଲୋଚନା ଆରମ୍ଭ କରିଦେଲେଣି । ଇଣ୍ଡିଆ ହେଉଛି ଇଂରେଜ ଲିଙ୍କ୍ ଆଉ ଆମେ ହେଉଛୁ ଭାରତୀୟ… ଏଭଳି କହିଲାଣି ବିଜେପି । ଏପରିକି ଭାରତ ଜିତେଗା ଓ ଇଣ୍ଡିଆ ହାରେଗା ନାରା ଦେଇସାରିଲେଣି । ତେବେ ଏମିତି ସରଗରମ ସ୍ଥିତି ଭିତରେ ଆସନ୍ତୁ ଜାଣିବା ଭାରତ ଓ ଇଣ୍ଡିଆ ସମ୍ପର୍କରେ ରହିଥିବା ଇତିହାସ…

  • ପ୍ରଥମେ ଜାଣିବା ଭାରତ ସମ୍ପର୍କରେ:

– ପ୍ରାଚୀନ କିମ୍ବଦନ୍ତୀ ଓ ଇତିହାସ ପୃଷ୍ଠା ଅନୁସାରେ ଭାରତ ଶବ୍ଦଟି ରାଜା ଭରତଙ୍କ ନାମାନୁସାରେ ହୋଇଛି । ଋଷୀ ଦୁଶ୍ୟନ୍ତ ଓ ଦେବୀ ଶକୁନ୍ତଳାଙ୍କ ସୁପୁତ୍ର ହେଉଛନ୍ତି ରାଜା ଭରତ । ସେହିପରି ବର୍ଷ ଅର୍ଥ ହେଉଛି ପୃଥିବୀ ପୃଷ୍ଠର ଏକ ବିଶାଳ ଭୁଖଣ୍ଡ ବା ଭୂଭାଗ । ଅନ୍ୟ ଅର୍ଥରେ ଏକ ମହାଦ୍ୱୀପକୁ ମଧ୍ୟ ବର୍ଷ କୁହାଯାଏ । ଏହା ହେଉଛି ଭାରତବର୍ଷର ଗାଥା ।
– ଭାରତ ଶବ୍ଦଟି ସଂସ୍କୃତରେ ସମୃଦ୍ଧ ଋକ୍‌ବେଦରୁ ଆନିତ । ପୃଥିବୀର ଉତର-ପଶ୍ଚିମ ଭାଗରେ ବସବାସ କରୁଥିବା ଜନସମୂହଙ୍କୁ ଭାରତୀୟ ବୋଲି କୁହାଯାଉଥିଲା ଏବଂ ପରେ ଏହା ଦେଶର ନାମ ହିସାବରେ ଗଣାଗଲା ।
– ଅନ୍ୟ ଗବେଷଣା ଅନୁସାରେ ଦଶରଥଙ୍କ ପୁତ୍ର ଭରତ, ଋଷୀ ଦୁଶ୍ୟନ୍ତଙ୍କ ପୁତ୍ର ଭରତ ଏବଂ ରିଷଭାଙ୍କ ଏକ ପୁତ୍ର ଥିଲେ ଭରତ । ସେହି ୩ ଭରତଙ୍କ ନାମାନୁସାରେ ଭାରତ ଶବ୍ଦଟି ଗୃହୀତ ହୋଇଥିବା କୁହାଯାଏ ।
– ଭାରତର ଅନ୍ୟ ଅର୍ଥ ହେଉଛି ସହନ କରିବା ବା ସହ୍ୟ କରିବା । ନେଇଯିବା ବା ଗ୍ରହଣ କରିବା । ବିଶେଷକରି ଅଗ୍ନି ସମ ସବୁ ସହ୍ୟ କରିନେବା ସମ୍ପର୍କରେ ସୂଚିତ କରାଯାଏ । ଏହାର ଅର୍ଥ ଭାରତବାସୀ, ଭାରୀ ସାହସୀ ତଥା ବୀର ବୋଲି ପ୍ରମାଣିତ ।

  • ଏବେ ଆସନ୍ତୁ ଜାଣିବା ଇଣ୍ଡିଆ ସମ୍ପର୍କରେ…

– ଇଣ୍ଡିଆ ଶବ୍ଦଟି ହେଉଛି ହିନ୍ଦୁସ୍ଥାନର ଇଂରାଜୀ ଟ୍ରାନ୍ସଲେସନ । ଭାରତ ବିଟ୍ରିଶ କବଳରୁ ସ୍ୱାଧୀନ ହେବା ପରେ ହିନ୍ଦ୍ ଶବ୍ଦଟି ଭାରତ ଭାବେ ହିନ୍ଦୀରେ ରହିଲା । ସେହିପରି ଊର୍ଦ୍ଦୁରେ ଇଣ୍ଡିଆ ଶବ୍ଦଟି ହିନ୍ଦୁସ୍ଥାନ ରହିଲା । ତେବେ ପରେ ଇଂରାଜୀର ବହୁଳ ବ୍ୟବହାର କାରଣରୁ ଆମେ ଇଣ୍ଡିଆ ଶବ୍ଦ ସହ ଅଧିକ ପରିଚିତ ବା ଇଣ୍ଡିଆ ଶବ୍ଦ ବହୁଳ ବ୍ୟବହାର କରୁଛେ ।
– ଗ୍ରୀକ୍ ଜିଓଗ୍ରାଫର୍ ହେରୋଡୋଟସ୍ ଖ୍ରୀଷ୍ଟ ପୂର୍ବ ପଂଚମ ଶତାବ୍ଦୀ ବେଳକୁ ଇଣ୍ଡିଆକୁ ଦ ଇଣ୍ଡସ୍ ଲ୍ୟାଣ୍ଡ ଭାବେ ବର୍ଣ୍ଣନା କରିଥିଲେ । ଇଣ୍ଡସ୍ ରିଭର୍ ହେଉଛି ଏକ ପ୍ରାଚୀନ ପାର୍ସିଆନ୍ ଶବ୍ଦ ଓ ଏହାର ଅବବାହିକାରେ ଜୀବନ ବିତାଉଥିବା ଲୋକେ ହିନ୍ଦୁ ଭାବେ ଜଣାଗଲେ । ଅର୍ଥାତ୍ ଇଣ୍ଡସ୍ ଶବ୍ଦରୁ ହିନ୍ଦୁସ୍ ଶବ୍ଦ ଉତ୍ପତି ହୋଇଥିବା ଇତିହାସ କହେ ।
– ତେବେ ବ୍ରିଟିଶ ରାଜୁତି କାଳରେ ହିଁ ହିନ୍ଦୁସ୍ଥାନ ଶବ୍ଦର ବିଲୟ ଘଟି ଇଣ୍ଡିଆ ଶବ୍ଦ ଚାରିଆଡ଼େ ଆସ୍ଥାନ ଜମାଇଲା । ବିଶ୍ୱରେ ଇଣ୍ଡିଆ ନାମଟି ବେଶୀ ଜଣାଗଲା ।

  • ଜାଣିଲେ ତ ଭାରତ ଓ ଇଣ୍ଡିଆ ବିଷୟରେ… ଏଥର ଆସନ୍ତୁ ଜାଣିବା ଭାରତୀୟ ସମ୍ବିଧାନରେ କଣ ଲେଖାଅଛି ଓ ନୀତି ନିୟମ କଣ କହୁଛି:

ଗଣତାନ୍ତ୍ରିକ ରାଷ୍ଟ୍ରର ପବିତ୍ର ଗ୍ରନ୍ଥ ହେଉଛି ଦେଶର ସମ୍ବିଧାନ । ବହୁ ଆଲୋଚନା ପର୍ଯ୍ୟାଲୋଚନା ଓ ବିଚାର ବିମର୍ଷ ମଧ୍ୟରେ ଦେଶର ତତ୍କାଳୀନ ସ୍ଥିତିକୁ ତନ୍ନ ତନ୍ନ ପରଖି ଲେଖାଯାଇଥିଲା ଦେଶର ସମ୍ବିଧାନ । ଦେଶରେ ଚାଲିଛି ସଂଘୀୟ ବ୍ୟବସ୍ଥା ଓ ଜାତୀୟ ସଂହତି ଏହାର ମୂଳ ଆଧାର । ତେଣୁ ଦଳମତ ନିର୍ବିଶେଷରେ ଦେଶର ସବୁ ଜନତା ସବୁ ବର୍ଗ ସମ୍ବିଧାନକୁ ସମ୍ମାନ ଦେବା ଦାୟିତ୍ୱ । ସାମ୍ବିଧାନିକ ସଂହିତା ଦେଶର ବଡ଼ ପୁଞ୍ଜି । ନିୟମ ଭିତରେ ଆମେ ସମସ୍ତେ ବନ୍ଧା । ସେ ଶାସକ ଦଳ ହୁଅନ୍ତୁ ବା ବିରୋଧୀ, ନିୟମ ଓ ଦେଶର ଆଚାର ସଂହିତା ଆଗରେ ସମସ୍ତେ ସମାନ । ଦେଶବାସୀଙ୍କ ଭାବନାରେ ଓ ଗ୍ରହଣୀୟତାରେ ଜଡ଼ିତ ଦେଶର ସମ୍ବିଧାନ । ତେବେ ବିରୋଧୀ ୨୬ ଦଳର ମେଂଟର ନାଁ ଇଣ୍ଡିଆ ଘୋଷଣା କରିବା ପରେ ବହୁ ବିଜେପି ନେତା ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି । ଇଂରାଜୀ ଆଧାରରେ ଇଣ୍ଡିଆ କିନ୍ତୁ ଆମେ ହେଉଛୁ ଭାରତର- ଏଭଳି ମର୍ମରେ କଟୂ ସମାଲୋଚନା କରାଯାଉଛି । ତେବେ ୧୪୦ କୋଟି ଜନତା ଯାହାକୁ ସମ୍ମାନ କରନ୍ତି, ସେହି ସାମ୍ବିଧାନିକ ବ୍ୟବସ୍ଥା ବା ସମ୍ବିଧାନରେ କଣ ଲେଖା ହୋଇଛି ଆସନ୍ତୁ ଜାଣିବା…

ୱି ଦ ପିପୁଲ୍ ଅଫ୍ ଇଣ୍ଡିଆ… ହେବିଂ ସୋଲମନ୍ଲି ରିସଲଭଡ୍ ଟୁ କନଷ୍ଟିଚ୍ୟୁଟ୍ ଇଣ୍ଡିଆ ଇନଟୁ ଏ ସୋଭରେନ୍ ଡେମୋକ୍ରାଟିକ୍ ରିପବ୍ଲିକ୍‌……

ଦେଶର ସମ୍ବିଧାନରେ ଦେଶବାସୀଙ୍କ ପକ୍ଷରୁ ଏଭଳି ଭାବେ ସମ୍ମାନର ସହ ଶପଥ ପାଠ କରାଯାଇଛି । ଏଠାରେ ରହିଛି ଇଣ୍ଡିଆ, ତେଣୁ ଏହି ଶବ୍ଦକୁ ସମ୍ମାନ ଦେବା ଆମର ଦାୟିତ୍ୱ ଓ କର୍ତବ୍ୟ ।

ଅନ୍ୟ ପକ୍ଷରେ ବିରୋଧୀ ମେଣ୍ଟର ଏହି ନାମକରଣ ଇଣ୍ଡିଆ ଶବ୍ଦକୁ ନେଇ ଆଗକୁ କଣ ହେବ ତାହା ସମୟ କହିବ । ହୁଏତ ମାମଲା କୋର୍ଟକୁ ଯାଇପାରେ କିମ୍ବା ଭାରତୀୟ ନିର୍ବାଚନ କମିସନ ତାଙ୍କର ନିଜର ନିଷ୍ପତି କିଛି ଅଲଗା ଶୁଣାଇ ପାରନ୍ତି । ସେ କଥା ଅଲଗା । କିନ୍ତୁ ଇଣ୍ଡିଆ ଶବ୍ଦ ଯେ ଅଗ୍ରହଣୀୟ ତାହା କହିହେବନି । ତେବେ ଇଣ୍ଡିଆ ଆଉ ଭାରତ ମଧ୍ୟରେ ଲଢ଼େଇ କୋଉ ଦିଗକୁ ଯାଉଛି ଏବଂ ୨୦୨୪ ନିର୍ବାଚନରେ କଣ ଦେଖାଯିବ ଦୃଶ୍ୟପଟ୍ଟ, ତାହା ଦେଖିବାକୁ ବାକି ରହିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com