Breaking NewsFeaturedଓଡ଼ିଶାରାଜନୀତି

ଅଜୟ କୁମାର ହେଲେ ପ୍ରଦେଶ କଂଗ୍ରେସ ପ୍ରଭାରୀ; ଫୋକସରେ ୨୦୨୪ ନିର୍ବାଚନ

ଅଜୟ କୁମାର ହେଲେ ଓଡିଶା କଂଗ୍ରେସ ପ୍ରଭାରୀ । ଚେଲ୍ଲା କୁମାରଙ୍କ ସ୍ଥାନରେ ଅଜୟ କୁମାରଙ୍କୁ ଦାୟିତ୍ୱ ଦେଇଛି କଂଗ୍ରେସ । ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଥିବାରୁ ଦଳ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । କେବଳ ଯେ, ଓଡିଶା ପ୍ରଭାରୀ ବଦଳିଛନ୍ତି ତାହା ନୁହେଁ ଏକାଧିକ ରାଜ୍ୟର ପ୍ରଭାରୀଙ୍କୁ ବଦଳାଯାଇଛି । ତେବେ ଆସନ୍ତୁ ଜାଣିବା କିଏ ଏହି ଅଜୟ କୁମାର-
୧୦ ଅଗଷ୍ଟ ୧୯୬୪ରେ ଜନ୍ମିତ ଡକ୍ଟର ଅଜୟ କୁମାର ହେଉଛନ୍ତି ପୂର୍ବତନ ଆଇପିଏସ । ୧୯୯୪ରୁ ୯୬ ପର୍ଯ୍ୟନ୍ତ ସେ ଜାମସେଦପୁର ଏସପି ଭାବେ କାର୍ଯ୍ୟ କରିଥିଲେ । ଚାକିର ଛାଡିବାପରେ ସେ ସିନିୟର ଏକଜକ୍ୟଟିଭ ଭାବେ ରହିଥିଲେ ଟାଟା ମୋଟର୍ସରେ ।
ରାଜନୀତିକୁ ଆସିବାପରେ ସେ ଝାଡଖଣ୍ଡ ବିକାଶ ମୋର୍ଚ୍ଚା ଦଳରେ ୨୦୧୦ରୁ ୧୪ ଯାଏ ରହିବାପରେ ଯୋଗ ଦେଇଥିଲେ କଂଗ୍ରେସ ଦଳରେ । ୨୦୧୪ରେ କଂଗ୍ରେସ ଟିକେଟରୁ ଲଢି ଜାମସେଦପୁରରୁ ସେ ଏମ.ପି ହୋଇଥିଲେ । ଏହି ସମୟ ମଧ୍ୟରେ ସେ ୨୦୧୭ରୁ ୧୯ ଯାଏ ସେ ରହିଥିଲେ ଝାଡଖଣ୍ଡ କଂଗ୍ରେସ ସଭାପତି ଭାବେ ।

ଏହାପରେ ୨୦୧୯ରେ କଂଗ୍ରେସ ଛାଡି ସେ ଯାଇଥିଲେ ଆମ୍ ଆଦମି ପାର୍ଟିକୁ । କିନ୍ତୁ ୨୦୨୦ରେ ଆପ୍ ଛାଡି ପୁଣି ଫେରିଥିଲେ କଂଗ୍ରେସକୁ । ବର୍ତ୍ତମାନ ସେ ପ୍ରଭାରି ହେବା ସହ କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ମଧ୍ୟ ସଦସ୍ୟ ରହିଛନ୍ତି ।

ତେବେ ଏଠାରେ ସବୁଠୁ ବଡ ପ୍ରଶ୍ନ ହେଉଛି ଓଡିଶାର କଂଗ୍ରେସ ପ୍ରଭାରୀ ଭାବେ ଅଜୟ କୁମାରଙ୍କୁ ଲୋକେ ଗ୍ରହଣ କରିବେ ତ ? କାରଣ ତାଙ୍କ ନାମରେ ରହିଛି ଏକ କେଁ । ତାହା ହେଉଛି ରାଷ୍ଟ୍ରପତି ନିର୍ବାଚନ ସମୟରେ ସେ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଦେଇଥିବା ଜାତି ସମ୍ବନ୍ଧୀୟ ବିବାଦୀୟ ଟିପ୍ପଣୀ । ସେପଟେ ପ୍ରଭାରୀ ଦୃଷ୍ଟିରୁ ଅଜୟ କିନ୍ତୁ ବେଶ୍ ଅଭିଜ୍ଞ । କାରଣ ପୂର୍ବରୁ ସେ ତ୍ରିପୁରା, ନାଗାଲାଣ୍ଡ ଏବଂ ମିଜୋରାମ ଦାୟିତ୍ୱରେ ରହିସାରିଛନ୍ତି । ସେହିପରି କୌଣସି ସମ୍ବେଦନଶୀଳ ମାମଲାରେ ବିବୃତ୍ତି ପାଇଁ କଂଗ୍ରେସ ତାଙ୍କୁ ହିଁ ଆଗରେ ରଖିଥାଏ ।

ତେବେ ଆଗକୁ ରହିଛି ୨୦୨୪ ସାଧାରଣ ନିର୍ବାଚନ । ଅଜୟ କୁମାର ଓଡିଶା ଦାୟିତ୍ୱ ନେବାପରେ ପ୍ରଦେଶ କଂଗ୍ରେସର ପ୍ରଦର୍ଶନ କିପରି ରହୁଛି ତାହା ଦେଖିବାକୁ ବାକି ରହିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com