Breaking NewsFeaturedରାଜନୀତି

ବିଜେପିର ବଡ଼ ଷ୍ଟ୍ରାଟେର୍ଜି: ଏଥର ଚୁପ୍ ବସିବେ ରାଜନାଥ ଓ ଗଡ଼କରୀ!

ଦେଶ ଚାଲିଛି ଗଣତନ୍ତ୍ରରେ । ଗଣତନ୍ତ୍ରରେ ରାଜନୀତି ବଡ଼ ଅସ୍ତ୍ର । ଆଉ ରାଜନୀତି କଥା କହିଲେ ଏବେ ଦେଶରେ ବିଜେପି ଏକ ବଡ଼ ଦଳ ଆଉ କ୍ଷମତାରେ ରହିଛି । ତେବେ ଏହି ରାଜନୀତି ଦଳର ରଣନୀତି ପରୋକ୍ଷ ହେଉ କି ପ୍ରତ୍ୟେକ୍ଷ ଭାବେ ଦେଶବାସୀଙ୍କୁ ପ୍ରଭାବିତ କରୁଛି । ତେବେ ସିଧାସଳଖ କହିଲେ, ନିକଟରେ ସରିଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ଏବଂ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନ ପରିପ୍ରେକ୍ଷୀରୁ ବିଜେପିର ବଡ଼ ଷ୍ଟ୍ରାଟେର୍ଜି ବିଷୟରେ ବେଶ୍ ସ୍ପଷ୍ଟ ହେଉଛି ।

ଏହାକୁ ଦୃଷ୍ଟିରେ ରଖି ରାଜନୀତିକ ବିଶାରଦମାନେ କହୁଛନ୍ତି ଯେ, ବରିଷ୍ଠ ବିଜେପି ଲିଡର୍ ତଥା ରାଜସ୍ଥାନର ରାଣୀ ବସୁନ୍ଧରା ରାଜେ ସିନ୍ଦିଆଙ୍କୁ ମୁଖ୍ୟମନ୍ତ୍ରୀ ଭଳି ମୁଖ୍ୟସ୍ରୋତର ପଦବୀରୁ ହଟାଇବା ପରେ ପରେ ମୋଦି ଫର୍ମୁଲା ଅନୁସାରେ ଏବେ ଦଳର ବରିଷ୍ଠ ନେତା ରାଜନାଥ ସିଂହ ଏବଂ ନିତିନ ଗଡ଼କରୀଙ୍କ ପାଳି! ଅର୍ଥାତ୍ ଏହି ଦୁଇ ନେତାଙ୍କ ଏଥର ବସିବା ବେଳ ଆସିଗଲା! ଏମିତି ହିଁ ଚର୍ଚ୍ଚା ଏବେ ଜୋର ଧରିଛି । ଆସନ୍ତୁ ସେ ଉପରେ ପକାଇବା ନଜର ।

ପ୍ରଥମେ ଦେଖିବା ମଧ୍ୟପ୍ରଦେଶ: ଏଠାରେ ମୋଦି ଫର୍ମୁଲା ଅନୁସାରେ ନୂଆ ଚେହେରାରେ ମୁଖ୍ୟମନ୍ତ୍ରୀ ହେଲେ ମୋହନ ଯାଦବ, ଯାହା କୁହାଯାଉଛି- ୪ ଥରର ମୁଖ୍ୟମନ୍ତ୍ରୀ ଏବଂ ୫ ଥରର ସାଂସଦ ଶିବରାଜ ସିଂହ ଚୌହାନଙ୍କ ରାଜନୀତିକ କ୍ୟାରିଅର୍ ଏକ ପ୍ରକାର ସମାପ୍ତ କରିଦେଲେ ମୋଦି ବୋଲି ଚର୍ଚ୍ଚା ହେଉଛି । ସେହିପରି ଛତିଶଗଡ଼ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ରମଣ ସିଂହଙ୍କ ଶିବରାଜଙ୍କ ଭଳି ସମାନ ଅବସ୍ଥା । ଏକ ପ୍ରକାର ରାଜନୀତିକ କ୍ୟାରିଅର୍ ଶେଷ । ସେଠାରେ ଏବେ ନୂଆ ଚେହେରାରେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ।

ରାଜସ୍ଥାନ କଥା ଦେଖିଲେ ମଧ୍ୟ ବସୁନ୍ଧରାଙ୍କ ସମଦଶା । ମୁଖ୍ୟମନ୍ତ୍ରୀ ପଦ ପାଇଁ ଖୁବ୍ ଆଶାୟୀ ଥିଲେ ଏହି ବରିଷ୍ଠ ନେତ୍ରୀ ତଥା ଦବଙ୍ଗ ଲେଡି, ବରିଷ୍ଠ ଆଉ ଅଭିଜ୍ଞ । ଏକାଧିକବାର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ସହ ସାଂସଦ ଭାବେ ଦୀର୍ଘ ଅଭିଜ୍ଞତା । କିନ୍ତୁ ତାଙ୍କୁ ଚୁପ୍ ବସାଇଦେଲେ ମୋଦି, ନୂଆ ଚେହେରା ଭାବେ ଭଜନ ଲାଲ ଶର୍ମା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ତିନିଟି ରାଜ୍ୟ ଏବଂ ତିନି ବରିଷ୍ଠ ନେତାଙ୍କ ସ୍ଥିତିକୁ ଦେଖିଲେ ଯାହା ଜଣାପଡୁଛି ମୋଦି ଫର୍ମୁଲା ଅନୁସାରେ ସେମାନଙ୍କୁ ଏବେ ମାର୍ଗଦର୍ଶକ ମଣ୍ଡଳୀ ଆଡ଼କୁ ଠେଲି ଦେଇଛନ୍ତି ବିଜେପିର ହର୍ତ୍ତାକର୍ତ୍ତା ନରେନ୍ଦ୍ର ମୋଦି ।

ସେହି କ୍ରମରେ ଯଦି ଦେଖିବା, ତେବେ ଦଳରେ ଅଛନ୍ତି ଆହୁରି ଏଭଳି ଅନେକ ବରିଷ୍ଠ ନେତା । ସେ ଭିତରେ ଦୁଇଟି ବଡ଼ ଚେହେରା ସାମ୍ନାକୁ ଆସେ । ବର୍ତ୍ତମାନର ପ୍ରତିରକ୍ଷା ମନ୍ତ୍ରୀ ରହିଥିବା ରାଜନାଥ ସିଂହଙ୍କ ବୟସ ଏବେ ୭୨ ବର୍ଷ । ସେହିପରି ସଡ଼କ-ପରିବହନ ମନ୍ତ୍ରୀ ରହିଥିବା ନିତିନ ଗଡ଼କରୀ ୬୬ ବର୍ଷ ବୟସରେ ପାଦ ଦେଲେଣି । ତେଣୁ ଯାହା ଚର୍ଚ୍ଚା ହେଉଛି, ଏବେ ମୋଦିଙ୍କ ଟାର୍ଗେଟ୍‌ରେ ଏହି ଦୁଇ ନେତା । ହୁଏତ ଖୁବ୍ ଶୀଘ୍ର ଅଦଳବଦଳ ହୋଇପାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ । ନଚେତ୍ ଅତିବେଶୀରେ ୨୦୨୪ ସାଧାରଣ ନିର୍ବାଚନ, ବାସ୍ ଏହାପରେ ବିଜେପିରେ ଦେଖିବାକୁ ମିଳିବ ବ୍ୟାପକ ପରିବର୍ତ୍ତନ- ଏଭଳି ମତ ଦେଉଛନ୍ତି ରାଜନୀତିକ ବିଶାରଦ ।

Related Articles

Back to top button
WP Twitter Auto Publish Powered By : XYZScripts.com